ବିଦ୍ୟୁତ ଚୋରି କରି ଧରାପଡ଼ିଲେ ସାଂସଦ
ସମାଜ ଡିଜିଟାଲ ଡେସ୍କ: ବର୍ଷ ବର୍ଷ ଧରି ବିଦ୍ୟୁତ ଚୋରି କରୁଥିଲେ ସାଂସଦ। ଶେଷରେ ଧରାପଡ଼ିବା ପରେ ବିଭାଗକୁ ନାଲିଆଖି ଦେଖାଇଲେ ପରିବାର ଲୋକେ। ଏଭଳି ଏକ ରୋଚକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶରୁ। ସମ୍ଭଲର ସମାଜବାଦୀ ପାର୍ଟି ସାଂସଦ ଜିୟାଉର ରହମନ ବର୍କ ବର୍ଷ ବର୍ଷ ଧରି କିପରି ବିଦ୍ୟୁତ ଚୋରି କରୁଥିଲେ ତାହାର ତଥ୍ୟ ଦେଇଛି ବିଦ୍ୟୁତ ବିଭାଗ।
ସୂଚନା ଅନୁସାରେ, ଜିୟାଉରଙ୍କ ଘରର ବିଦ୍ୟୁତ ମିଟର ରିଡିଂ ହେବା ପରେ ଗତ ୧ ବର୍ଷ ହେବ ତାହା ଶୂନ ଆସୁଥିଲା। କିନ୍ତୁ ଘରେ କେଉଁ ସବୁ ଉପକରଣ ବ୍ୟବହାର ହେଉଥିଲା ତାହାର ଯାଞ୍ଚ କରିଛି ବିଭାଗ। ଜିୟାଉରଙ୍କ ଘରେ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଯାଞ୍ଚରୁ ଜଣାପଡ଼ିଛି ଯେ ସାଂସଦଙ୍କ ଘରେ ୧୬ ହଜାର ୫୦୦ ଓ୍ବାଟ ବିଦ୍ୟୁତ ବ୍ୟବହାର ହେଉଥିବା ଉପକରଣ ରହିଛି। ଏକତାଲିକାରେ ଦର୍ଶାଯାଇଛି ଯେ, ଜିୟାଉରଙ୍କ ଘରେ ୮୩ ବଲ୍ବ, ୧୯ ପଙ୍ଖା, ୩ ଶୀତତାପ ନିୟନ୍ତ୍ରିତ ଯନ୍ତ୍ର ରହିଛି। ଏହା ବ୍ୟତୀତ ଗିଜର, ମାଇକ୍ରୋଓ୍ବେଭ, ଓ୍ବାଶିଂମେସିନ, ଫ୍ରିଜ ଆଦି ଉପକରଣ ରହିଛି। କିନ୍ତୁ ମିଟର ଟାମ୍ପରିଂ ଯୋଗୁ ବିଲ୍ ଶୂନ ଆସୁଥିଲା। ଏ ନେଇ ବିଭାଗ ପକ୍ଷରୁ ସାଂସଦଙ୍କ ନାମରେ ଏତଲା ରୁଜୁ କରାଯାଇଛି। ତେବେ ଏହି ଚଢ଼ାଉ ସମୟରେ ସାଂସଦଙ୍କ ପରିବାର ଲୋକେ ଅଧିକାରୀମାନଙ୍କୁ ଧମକ ଦେଇଥିଲେ। ଆମ ସରକାର ଆସିଲେ ତୁମମାନଙ୍କୁ ଦେଖିଦେବୁ ବୋଲି ପରିବାର ଲୋକେ ଧମକ ଦେଇଥିଲେ।
Comments are closed.