ନାବାଳିକାକୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗ, ଯୁବକ ଗିରଫ
ମୋହନା: ଗଜପତି ଜିଲା ମୋହନା ଥାନା ଅଞ୍ଚଳର ଜଣେ କଲେଜ ପଢୁଆ ନାବାଳିକା ଛାତ୍ରୀଙ୍କୁ ଅପହରଣ ଏବଂ ଦୁଷ୍କର୍ମ ଅଭିଯୋଗରେ ମୋହନା ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ଗିରଫ ଯୁବକ ଜଣକ ହେଲେ ଅଡବା ଥାନା ଅନ୍ତର୍ଗତ କାଟ୍ରାକା ଗ୍ରାମର ସାମନ୍ତ ନାୟକ (୨୭)। ମୋହନା ଥାନା ଦାରିଆମ୍ବ ଗ୍ରାମର ଜଣେ ନାବାଳିକା ଛାତ୍ରୀ ସହ ସାମନ୍ତଙ୍କ ପ୍ରେମ ସମ୍ପର୍କ ରହିଥିଲା। ନାବାଳିକା ଜଣକୁ କଲେଜରେ ପାଠ ପଢ଼ିବା ପାଇଁ ସେ ନାମ ଲେଖାଇଦେଇଥିଲେ ଓ ଆର୍ଥିକ ସହାୟତା ବି କରିଥିଲେ। ଏହାପରେ ଗତ ୨୧ /୬/୨୨ରେ ସାମନ୍ତ ସମ୍ପୃକ୍ତ ନାବାଳିକାଙ୍କୁ ନେଇ ପ୍ରଥମେ ଉତ୍ତରପ୍ରଦେଶ, ମୁମ୍ବାଇ ଏବଂ ଶେଷରେ ତେଲେଙ୍ଗାନାକୁ ନେଇ ବିଭିନ୍ନ ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲା।
ନାବାଳିକା ଜଣକ ଗର୍ଭବତୀ ହେବାପରେ ତାର ଗର୍ଭପାତ ମଧ୍ୟ କରାଇଥିଲା। ଅନ୍ୟପଟେ ନାବାଳିକା ଜଣକ ନିଖୋଜ ଥିବା ନେଇ ଘର ଲୋକେ ମୋହନା ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ତଦନ୍ତ ମଧ୍ୟ ଚଳାଇଥିଲା। ଗତ ମାର୍ଚ୍ଚ ମାସରେ ଯୁକ୍ତଦୁଇ ପରୀକ୍ଷା ଦେବାପାଇଁ ନାବାଳିକା ଜଣକ ମୋହନା ଆସିଥିବା ବେଳେ ତାକୁ ପୁଲିସ ଉଦ୍ଧାର କରିବା ସହ ପଚରାଉଚରା କରିଥିଲା। ଫଳରେ ସମସ୍ତ ଘଟଣା ସାମ୍ନାକୁ ଆସିଥିଲା । ତା ପର ଠାରୁ ପୁଲିସ ଅଭିଯୁକ୍ତକୁ ଧରିବା ପାଇଁ ଉଦ୍ୟମ କରୁଥିଲା। ରବିବାର ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀଙ୍କ ନେତୃତ୍ୱରେ ଏକ ଟିମ୍ କର୍ଚ୍ଚବାଡ଼ି ଗ୍ରାମରେ ଚଢ଼ାଉ କରି ଅଭିଯୁକ୍ତ ଯୁବକ ସାମନ୍ତ ନାୟକଙ୍କୁ ଗିରଫ କରିଥିଲେ। ଅଭିଯୁକ୍ତର ଡାକ୍ତରୀ ମାଇନା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ମୋହନା ଥାନା ଅଧିକାରୀ ସୂଚନା ଦେଇଛନ୍ତି।
Comments are closed.