ନବରଙ୍ଗପୁର ଜିଲା କଂଗ୍ରେସର କ୍ୟାଣ୍ଡେଲ ଶୋଭାଯାତ୍ରା

ନବରଙ୍ଗପୁର: ଯାଜପୁର ଜିଲା କଳିଙ୍ଗ ନଗର ଗୁଳିକାଣ୍ଡକୁ ୧୭ ବର୍ଷ ବିତି ଯାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନାହିଁ ସେହିଦିନ। ସେଦିନକୁ ମନେପକାଇ ଆଜି ମଧ୍ୟ ଅଞ୍ଚଳବାସୀଙ୍କ ମନରେ ଶିହରଣ ସୃଷ୍ଟି ହୁଏ। ସେଦିନ ଥିଲା ୨୦୦୬ ମସିହା ଜାନୁୟାରୀ ମାସ ୨ ତାରିଖରେ ରାଜ୍ୟରେ ଚାଲିଥାଏ ବିଜେଡି ଓ ବିଜେପି ମିଳିତ ସରକାର। ଟାଟା କମ୍ପାନୀକୁ ଅତ୍ୟନ୍ତ ଆଗ୍ରହ ଦେଖାଇ ରାଜ୍ୟ ସରକାର ଷ୍ଟିଲ କମ୍ପାନୀ ନାମରେ ଆରମ୍ଭ କରିଥାନ୍ତି ଜମି ଅଧିଗ୍ରହଣ କାର୍ଯ୍ୟକ୍ରମ। ଆଦିବାସୀଙ୍କ ବିରୋଧ ସତ୍ତ୍ଵେ ତାଙ୍କ ଭିଟାମାଟିକୁ ଅଧିଗ୍ରହଣ କରି କମ୍ପାନୀକୁ ଦେବା ସପକ୍ଷରେ ଥାଆନ୍ତି ସରକାର। ଦୃଢ଼ ବିରୋଧ ସତ୍ତ୍ଵେ ଟାଟା କମ୍ପାନୀକୁ ଜମି ଅଧିଗ୍ରହଣ କରି ଦେବା ସପକ୍ଷରେ ଉଭୟ ବିଜେଡି ଓ ବିଜେପି ମେଣ୍ଟ ସରକାର ଛକା ପଞ୍ଝା ଓ ପୁଲିସ ଛାଉଣୀ ମଧ୍ୟରେ କଳିଙ୍ଗ ନଗର ରହିଥିବା ସମୟରେ ଦେଖିବାକୁ ମିଳିଥିଲା ପୁଲିସ ବାହିନୀ ତରଫରୁ ସାଧାରଣ ଅଧିବାସୀଙ୍କ ଉପରେ ଅତର୍କିତ ଆକ୍ରମଣ। ସେଥିରେ ଟଳି ପଡ଼ିଥିଲା ୧୬ ଜଣ ଆଦିବାସୀଙ୍କ ଜୀବନ। ଖାଲି ସେତିକି ନୁହେଁ ନୃଶଂସ ଭାବେ ହାତ ପାପୁଲି କାଟି ସେମାନଙ୍କୁ ହତ୍ୟା କରାଯାଇଥିଲା। ସେହି ଲୋମହର୍ଷଣକାରୀ ମୁହୂର୍ତ୍ତକୁ ଅଦ୍ୟାବଧି ଭୁଲି ପାରିନାହାନ୍ତି ଓଡ଼ିଶାବାସୀ। ସେହି ଘଟଣାକୁ ମନେପକାଇ ପ୍ରତିବର୍ଷ ପାଳନ ହେଉଛି ଶ୍ରଦ୍ଧାଞ୍ଜଳି ସଭା। ସେହି ନାଟକୀୟ ହତ୍ୟା ଘଟଣାକୁ ବିରୋଧ କରି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ମଙ୍ଗଳବାର ସନ୍ଧ୍ୟାରେ ନବରଙ୍ଗପୁର ଜିଲା କଂଗ୍ରେସ କମିଟି ସଭାପତି ମୁନା ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏକ କ୍ୟାଣ୍ଡଲ ଶୋଭାଯାତ୍ରା କରାଯାଇଛି। ନବରଙ୍ଗପୁର ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ କ୍ୟାଣ୍ଡଲ ଶୋଭାଯାତ୍ରା ବାହାରି ଗାନ୍ଧୀଛକ ସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିଥିଲା। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଆଦିବାସୀ ସେଲ ସଭାପତି ତଥା ପୂର୍ବତନ ଡାବୁଗାଁ ବିଧାୟକ ଭୁଜବଳ ମାଝୀ, ଜିଲା ଆଇଏନଟିୟୁସି ସଭାପତି ତଥା ଗ୍ନିପୁର ସରପଞ୍ଚ ଦିବାକର ପୂଜାରୀ, ଜିଲା କଂଗ୍ରେସ ଆଦିବାସୀ ସେଲ ସଭାପତି ଦିଲ୍ଲିପ ପ୍ରଧାନୀ, ନବରଙ୍ଗପୁର ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ, ବ୍ଲକ୍ କଂଗ୍ରେସ ସଭାପତି ଅବଦୁଲ ଫାରୋଜ୍, ମଣ୍ଡଳ କଂଗ୍ରେସ ସଭାପତି ଦେବକାନ୍ତ ପଣ୍ଡା, ନବଜୀବନ ମନ୍ଦାର, ସଂଖ୍ୟାଲଘୁ ସମ୍ପ୍ରଦାୟର ଜିଲା ସଂଯୋଜକ ସୁନାମ ପାତ୍ର ସୁନା, ରାଜ୍ୟ ରାଜୀବ ଗାନ୍ଧୀ ପଞ୍ଚାୟତ ସଂଯୋଜକ ପ୍ରକାଶ ସାମନ୍ତରାୟ, ବିଧାନସଭା ଯୁବ କଂଗ୍ରେସ ସଭାପତି ସୁରଜ୍ ଲାଲ, ବରିଷ୍ଠ ନେତା ବାସୁଦେବ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.