ଅମଲାଙ୍କ ପ୍ରତି ରାଜ୍ୟ ସରକାରଙ୍କ ଉଦାସୀନତା ପ୍ରତିବାଦରେ କଳାବ୍ୟାଜ୍ ପରିଧାନ

ନବରଙ୍ଗପୁର: ଜିଲାରେ କାର୍ଯ୍ୟରତ ଅମଲାମାନଙ୍କ ଦାବି ପୂରଣ କରିବାରେ ରାଜ୍ୟ ସରକାରଙ୍କ କ୍ରମାଗତ ଉଦାସୀନତା ପ୍ରତିବାଦରେ ନବରଙ୍ଗପୁର ଜିଲାରେ କାର୍ଯ୍ୟରତ ଓଡ଼ିଶା ଅମଲା ସଂଘ, ଓଡ଼ିଶା ରାଜସ୍ୱ ଅମଲା ସଂଘ, ଓଡ଼ିଶା ଟ୍ରେଜରି ଅମଲା ସଂଘ ଓ ସବରେଜିଷ୍ଟର ଅମଲା ସଂଘର ଡାକରାରେ ସମସ୍ତ ଜିଲାସ୍ତରୀୟ ଅମଲାମାନେ ଏକତ୍ରୀତ ହୋଇ କଳା ବ୍ୟାଜ୍ ପରିଧାନ କରିଛନ୍ତି। ଏଥିସହ ନବରଙ୍ଗପୁର ଜିଲାପାଳ ଡଃ. କମଲଲୋଚନ ମିଶ୍ରଙ୍କ ଅବଗତି ନିମନ୍ତେ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।

prayash

ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତିକ୍ରମେ ଗତ ଏପ୍ରିଲ ମାସ ୨୧ ତାରିଖରେ ମିଳିତ ଅମଲା ମଞ୍ଚ ପକ୍ଷରୁ ରାଜ୍ୟର ୩୦ ଗୋଟି ଜିଲାର ଜିଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ଦାବି ପୂରଣ ନେଇ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଏଥିରେ ଏପ୍ରିଲ ୩୦ ତାରିଖ ମଧ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ନ ପାଇବାରୁ ମେ’ ମାସ ୧ ତାରିଖ ଦିନ ଜିଲାସ୍ତରୀୟ ମିଳିତ ମଞ୍ଚ ରାଜ୍ୟ ଶାଖା ପକ୍ଷରୁ ଏକ ଚରମ ପତ୍ର ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ନିଷ୍ପତ୍ତି ଅନୁଯାୟୀ, ରାଜ୍ୟ ସରକାରଙ୍କୁ ମେ’ ମାସ ୨୧ ତାରିଖ ସୁଦ୍ଧା ଅମଲାଙ୍କ ଦାବି ପୂରଣ କରିବା ପାଇଁ ଅନୁରୋଧ କରାଯାଇଥିଲା। ଧାର୍ଯ୍ୟ ସମୟ ସୀମା ମଧ୍ୟରେ ରାଜ୍ୟ ସରକାର ଅମଲାମାନଙ୍କ ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ମେ’ ମାସ ୨୨ ତାରିଖଠାରୁ ମେ’ ୩୧ ତାରିଖ ପର୍ଯ୍ୟନ୍ତ କଳା ବ୍ୟାଜ୍ ପରିଧାନ କରି କାର୍ଯ୍ୟ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହାସତ୍ତ୍ବେ ଯଦି ସରକାର କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତି ତେବେ ଆସନ୍ତା ଜୁନ ୧ ତାରିଖଠାରୁ ଜିଲାରେ କାର୍ଯ୍ୟରତ ସମସ୍ତ ଅମଲା ଦାବି ପୂରଣ ନହେବା ପର୍ଯ୍ୟନ୍ତ ଅନିର୍ଦ୍ଦିଷ୍ଟ କାଳ ପାଇଁ ସମୂହ ଛୁଟିରେ ଯିବେ ବୋଲି ଜିଲାସ୍ତରୀୟ ମିଳିତ ଅମଲା ମଞ୍ଚର ଅଧ୍ୟକ୍ଷ କୈଳାଶ ଦାସ ଏବଂ ଆବାହକ ଏମ. ବାଳକ୍ରୀଷ୍ଣା ରାଓ ପ୍ରକାଶ କରିଛନ୍ତି।

ପ୍ରକାଶ ଥାଉକି, ଦୀର୍ଘ ବର୍ଷ ହେଲା ଅମଲାମାନଙ୍କର ବେତନରେ ଥିବା ଅସଙ୍ଗତିକୁ ଦୂର କରିବାରେ ରାଜ୍ୟ ସରକାର ଜାଣିଶୁଣି ଅଣଦେଖା ଓ ଅବହେଳା କରି ଚାଲିଛନ୍ତି । ଏହା ଦ୍ଵାରା ଅମଲାମାନଙ୍କ ମନରେ ନୈରାଶ୍ୟ ଓ ଅସନ୍ତୋଷ ଦେଖାଦେଇଛି । ଫଳ ସ୍ୱରୂପ ଆଗାମୀ ଦିନରେ ଏକ ବଡ଼ ଧରଣର ଅମଲା ଆନ୍ଦୋଳନ ମୁଣ୍ଡ ଟେକିବାକୁ ଯାଉଛି। ଏହାର ପରିଣାମରେ ନିଶ୍ଚିତ ଭାବରେ ସରକାରଙ୍କ କ୍ଷତି କରିବା ସହିତ ଜନସାଧାରଣ ମଧ୍ୟ ଘୋର ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଏଥିପାଇଁ ରାଜ୍ୟ ସରକାର ହିଁ ଦାୟୀ ରହିବେ ବୋଲି ଶ୍ରୀ ଦାସ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ୨୦୧୭ ମସିହାଠାରୁ ଜିଲାସ୍ତରୀୟ ଅମଲାମାନଙ୍କ ପ୍ରବେଶିକା ଶିକ୍ଷାଗତ ଯୋଗ୍ୟତା ସ୍ନାତକ ସହିତ କମ୍ପ୍ୟୁଟର ଜ୍ଞାନ କରିଥିଲେ ଏବଂ ସେହି ଅନୁପାତରେ କାର୍ଯ୍ୟଭାର ବୃଦ୍ଧି ହୋଇଥିଲେ ମଧ୍ୟ ବେତନରେ କୌଣସି ପ୍ରକାର ଅଭିବୃଦ୍ଧି କରି ନାହାନ୍ତି। ଅମଲାମାନେ ତୃଣମୂଳ ସ୍ତରରେ କାର୍ଯ୍ୟ କରି ଜିଲାସ୍ତରରେ ବିଭିନ୍ନ ବିଭାଗ ମାଧ୍ୟମରେ ରାଜ୍ୟ ସରକାର ତଥା କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାଗୁଡିକରେ ସଫଳ ରୂପାୟନ କରିଥାନ୍ତି। ତୃଣମୂଳ ସ୍ତରରେ କାର୍ଯ୍ୟରତ ପରିଶ୍ରମର ଶ୍ରେୟ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ମିଳିଥାଏ। ଅମଲାମାନଙ୍କୁ ମିଳିଥାଏ ଅବହେଳା ଏବଂ ପ୍ରତାରଣା। ଏହି ଅବସରରେ ଜିଲାସ୍ତରୀୟ ଅମଲା ମଞ୍ଚ ଦ୍ଵାରା ଓଡ଼ିଶାର ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି ଯେ, ଯଦି ଧାର୍ଯ୍ୟ ସମୟସୀମା ମଧ୍ୟରେ ଜିଲାସ୍ତରୀୟ ଅମଲାମାନଙ୍କ ଦାବି ପୂରଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନ କରନ୍ତି, ତେବେ ଉପରୋକ୍ତ କାର୍ଯ୍ୟସୂଚୀ ଅନୁଯାୟୀ ଆନ୍ଦୋଳନ ନିଶ୍ଚିତ ଏବଂ ରାଜ୍ୟ ସରକାର ଏଥିପାଇଁ ଦାୟୀ ରହିବେ ବୋଲି ଚେତାବନୀ ଦିଆଯାଇଛି ।

Comments are closed.