‘ମୋ ବସ୍’ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଉଛି ; ବାର୍ଷିକ ଉତ୍ସବରେ ବସରେ ଯାତ୍ରା କଲେ ନବୀନ
ଅନ୍ୟ ଯାତ୍ରୀଙ୍କ ସହିତ ସେଲଫି ନେଇ ସେମାନଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର : ‘ମୋ ବସ୍’ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି । ଏହା ଏକ ମଡେଲ ଟ୍ରାନ୍ସପୋର୍ଟ ସର୍ଭିସ ଭାବରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି। ବୁଧବାର ‘ମୋ ବସ୍’ର ବାର୍ଷିକ ଉତ୍ସବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋ ବସ୍ରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଜୟଦେବ ଭବନ ଅଭିମୁଖେ ଯାତ୍ରା କରିଥିଲେ। ବସ୍ ଭିତରେ ନବୀନ ଜଣେ ସାଧାରଣ ଯାତ୍ରୀଙ୍କ ଭଳି ଟିକଟ କାଟି ଯାତ୍ରା କରିଥିଲେ। ଅନ୍ୟ ଯାତ୍ରୀଙ୍କ ସହିତ ସେଲଫି ନେଇ ସେମାନଙ୍କ ସହ କଥା ହୋଇଥିଲେ।
ଏ ଅବସରରେ ନବୀନ କହିଛନ୍ତି, ମୁଁ ବହୁତ ଖୁସି ଯେ “ମୋ ବସ୍” ସେବା ଆଜି ଏକ ବର୍ଷ ପୂରଣ କରିଛି। ଲୋକଙ୍କ ଭରସା ହାସଲ କରିବା ସହ ଗୋଟିଏ ଦିନରେ ଏକ ଲକ୍ଷ ଲୋକଙ୍କୁ ସେବା ଯୋଗାଇବାରେ ସକ୍ଷମ ହୋଇପାରିଛି। ଏ ସଫଳତା ପାଇଁ ନବୀନ ଲୋକମାନଙ୍କୁ ବହୁତ ବହୁତ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।
ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସହରର କ୍ଷେତ୍ରଫଳ, ଜନସଂଖ୍ୟା ବଢିବାସହିତ ଟ୍ରାଫିକ ସମସ୍ୟା ଓ ପ୍ରଦୂଷଣ ମଧ୍ୟ ବୃଦ୍ଧି ପାଉଛି। ଅନ୍ୟାନ୍ୟ ଦେଶ ତୁଳନାରେ ଆମେ ଭଲ ସ୍ଥିତିରେ ରହିଛେ। ମାତ୍ର ଆମକୁ ବର୍ତ୍ତମାନ ପାଇଁ ଯୋଜନା ପ୍ରସ୍ତୁତ କରିବାକୁ ପଡ଼ିବ। ତେଣୁ ପରିବହନ ବ୍ୟବସ୍ଥାକୁ ମଜଭୁତ୍ କରିବାକୁ ପଡ଼ିବ। ସୁରକ୍ଷା ଯାତ୍ରା ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିବ। ମୋ ବସକୁ ଆମେ ଏକ ମଡେଲ ଟ୍ରାନ୍ସପୋର୍ଟ ସର୍ଭିସ ଭାବରେ ଗଢିପାରିଛୁ। ଆପଣମାନଙ୍କ ପାଇଁ ଏହା ହୋଇ ପାରିଛି। ମୋର ବିଶ୍ବାସ ଅଛି ଯେ, ଆମେ ଅନ୍ୟ ମେଟ୍ରା ସିଟି ତୁଳନାରେ ଭଲ ସେବା ଯୋଗାଇ ପାରିବା ।
Comments are closed.