ମାଙ୍କଡ଼ ଆକ୍ରମଣରେ ଶତାଧିକ ଆହତ, ଅଭିଯୋଗ ପରେ ମଧ୍ୟ ବନ ବିଭାଗ ବିଫଳ

ବେଗୁନିଆ : ବେଗୁନିଆ ବ୍ଲକ ବୋତଳମା ପଞ୍ଚାୟତ ଅନ୍ତର୍ଗତ ଆଖୁପଦର ଗ୍ରାମରେ ଗତ ୩ ବର୍ଷ ହେବ ଏକ ମାଙ୍କଡ଼ ସ୍ଥାନୀୟ ଅଞ୍ଚଳରେ ରହି ଉପଦ୍ରବ କରିବା ସହିତ ବିଭିନ୍ନ ସମୟରେ ଲୋକମାନଙ୍କୁ ଆକ୍ରମଣ କରି ଆହତ କରୁଛି। ଲୋକମାନେ ତା’ ଭୟରେ ରାସ୍ତାରେ ଯିବା ଆସିବା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଏସଂକ୍ରାନ୍ତରେ ସ୍ଥାନୀୟ ଲୋକମାନେ ବନବିଭାଗକୁ ବାରମ୍ବାର ଅଭିଯୋଗ କରିବା ପରେ ବନ ବିଭାଗ କର୍ମଚାରୀମାନେ ଗତବର୍ଷ ଏଠାକୁ ଆସି ବୁଲି ଫେରିଯାଇ ଥିଲେ । ହେଲେ ମାଙ୍କଡ଼କୁ ଧରି ପାରି ନ ଥିଲେ। ଏବେ ପୁନଶ୍ଚ ତାର ଉପଦ୍ରବ ଅଧିକ ହେବାରୁ ସ୍ଥାନୀୟ ଅଧିବାସୀଙ୍କ ଅଭିଯୋଗ କ୍ରମେ ବନ ବିଭାଗ କର୍ମଚାରୀମାନେ ଆସି ମାଙ୍କଡ଼କୁ ଦେଖିଥିଲେ ମଧ୍ୟ ଧରି ନ ପାରି ବିଫଳ ହୋଇ ଫେରି ଯାଇଥିଲେ । ମାଙ୍କଡ଼ ଆକ୍ରମଣରେ ସ୍ଥାନୀୟ ଅଧିବାସୀ ଗଦାଧର ପାଢ଼ୀ, ଆଖୁପଦର ଗ୍ରାମର ଗ୍ରାମଦେବତୀଙ୍କ ପୂଜକ ପୂର୍ଣ୍ଣଚନ୍ଦ୍ର ପଣ୍ଡା, ବିକାଶ କୁମାର ସାହୁ, ଘନଶ୍ୟାମ ପାଣି, ଦୀନବନ୍ଧୁ ଜେନା ଏବଂ ସୁବାଷ ଚନ୍ଦ୍ର ବେହେରା ପ୍ରମୁଖଙ୍କ ସହିତ ବହୁ ବାଟୋଇ ଆହତ ହୋଇଥିବାର ଜଣାପଡିଛି। ଏପରିକି ଏହି ଘଟଣା ପ୍ରଘଟ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ଫଳରେ ରାସ୍ତାରେ ଲୋକମାନେ ଯିବା ଆସିବା କରିବା ପାଇଁ ଭୟ କରୁଛନ୍ତି । ମାଙ୍କଡଟି ଗଛରେ ଛପି ରହି ବାଟରେ ଯାଉଥିବା ଲୋକମାନଙ୍କୁ ଅତର୍କିତ ଭାବରେ ଆକ୍ରମଣ କରୁଛି।ଲୋକମାନେ ଦିନରେ ରାସ୍ତାରେ ଯିବା ଆସିବା କରିବା ପାଇଁ ମଧ୍ୟ ଭୟ କରୁଛନ୍ତି । ଆଜି ବେଗୁନିଆରେ ଥିବା ଫରେଷ୍ଟରଙ୍କୁ ଫୋନ କରିଥିଲେ ମଧ୍ୟ ସେ ଏଥିପ୍ରତି କର୍ଣ୍ଣପାତ କରିନଥିଲେ କି ଘଟଣାସ୍ଥଳକୁ ଆସିନଥିଲେ। ମାଙ୍କଡ଼ ଟିକୁ ଶୀଘ୍ର ଧରିବା ପାଇଁ ସ୍ଥାନୀୟ ଅଧିବାସୀମାନେ ଦାବି କରିଛନ୍ତି ।

Comments are closed.