ସହର ମୋଦି ମାନିଆ
କଟକ: ପ୍ରଧାନମନ୍ତ୍ରୀଙ୍କ ସଭା ପାଇଁ ଐତିହାସିକ କଟକ ସହର ନୂଆ ରୂପରେ ସଜେଇ ହୋଇଛି। ମହାନଦୀ ରିଂବନ୍ଧ ସମେତ ସହରର ଜନଗହଳିପୂର୍ଣ୍ଣ ସ୍ଥାନରେ ମୋଦିଙ୍କ ହୋର୍ଡିଂ ଛାଇ ହୋଇଯାଇଛି। ସହର ଏକପ୍ରକାର ଗେରୁଆ ହୋଇଛି। କିଲା ପଡିଆର ଚତୁଃପାର୍ଶ୍ବ ସହିତ ବିଭନ୍ନ ସ୍ଥାନରେ ବିଜେପି ଦଳର ପୋଷ୍ଟର ଓ ବ୍ୟାନର ଲଗାଯାଇଛି। ଏଥିସହିତ ୮ଟିରୁ ଊର୍ଦ୍ଧ୍ବ ପ୍ରଚାର ଗାଡି ବି ସହର ସାରା ଘୂରିବୁଲୁଛି। ସ୍ୱାଗତ କରିବା ପାଇଁ ଦଳ ପକ୍ଷରୁ ମୋଦିଙ୍କ ୨୫ଫୁଟ ଉଚ୍ଚତାର କଟଆଉଟ ଲାଗାଯାଇଛି। ପଡ଼ିଆ ବାହାରେ ଓ ଭିତରେ ବିଭିନ୍ନ ସ୍ଥାନରେ ମୋଦିଙ୍କର ପାଞ୍ଚରୁ ଊର୍ଦ୍ଧ୍ବ କଟଆଉଟ ଲାଗିଛି। ଯାହାକୁ ଦେଖିବା ପାଇଁ ଲୋକଙ୍କ ଭିଡ଼ ଜମୁଛି। ଏଥିସହ ଅସ୍ଥାୟୀ ଟେଣ୍ଟ ଉପରେ ବିଶାଳ ଦଳୀୟ ଚିହ୍ନ ପଦ୍ମ ଫୁଲ ଚିତ୍ର ଥିବା ବେଲୁନ୍ ଉଡୁଛି।
ଓଡ଼ିଆ ରୀତିରେ ନିମନ୍ତ୍ରଣ
ମୋଦିଙ୍କ ଗସ୍ତକୁ ସଫଳ କରିବା ପାଇଁ ବିଜେପି କର୍ମୀ ଓ ନେତା ଦିନରାତି ଏକ କରିଦେଇଛନ୍ତି। ସଭାରେ କିପରି ଅଧିକ ସଂଖ୍ୟକ ଲୋକ ଉପସ୍ଥିତ ରହିବେ ସେଥିପାଇଁ ବିଜେପି ପକ୍ଷରୁ ନୂଆ କୌଶଳ ଗ୍ରହଣ କରାଯାଇଛି। ବିଜେପି ମହିଳା ମୋର୍ଚ୍ଚାର କାର୍ୟ୍ୟକର୍ତ୍ତା ଘରକୁ ଘର ବୁଲି ମୋଦିଙ୍କ ଜନସଭାରେ ଯୋଗଦେବା ପାଇଁ ନିମନ୍ତ୍ରଣ କରୁଛନ୍ତି। ଅରୁଆ ଚାଉଳ ଓ ଗୁଆ ଦେଇ ଓଡ଼ିଆ ରୀତିନୀତିରେ ପ୍ରଧାନମନ୍ତ୍ରୀଙ୍କ ସଭାକୁ ଆସିବାକୁ ଲୋକଙ୍କୁ ନିମନ୍ତ୍ରଣ କରୁଥିବା ଦେଖିବାକୁ ମିଳିଥିଲା।
ଭଙ୍ଗାଗଲା ସଭା ମଞ୍ଚ
ମୋଦିଙ୍କ ପାଇଁ ନିର୍ମାଣ ହୋଇଥିବା ସଭା ସ୍ଥଳକୁ ବଢାଯାଇଛି। ଏଥିପାଇଁ ଆଜି ପୂର୍ବରୁ ତିଆରି ହୋଇଥିବା ସଭା ମଞ୍ଚକୁ ଭଙ୍ଗାଯାଇ ବଢାଯାଇଥିଲା। ମଞ୍ଚରେ ଯେମିତି ମୋଦିଙ୍କୁ ଲୋକେ ଦେଖିପାରିବେ ସେଥିପାଇଁ ମଞ୍ଚକୁ ବଢାଯାଇଛି। ମୁଖ୍ୟ ମଞ୍ଚ ନିକଟରେ ମଧ୍ୟ ସ୍ଥାନୀୟ ନେତୃତ୍ୱଙ୍କ ପାଇଁ ଦୁଇଗୋଟି ମଞ୍ଚ ପ୍ରସ୍ତୁତ କରାଯାଇଛି। ସ୍ୱତନ୍ତ୍ର ସୁରକ୍ଷା କର୍ମଚାରୀ ସଭା ସ୍ଥଳ ବୁଲିବା ସହ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି।
ଦହିବରା ବେପାର ବନ୍ଦ
ବାରବାଟୀ ଷ୍ଟାଡ଼ିୟମ ନିକଟରେ ପ୍ରତିଦିନ ସକାଳୁ ସନ୍ଧ୍ୟା ପର୍ୟ୍ୟନ୍ତ ବିକ୍ରୟ କରାଯାଉଥିବା ଦହିବରା ଦୋକାନଗୁଡିକୁ ସୁରକ୍ଷା ଦୃଷ୍ଟିରୁ ବନ୍ଦ ରଖାଯାଇଛି। ସଭାସ୍ଥଳ ନିକଟରେ ଥିବା ଗୁପ୍ଚୁପ୍, ଆଇସ୍କ୍ରିମ୍ ଠେଲାଗାଡ଼ି ସହ ସମସ୍ତ ଦୋକାନ ବନ୍ଦ କରାଯାଇଛି। ଯାହାଦ୍ୱାରା ଚଟ୍ପଟା ଖାଦ୍ୟ ଖାଇବା ପାଇଁ ଖାଇବାକୁ ଆସୁଥିବା କଟକିଆମାନେ ନିରାଶ ହୋଇ ଫେରୁଛନ୍ତି। ଦଳୀୟ ଅସ୍ଥାୟୀ କାର୍ୟ୍ୟାଳୟରେ ଥିବା ବରିଷ୍ଠ ବିଜେପି ନେତାଙ୍କ ପାଇଁ ବିଡ଼ାନାସୀରୁ ସ୍ୱତନ୍ତ୍ର ଦହିବରା ଆସିଥିଲା।
ଆଧୁନିକ ଢ଼ାଞ୍ଚାରେ ପ୍ରଚାର
ମୋଦି ସରକାରଙ୍କ ବିଭିନ୍ନ ଯୋଜନା ଓ ସଫଳତାର ଗାଥା ପ୍ରଚାର କରି ମୋଦିଙ୍କ ଜନସଭାକୁ ଆସିବା ପାଇଁ ଦଳ ପକ୍ଷରୁ ପ୍ରଚାର କରାଯାଇଛି। ପ୍ରଚାର ଗାଡ଼ିରେ ବଡ଼ ଏଲଇଡ଼ି ସାହଯ୍ୟରେ ଦଳ ପକ୍ଷରୁ ପ୍ରସ୍ତୁତ ଭିଡ଼ିଓକୁ ପରିବେଷଣ କରାଯାଉଛି। ପ୍ରଚାର କାର୍ୟ୍ୟରେ ମୋଟ ୮ଟି ଗାଡ଼ି ସହରରେ ଘୂରି ବୁଲୁଛନ୍ତି। ବିଜେପି ଦଳର ନେତା ଓ କର୍ମୀମାନେ ଦଳର ସର୍ବୋଚ୍ଚ ନେତା ଆସୁଥିବାରୁ ସୋସିଆଲ ମଡ଼ିଆରେ ପୋଷ୍ଟ କରିବାରେ ଲାଗିଛନ୍ତି।
୧୦୦କିଲୋମିଟର ପବନକୁ ରୋକିବ ଅସ୍ଥାୟୀ ଟେଣ୍ଟ
ମୋଦିଙ୍କ ସଭା ପାଇଁ ଅସ୍ଥାୟୀ ମଣ୍ଡପ ନିର୍ମାଣ କରାଯାଇଛି। ଏହି ମଣ୍ଡପ ନିର୍ମାଣ କରିବା ପାଇଁ ସୁଦୂର ହରିୟାଣାରୁ ଆସିଛି ବିଭିନ୍ନ ସାମଗ୍ରୀ। କାରିଗର ବି ସେଠାରୁ ଆସିଛନ୍ତି। ସଭାସ୍ଥଳ ସମ୍ପୂର୍ଣ୍ଣ ଲୁହାରେ ପ୍ରସ୍ତୁତ ହୋଇଛି। ଏହି ମଣ୍ଡପ ୧୦୦କିଲୋମିଟର ପବନ ହେଲେ ବି କିଛି କ୍ଷତି କରିପାରିବ ନାହିଁ।
ଦିନରେ ମକ୍ ଡ୍ରିଲ୍
ଦିନରେ କ୍ୟାରକେଟ ସହ ମକ୍ ଡ଼୍ରିଲ ଅପରାହ୍ଣ ୧.୩୦ରେ କରାଯାଇଥିଲା। ଏହି ମକ୍ ଡ୍ରିଲ୍ରେ ଆସନ୍ତାକାଲି କିଭଳି ମୋଦି ଆସିବେ ସେନେଇ ପ୍ରସ୍ତୁତି କରାଯାଇଥିଲା।
ବ୍ୟାପକ ସୁରକ୍ଷା ବ୍ୟବସ୍ଥା
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରୁଖୁରୁରେ ଶେଷ କରିବା ପାଇଁ ଉଭୟ କମିସନରେଟ ଓ ଜିଲା ପୁଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଉଭୟ ପଡ଼ିଆ ଓ ପଡ଼ିଆ ବାହାରେ ୬୫ପ୍ଲାଟୁନ୍ ଫୋର୍ସ ମୁତୟନ କରାଯିବାକୁ ବ୍ୟବସ୍ଥା କରାଯାଇଛି। ଜଣେ ଅତିରିକ୍ତ ପୁଲିସ କମିସନର ସହିତ ୩ଜଣ ଡିସିପି (ଉଭୟ ପୁଲିସ ଓ ଟ୍ରାଫିକ୍) ୪ଜଣ ଅତିରିକ୍ତ ଡିସିପି,୩ଜଣ କମାଣ୍ଡାଣ୍ଟ, ୬ଜଣ ଡେପୁଟି କମାଣ୍ଡାଣ୍ଟ, ୧୦ ଅତିରିକ୍ତ କମାଣ୍ଡାଣ୍ଟ, ୧୪ଜଣ ଡିଏସପି/ଏସିପି, ୩୧ଜଣ ଇନ୍ସପେକ୍ଟର(ଉଭୟ କମିଶନରେଟ/ଜିଲା), ୧୧୯ଜଣ ଏସଆଇ ଓ ଏଏସଆଇ(କମିଶନରେଟ/ଜିଲା), ୧୨୦ଜଣ କନେଷ୍ଟବଳ(କମିଶନରେଟ), ୧୭୪ଜଣ କନେଷ୍ଟବଳ(ଜିଲା), ଦୁଇ ପଡ଼ିଆ ଏବଂ ଏହାର ଆଖପାଖ ଅଞ୍ଚଳରେ ୪ ୟୁନିଟ୍ ଏସଓଜି ଯବାନ, ୨ୟୁନିଟ୍ କୁଇକ୍ ରିଆକ୍ସନ୍ ଟିମ୍, ୩ ୟୁନିଟ୍ ଆଣ୍ଟି ଟେରରିଷ୍ଟ୍ ସ୍କ୍ୱାଡ, ୨ୟନିଟ୍ ବୋମା ନିଷ୍କିୟକାରୀ ଦଳ, ସ୍ପେଶାଲ ସ୍କ୍ୱାଡଙ୍କୁ ରାତ୍ରିରୁ ନିୟୋଜିତ କରାଯାଇଛି। ସହରରେ ବିଭିନ୍ନ ପ୍ରବେଶ ଦ୍ୱାରରେ ବନ୍ଧୁକଧାରୀ ପୁଲିସ ମୁତୟନ କରାଯିବା ସହିତ ଯା’ଆସ କରୁଥିବା ଯାନବାହନ ଓ ଲୋକଙ୍କୁ ଅଟକା ଯାଇ ଯାଞ୍ଚ କରାଯିବା ପରେ ଯିବାକୁ ଅନୁମତି ଦିଆଯାଉଛି।
୨୦ଟାଙ୍କି, ୯ କଣ୍ଟେନର , ୪ଟ୍ୟାଙ୍କର
ପ୍ରଧାନମନ୍ତ୍ରୀଙ୍କ ସଭାରେ ଜନସମାଗମକୁ ଦୃଷ୍ଟିରେ ରଖି ପ୍ରୋଟୋକଲ ଅନୁଯାୟୀ ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି। ପାନୀୟ ଜଳ ପାଇଁ ଯେଭଳି କୌଣସି ପ୍ରକାର ସମସ୍ୟା ନ ଉପୁଜେ ସେଥିପାଇଁ ଉଭୟ ଉପର ଓ ତଳ ବାଲିଯାତ୍ରା ପଡ଼ିଆ ସହିିତ ସନ୍ନିକଟ ଅଞ୍ଚଳରେ ପାନୀୟ ଜଳ ଯୋଗାଣର ବ୍ୟବସ୍ଥା କରାଯାଇଛି। ମୋଟ ୨୦ଟି ପ୍ଲାଷ୍ଟିକ ଟାଙ୍କି, ୯ଟି କଣ୍ଟେନର, ୪ଟା ଟ୍ୟାଙ୍କର ମହଜୁଦ ରଖାଯାଇଛି। ଏହି ବ୍ୟବସ୍ଥା ମଧ୍ୟରୁ ଉପର ବାଲିଯାତ୍ରା ପଡ଼ିଆରେ ୩ଟି ପ୍ଲାଷ୍ଟିକ୍ ଟାଙ୍କି ସହିତ ୨ଟା କଣ୍ଟେନର ମହଜୁଦ ରଖାଯାଇଛି। ଉପର ପଡ଼ିଆରେ ୧୭ଟି ପ୍ଲାଷ୍ଟିକ ଟାଙ୍କି, ୭ଟା କଣ୍ଟେନର ଓ ୩ଟି ଟ୍ୟାଙ୍କର ପ୍ରସ୍ତୁତ କରି ରଖାଯାଇଛି। ଆବଶ୍ୟକସ୍ଥଳେ ଅଧିକ ସଂଖ୍ୟକ ଟ୍ୟାଙ୍କର ଯୋଗାଇ ଦିଆଯିବ ବୋଲି କଟକ ମଣ୍ଡର ଅଧିକ୍ଷଣ ଯନ୍ତ୍ରୀ ହାଡ଼ିବନ୍ଧୁ ବେହେରା ସୂଚନା ଦେଇଛନ୍ତି।
ମୋଦିଙ୍କ ପାଇଁ ଗୋପବନ୍ଧୁଙ୍କୁ ଭୁଲିଗଲେ
ବାରବାଟୀ ଷ୍ଟାଡିୟମ ନିକଟରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ପ୍ରତିଦିନ ସକାଳେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥାଏ। ମୋଦିଙ୍କ ସଭା ପାଇଁ ବିଜେପି ପକ୍ଷରୁ ଚାରିଆଡେ ଦଳର କଟଆଉଟ ଓ ବ୍ୟାନର ଲଗାଯାଇଛି। ଚାରିଆଡେ ବ୍ୟାନର କଟଆଉଟ ଲଗା ଯାଇଥିବାବେଳେ ଦଳୀୟ ନେତା ଓ କର୍ମୀ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିକୁ ବି ସେଥିରୁ ବାଦ୍ ଦେଇନାହାନ୍ତି। ଚାରିପାଖରେ କଟଆଉଟ ଲାଗିଥିବାରୁ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଦେଖିହେଉନି। ଦଳୀୟ ନେତା ଓ କର୍ମୀଙ୍କ ମହାପୁରୁଷଙ୍କ ପ୍ରତି ଏଭଳି ଅସମ୍ମାନ ପ୍ରଦର୍ଶନକୁ ବୁଦ୍ଧିଜୀବୀ ନିନ୍ଦା କରିଛନ୍ତି।
କେଭିଙ୍କ ବୁଲେଟ୍ ରାଜ
ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ଏକ ବାଇକ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା। ଏହି ଶୋଭାଯାତ୍ରାରେ ଶ୍ରୀ ସିଂହଦେଓ ବୁଲେଟ୍ ଚଲାଇ ମୋଦିଙ୍କ ସଭାରେ ଜନତା ଯୋଗଦେବା ପାଇଁ ନିବେଦନ କରିଥିଲେ। କେଭିଙ୍କ ବୁଲେଟ ପଛରେ ପୂର୍ବତନମନ୍ତ୍ରୀ ସମୀରେ ଦେ ବଶିଥିଲେ। କେଭି ବାଇକ ଚାଳନାକୁ ବିଜେପି ସମର୍ଥକ ଓ କର୍ମୀଙ୍କୁ ବେଶ ଉତ୍ସାହିତ କରିଥିଲା।