www.samajalive.in
Saturday, December 6, 2025
15.1 C
Bhubaneswar

ଅବିଶ୍ରାନ୍ତ ବର୍ଷାରେ ଉବୁଟୁବୁ ମୁମ୍ବଇ: ଆଜି ବି ପ୍ରବଳ ବର୍ଷିବ

ମୁମ୍ବଇ : ରବିବାର ରାତିରୁ ମୁମ୍ବଇ ଓ ଆଖପାଖ ଅଞ୍ଚଳରେ ଅବିଶ୍ରାନ୍ତ ବର୍ଷା ଲାଗି ରହିଥିବାବେଳେ ସାଧାରଣ ଜୀବନଯାତ୍ରା ବ୍ୟାହତ ହୋଇଛି। ସହରର ଅଧିକାଂଶ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇପଡିଛି। ଲୋକାଲ ଟ୍ରେନ, ବସ୍‌ ଓ ବିମାନସେବା ବାଧାପ୍ରାପ୍ତ ହୋଇଥିବାବେଳେ ଅଫିସ ଯିବାକୁ ଉଦ୍ୟମ ଲକ୍ଷାଧିକ ଲୋକଙ୍କୁ ନିରାଶ ହେବାକୁ ପଡିଛି। ରବିବାର ରାତି ଗୋଟାଏରୁ ସୋମବାର ସକାଳ ୭ଟା ମଧ୍ୟରେ ମୁମ୍ବଇର ବିଭିନ୍ନ ସ୍ଥାନରେ ୨୦୦ରୁ ୩୦୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଗାମୀ ଦୁଇଦିନ ପ୍ରବଳ ବର୍ଷାର ସମ୍ଭାବନା ରହିଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଥାଣେ, ପାଲଘର, ରାଏଗଡ, କୋହ୍ଲାପୁର, ସାଙ୍ଗଲି, ସତାରା, ରତ୍ନଗିରି ଓ ସିନ୍ଧୁଦୁର୍ଗ ଜିଲାରେ ଏନ୍‌ଡିଆରଏଫ୍ ଯବାନଙ୍କୁ ମୁତୟନ କରାଯାଇଛି। ପ୍ରବଳ ବର୍ଷାରେ ଲୋକଙ୍କ ଘରେ ପାଣି ପଶିଥିବାବେଳେ ସଡକ, ରେଳଧାରଣା,ସବ୍‌ୱେଗୁଡିକ ପାଣିରେ ବୁଡିଯାଇଛି। ଲୋକାଲ ଟ୍ରେନଗୁଡିକୁ ବାତିଲ କରାଯାଇଥିବାରୁ ଅଫିସ ଯାଉଥିବା କର୍ମଚାରରୀ ଏବଂ ସ୍କୁଲ କଲେଜ ଯାଉଥିବା ଛାତ୍ରଛାତ୍ରୀଙ୍କୁ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡିଛି। ମୁମ୍ବଇର ଜୀବନଧାରା କୁହାଯାଉଥିବା ଲୋକାଲ ଟ୍ରେନକୁ ଦୈନିକ ୮୫ ଲକ୍ଷ ଲୋକ ବ୍ୟବହାର କରିଥାନ୍ତି। ତେବେ ଲୋକାଲ ଟ୍ରେନସେବା ବାତିଲ ହୋଇଥିବାରୁ ମୁମ୍ବଇ ଓ ଆଖାପାଖ ଅଞ୍ଚଳର ଏକାଧିକ ଷ୍ଟେସନରେ ଯାତ୍ରୀଙ୍କର ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା। ମୁମ୍ବଇର ସାନ୍ତାକ୍ରୁଜ୍‌, ଅନ୍ଧେରୀ, ଯୋଗେଶ୍ବରୀ, ମାଲାଡ, କାଣ୍ଡିଭାଲି ଓ ଦହିସାର ଅଞ୍ଚଳରେ ଥିବା ସବ୍‌ୱେରେ ୩ରୁ ୫ ଫୁଟ ଉଚ୍ଚରେ ଜଳ ପ୍ରବାହିତ ହେଉଛି। ଅପରପକ୍ଷରେ କଲ୍ୟାଣ, ଡୋମ୍ବିଭାଲି, ଉଲ୍ଲାସନଗର, ଥାଣେ, ଭାଣ୍ଡୁପ, କୁର୍ଲା, ସାୟନ ଓ ୱାଡାଲାରେ ରେଳଧାରଣା ଉପରେ ପାଣି ଜମି ରହିଛି। ଫଳରେ ପୂର୍ବ ଓ ପଶ୍ଚିମ ମୁମ୍ବଇ ମଧ୍ୟରେ ସମସ୍ତ ଲୋକାଲ ଟ୍ରେନ୍‌ର ଚଳାଚଳକୁ ବାତିଲ କରାଯାଇଛି। ଏହାବ୍ୟତୀତ ଦହିସାର, ବୋରିଭାଲି, କାଣ୍ଡିଭାଲି, ମାଲାଡ, ଯୋଗେଶ୍ବରୀ, ଅନ୍ଧେରୀ, ସାନ୍ତାକ୍ରୁଜ୍‌, ସାୟନ, ୱାଡାଲା, କୁର୍ଲା, ଘାଟକୋପାର ଏବଂ ଭାଣ୍ଡୁପ ଅଞ୍ଚଳରେ ଥିବା ବାସଗୃହଗୁଡିକ ଜଳଘେରରେ ରହିଛି। ସହରର ବିଭିନ୍ନ ସ୍ଥାନରେ ଶତାଧିକ ଦୁଇ, ତିନି, ଚାରିଚକିଆ ଯାନ ବର୍ଷାଜଳରେ ଫସିରହିଥିବା ଲକ୍ଷ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ସହରର ସମସ୍ତ ଶିକ୍ଷାନୁଷ୍ଠାନକୁ ଆଗାମୀ ଦୁଇଦିନ ପାଇଁ ବନ୍ଦ ଘୋଷଣା କରାଯାଇଛି। ନିହାତି ଜରୁରୀ ନଥିଲେ ଘରୁ ନ ବାହାରିବାକୁ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ସହରବାସୀଙ୍କୁ ନିବେଦନ କରିଛନ୍ତି। କୌଣସି ବ୍ୟକ୍ତି ଯେପରି ସମୁଦ୍ରକୂଳ ନ ଯାଆନ୍ତି, ସେଥିପ୍ରତି ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ମୁମ୍ବଇ ପୁଲିସ କମିସନରଙ୍କୁ ନିର୍ଦେଶ ଦେଇଛନ୍ତି। ରେଳଧାରଣାରୁ ଜଳ ନିଷ୍କାସନ ନିମନ୍ତେ ୫୦୦ରୁ ଅଧିକ ପମ୍ପକୁ କାର୍ଯ୍ୟରେ ନିୟୋଜିତ କରାଯାଇଛି। ମୁମ୍ବଇର ଉପକୂଳ ଅଞ୍ଚଳଗୁଡିକ ପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ୫୦ ବିମାନର ଉଡାଣକୁ ବାତିଲ କରାଯାଇଥିବାବେଳେ ଆଉ କେତେକ ବିମାନ ବିଳମ୍ବିତ ହୋଇଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories