ସଂସଦର ମୌସୁମୀ ଅଧିବେଶନ, କେନ୍ଦ୍ର ସରକାର ଆଣିବେ ୨୧ ନୂତନ ବିଧେୟକ

ନୂଆଦିଲ୍ଲୀ: ଆଗମୀ ମୌସୁମୀ ଅଧିବେଶନ କାଳରେ ଗୁରୁତ୍ୱପୂର୍ଣ୍ଣ ୨୭ଟି ବିଧେୟକକୁ ଲୋକସଭାର ମଞ୍ଜୁରୀ ଲାଗି କେନ୍ଦ୍ର ସରକାର ତାଲିକାଭୁକ୍ତ କରିଛନ୍ତି। ସେଥିମଧ୍ୟରେ ୨୧ଟି ନୂତନ ବିଧେୟକ ରହିଛି। ଏଥିସହ ଦି ଡିଏନଏ ଟେକ୍‌‌ନୋଲୋଜି ରେଗୁଲେସନ ବିଧେୟକ ୨୦୧୯କୁ ସଂସଦରୁ ପ୍ରତ୍ୟାହର ଲାଗି ପ୍ରସ୍ତାବ ଉପସ୍ଥାପନ କରାଯିବ। ଯଦିଓ ତାଲିକାରେ ଚର୍ଚ୍ଚାରେ ରହିଥିବା ସମାନ ନାଗରିକ ସଂହିତା ବିଧେୟକ ନାହିଁ ତଥାପି ଅଧିବେଶନ କାଳରେ ସଂସଦରେ କେନ୍ଦ୍ର ସରକାର ଏହି ସମାନ ନାଗରିକ ସଂହିତା ବିଧେୟକ ଉପସ୍ଥାପନ କରିବା ସମ୍ଭାବନା ରହିଛି।

ପରବର୍ତ୍ତୀ ସମ୍ବାଦ ପଢିବା ପାଇଁ ଏହି ଲିଙ୍କ କ୍ଲିକ କରନ୍ତୁ https://samajalive.in/rajyasabha-odia-mps/482873.html

ଗୁରତ୍ୱପୂର୍ଣ୍ଣ ବିଧେୟକ ମଧ୍ୟରେ ସଂସଦୀୟ ଯୌଥ କମିଟି ଦ୍ୱାରା ତର୍ଜମା ହୋଇସାରିଥିବା ଜୈବ୍ୟ ବିବଧତା ସଂଶୋଧନ ବିଧେୟକ ୨୦୨୨, ଜନବିଶ୍ୱାସ ସଂଶୋଧନ ବିଧେୟକ ୨୦୨୩, ବହୁରାଜ୍ୟ ସମବାୟ ସମିତି ବିଧେୟକ ୨୦୨୨କୁ ସଂସଦର ମଞ୍ଜୁରୀ ଲାଗି ଉପସ୍ଥାପନ କରାଯିବ। ପୁରୁଣା ଆଇନ ଗୁଡ଼ିକୁ ପ୍ରତ୍ୟାହାର ଲାଗି ଦି ରିପିଲିଂ ଆଣ୍ଡ ଆମେଣ୍ଡିଂ ବିଧେୟକ ୨୦୨୨, ଯୌଥ କମିଟିରେ ବିଚାରଧୀନ ଜଙ୍ଗଲ ଆଇନ ସଂଶୋଧନ ବିଧେୟକ ୨୦୨୩ ଏବଂ ମଧ୍ୟସ୍ଥତା ବିଧେୟକ ୨୦୨୧ ଆଦି ମଧ୍ୟ ତାଲିକାରେ ରହିଛି। ନୂଆ ୨୧ଟି ବିଧେୟକ ମଧ୍ୟରେ ରାଷ୍ଟ୍ରୀୟ ରାଜଧାନୀକ୍ଷେତ୍ର ଦିଲ୍ଲୀ ଆଇନ ସଂଶୋଧନ ବିଧେୟକ ୨୦୨୩ ସଂସଦର ମଞ୍ଜୁରୀ ଲାଗି ତାଲିକାଭୁକ୍ତ ହୋଇଛି। କେନ୍ଦ୍ର ଏବଂ ଦିଲ୍ଲୀ ସରକାରଙ୍କ ମଧ୍ୟରେ କ୍ଷମତା ବଣ୍ଟନକୁ ନେଇ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଗତ ମେ ୧୧ ଆଦେଶନାମା ପରିପ୍ରେକ୍ଷୀରେ ମୋଦୀ ସରକାର ଅଧ୍ୟାଦେଶ ଆଣିଥିଲେ। ଏଣୁ ଆଗାମୀ ମୌସୁମୀ ଅଧିବେଶନ କାଳରେ ରାଷ୍ଟ୍ରୀୟ ରାଜଧାନୀ କ୍ଷେତ୍ର ଦିଲ୍ଳୀ ଆଇନ ସଂଶୋଧନ ବିଧେୟକକୁ ସଂସଦରେ ପାରିତ ଲାଗି କେନ୍ଦ୍ର ସରକାର ପ୍ରଚେଷ୍ଟା କରିବେ। ଅନ୍ୟ ନୂତନ ବିଧେୟକ ମଧ୍ୟରେ ଭାରତୀୟ ଡାକ କାର୍ଯ୍ୟାଳୟ ଆଇନ ୧୮୯୮କୁ ପରିବର୍ତ୍ତନ କରି ଡାକସେବା ବିଧେୟକ, ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟ ସ୍ଥାପନ ଲାଗି ଜାତୀୟ ସମବାୟ ବିଶ୍ୱବିଦ୍ୟାଳୟ ବିଧେୟକ, ଡିଜିଟାଲ ପର୍ସନାଲ ଡାଟା ପ୍ରୋଟେକ୍ସନ ବିଧେୟକ, ପୁରାତତ୍ନ୍‌‌ ଆଇନ ସଂଶୋଧନ ବିଧେୟକ, ଆନ୍ତର୍ଜାତିକ ମୁଦ୍ରାପାଣ୍ଠି ଓ ବ୍ୟାଙ୍କ ବିଧେୟକ, ପ୍ରୋଭିଜିନାଲ କଲେକ୍ସନ ଅଫ ଟ୍ୟାକ୍ସ ବିଧେୟକ, ରାଷ୍ଟ୍ରୀୟ ଦନ୍ତ ଆୟୋଗ ବିଧେୟକ, ଜାତୀୟ ନର୍ସର୍ିଂ ଆୟୋଗ ବିଧେୟକ, ଡ୍ରଗ୍ସ ମେଡିକାଲ ଯନ୍ତ୍ରାଂଶ ବିଧେୟକ, ଜନ୍ମମୃତ୍ୟୁ ପଞ୍ଜୀକରଣ ଆଇନ ସଂଶୋଧନ ବିଧେୟକ, ଜାମ୍ମୁ ଓ କାଶ୍ମୀର ସଂରକ୍ଷଣ ଆଇନ ସଂଶୋଧନ ବିଧେୟକ, ସିନେମାଟୋଗ୍ରାଫି ଆଇନ ସଂଶୋଧନ ବିଧେୟକ, ପ୍ରେସ ଆଣ୍ଡ ରେଜିଷ୍ଟ୍ରେସନ ବିଧେୟକ, ଆଡ଼ଭୋକେଟ ଆଇନ ସଂଶୋଧନ ବିଧେୟକ, ଖଣି ଓ ଖଣିଜ ବିକାଶ ଏବଂ ନିୟନ୍ତ୍ରଣ ବିଧେୟକ, ଭାରତୀୟ ରେଳବୋର୍ଡ ଆଇନ ୧୯୦୫ ସଂଶୋଧନ ବିଧେୟକ, ନ୍ୟାସନାଲ ରିସର୍ଚ୍ଚ ଫାଉଣ୍ଡେସନ ବିଧେୟକ, ଜାମ୍ମୁ ଓ କାଶ୍ମୀର ଅନସୂଚିତ ଜାତି ସଂଶୋଧନ ବିଧେୟକ, ଛତିଶଗଡ଼ ଅନସୂଚିତ ଜାତି ସଂଶୋଧନ ବିଧେୟକ ଏବଂ ଜାମ୍ମୁ ଓ କାଶ୍ମୀର ଅନସୂଚିତ ଜନଜାତି ସଂଶୋଧନ ବିଧେୟକ ରହିଛି। ରାଜ୍ୟସଭା ସଚିବାଳୟ ସୂଚନା ଅନୁଯାୟୀ ଗୃହରେ ସମୁଦାୟ ୨୬ଟି ବିଧେୟକ ମଞ୍ଜୁରୀ ଅପେକ୍ଷାରେ ରହିଛି। ସେଥିରେ ଅନ୍ତରାଜ୍ୟ ଜଳବିବାଦ ବିଧେୟକ ୨୦୧୯, ରାଜସ୍ଥାନ ଏବଂ ଆସାମ ବିଧାନ ପରିଷଦ ଗଠନ ବିଧେୟକ ୨୦୧୩ ସମେତ ଆସାମ, ଛତିଶଗଡ଼ ଓ ହିମାଚଳ ରାଜ୍ୟର ଅନୁସୂଚିତ ଜନଜାତି ସଂଶୋଧନ ବିଧେୟକ ଅନ୍ତର୍ଭୁକ୍ତ।

ମୌସୁମୀ ଅଧିବେଶନକାଳରେ କେନ୍ଦ୍ର ସରକାରଙ୍କ ତାଲିକାରେ ବହୁ ପ୍ରତିକ୍ଷିତ ଓଡ଼ିଶା ଅନୁସୂଚିତ ଜନଜାତି ସଂଶୋଧନ ବିଧେୟକ ସ୍ଥାନ ପାଇପାରିନାହିଁ। ରାଜ୍ୟର ୧୬୯ଟି ଜାତିକୁ ଅନୁସୂଚିତ ଜନଜାତି ତାଲିକାରେ ସାମିଲ କରିବାକୁ ୧୯୭୮ରୁ ଓଡ଼ିଶା ସରକାର କେନ୍ଦ୍ରକୁ ପ୍ରସ୍ତାବ ଦେଇଆସୁଛନ୍ତି। ମୌସୁମୀ ଅଧିବେଶନ କାଳରେ ଜାମ୍ମୁ ଓ କାଶ୍ମୀର ଅନୁସୂଚିତ ଜନଜାତି ସଂଶୋଧନ ବିଧେୟକ ଉପସ୍ଥାପନ କରିବାକୁ ତାଲିକାଭୁକ୍ତ କରିଥିବା ବେଳେ ଓଡ଼ିଶାର ନ୍ୟାର୍ଯ୍ୟ ଦାବିକୁ କେନ୍ଦ୍ର ସରକାର ଏଡ଼ାଇ ଯାଇଛନ୍ତି। ସେହିପରି ହୋ, ଭୂମିଜ ଓ ମୁଣ୍ଡାରୀ ଆଦି ତିନୋଟି ଜନଜାତି ଭାଷାକୁ ଭାରତୀୟ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସାମିଲ ଏବଂ ରାଜ୍ୟରେ ବିଧାନ ପରିଷଦ ଗଠନ ଲାଗି ପୂର୍ବରୁ ଓଡ଼ିଶା ସରକାର ପ୍ରସ୍ତାବ ଦେଇଛନ୍ତି। ବିଜେଡି କ୍ରମାଗତ ଭାବେ ମହିଳା ସଂରକ୍ଷଣ ବିଧେୟକ ପାରିତ ପାଇଁ ଦାବି କରିଆସୁଛି। ଏସବୁ ପ୍ରସଙ୍ଗରେ କୌଣସି ବିଧେୟକ ମୌସୁମୀ ଅଧିବେଶନ କାଳରେ ସଂସଦରେ ଉପସ୍ଥାପନ ଲାଗି ତାଲିକାଭୁକ୍ତ ହୋଇନାହିଁ।

Comments are closed.