Patra electronics

ଡାକ୍ତରଖାନାରୁ ଫେରିଲେ ମିଥୁନ, କହିଲେ- ଗାଳି କଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ଶନିବାର କଲକାତାର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବରିଷ୍ଠ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଡାକ୍ତରଖାନାରୁ ଡିସଚାର୍ଜ ହୋଇଛନ୍ତି। ବିଶେଷ ସୂତ୍ରରୁ ପ୍ରାପ୍ତ ଖବର ମୁତାବକ, ମିଥୁନଙ୍କୁ ସୋମବାର ଅପରାହ୍ନରେ ଡାକ୍ତରଖାନାରୁ ଡିସଚାର୍ଜ କରାଯାଇଛି। ମିଥୁନ ଦୃଢତାର କହିଛନ୍ତି ଯେ, ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ତାଙ୍କ ଆଗାମୀ ଚଳଚ୍ଚିତ୍ରଗୁଡ଼ିକର ସୁଟିଂ ପୁଣି ଆରମ୍ଭ କରିବେ। ମିଥୁନ କହିଛନ୍ତି, ‘‘ପ୍ରକୃତରେ କୌଣସି ସମସ୍ୟା ନାହିଁ, ମୁଁ ସମ୍ପୂର୍ଣ୍ଣ ଭଲ ଅଛି। ମୋତେ ମୋର ଖାଇବା ପିଇବାକୁ ନିୟନ୍ତ୍ରଣ କରିବାକୁ ପଡ଼ିବ। ଚାଲ ଦେଖିବା। ମୁଁ ଖୁବଶୀଘ୍ର କାମ ଆରମ୍ଭ କରିପାରେ, ବୋଧହୁଏ ଆସନ୍ତାକାଲିଠାରୁ।’’ ମିଥୁନ ପ୍ରକାଶ କରିଛନ୍ତି ଯେ, ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ଫୋନ୍‌ କରିଥିଲେ ଏବଂ ନିଜ ସ୍ୱାସ୍ଥ୍ୟର ଯତ୍ନ ନେଉ ନ ଥିବାରୁ ତାଙ୍କୁ ଗାଳି କରିଥିଲେ।

ସୂଚନାଯୋଗ୍ୟ, ମିଥୁନଙ୍କୁ ଡିସଚାର୍ଜ କରିବା ପୂର୍ବରୁ ଡାକ୍ତରଖାନା ପକ୍ଷରୁ ବିବୃତ୍ତିରେ କୁହାଯାଇଥିଲା ଯେ, ମିଥୁନଙ୍କ ମସ୍ତିଷ୍କର ଇସ୍‌କେମିକ୍ ସେରେବ୍ରୋଭାସ୍କୁଲାର ଆକ୍ସିଡେଣ୍ଟ୍‌ ଷ୍ଟ୍ରୋକ୍ ହୋଇଥିବା ଜଣାପଡ଼ିଛି। ବହୁ ବରିଷ୍ଠ ଡାକ୍ତର ଏବଂ ବିଶେଷଜ୍ଞ ମିଥୁନଙ୍କ ସ୍ୱାସ୍ଥ୍ୟ ଏବଂ ତାଙ୍କର ଏହି ଅବସ୍ଥାର ସମୀକ୍ଷା କରିଛନ୍ତି। ଜଣେ ବରିଷ୍ଠ ଅଧିକାରୀ କହିଥିଲେ ଯେ, ତାଙ୍କର ଏମଆରଆଇ ସମେତ ଅନ୍ୟାନ୍ୟ ଅନେକ ପରୀକ୍ଷା ମଧ୍ୟ କରାଯାଇଛି।

ଡାକ୍ତରଖାନା ପକ୍ଷରୁ ଆସିଥିବା ଶେଷ ଅପ୍‌ଡେଟ୍‌ରେ କୁହାଯାଇଛି, ‘‘ସେ ବେଶ୍‌ ଶୀଘ୍ର ସୁସ୍ଥ ହେଉଛନ୍ତି। ସମ୍ପୂର୍ଣ୍ଣ ସଚେତନ, ସୁସ୍ଥ ଓ ସକ୍ରିୟ ଅଛନ୍ତି। ଏଥିସହ ହାଲୁକା ଖାଦ୍ୟ ଖାଇଛନ୍ତି। ଡିସଚାର୍ଜ ପୂର୍ବରୁ ତାଙ୍କର କିଛି ପରୀକ୍ଷା ମଧ୍ୟ କରାଯାଇଥିଲା।’’

Comments are closed.