ସୋମବାର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣ, ଲୋକସେବା ସମ୍ମିଳନୀ କକ୍ଷରେ ପଦ ଓ ଗୋପନୀୟତାର ଶପଥ ନେବେ ନୂଆ ମନ୍ତ୍ରୀ
ଭୁବନେଶ୍ବର: ଆସନ୍ତାକାଲି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ। ଲୋକସେବା ଭବନ ସମ୍ମିଳନୀ କକ୍ଷରେ ନୂଆ ମନ୍ତ୍ରୀ ସକାଳ ୯.୫୦ରେ ଶପଥ ନେବେ। ଏ ନେଇ ମୁଖ୍ୟ ଶାସନ ସଚିବଙ୍କ ପକ୍ଷରୁ ସୂଚନା ଜାରି କରାଯାଇଛି।
ମିଳିଥିବା ସୂଚନା ଅନୁଯାୟୀ ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଲୋକସେବା ଭବନର ସମ୍ମିଳନୀ କକ୍ଷରେ ଶପଥ ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ନୂଆ ମନ୍ତ୍ରୀଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଶପଥପାଠ କରାଇବେ।
ସୋମବାର ନୂଆ ମନ୍ତ୍ରୀମାନଙ୍କ ପାଇଁ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ। ଲୋକସେବା ଭବନର କନଭେନସନ ସେଣ୍ଟରରେ ସୋମବାର ସକାଳ ୯ଟା ୫୦ରେ ଆୟୋଜିତ ହେବାକୁ ଥିବା ଉତ୍ସବରେ ନୂତନ ମନ୍ତ୍ରୀମାନେ ଶପଥ ନେବେ। ପ୍ରସ୍ତାବିତ କାର୍ୟ୍ୟକ୍ରମ ଅନୁସାରେ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ରାଜ୍ୟପାଳ ନୂତନ ମନ୍ତ୍ରୀମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇବେ। ମନ୍ତ୍ରିମଣ୍ଡଳରେ କେଉଁମାନେ ନୂଆ ମନ୍ତ୍ରୀ ଭାବେ ସ୍ଥାନ ପାଇବେ ସେ ସମ୍ପର୍କରେ ଏ ପର୍ୟ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ସ୍ପଷ୍ଟ କରାଯାଇନାହିଁ । କିନ୍ତୁ ଅନୌପଚାରିକ ସୂତ୍ରରୁ ମିଳିଥିବା ଖବର ଅନୁସାରେ ମନ୍ତ୍ରିମଣ୍ଡଳରେ ତିନିଟି ମନ୍ତ୍ରିପଦ ଖାଲିପଡ଼ିଥିବାରୁ ନୂତନ ଭାବେ ତିନି ଜଣ ହିଁ ମନ୍ତ୍ରୀ ଭାବେ ଶପଥ ନେବେ । ହୁଏତ ମନ୍ତ୍ରୀଙ୍କ ମଧ୍ୟରେ ବିଭାଗର ଅଦଳବଦଳ ହୋଇପାରେ, କିନ୍ତୁ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବାର ସମ୍ଭାବନା କମ ରହିଛି।
ଉଲ୍ଳେଖଯୋଗ୍ୟ ଯେ ଗତ ୧୨ତାରିଖରେ ଓଡ଼ିଶା ବିଧାନସଭା ବାଚସ୍ପତି ପଦରୁ ବିକ୍ରମକେଶରୀ ଆରୁଖ ଏବଂ ମନ୍ତ୍ରୀ ପଦରୁ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ଇସ୍ତଫା ଦେଇଥିଲେ । ବ୍ୟକ୍ତିଗତ କାରଣରୁ ଏବଂ ସାଙ୍ଗଠନିକ କାର୍ୟ୍ୟ ପାଇଁ ଇସ୍ତଫା ଦେଇଥିବା ସେମାନେ ଗଣମାଧ୍ୟମକୁ କହିଥିଲେ ।
ନୂଆମନ୍ତ୍ରୀଙ୍କ ଶପଥ ସମ୍ଭାବନା ନେଇ ଖବର ପଦାକୁ ଆସିବା ପରେ କେଉଁମାନଙ୍କୁ ମନ୍ତ୍ରିପଦ ମିଳିବ ଏବଂ କିଏ ହେବ ପରବର୍ତ୍ତୀ ବାଚସ୍ପତି ତାହାକୁ ନେଇ ଦଳ ଭିତରେ ଓ ବାହାରେ ଚର୍ଚ୍ଚା ଜୋର ଧରିଛି । ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କ୍ୟାବିନେଟ ପାହ୍ୟାରେ ଥିବା ନବ ଦାସଙ୍କ ହତ୍ୟା ଘଟଣା ପରେ ଏହି ପଦଟି ଖାଲିପଡ଼ିଛି । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ଦାୟିତ୍ୱ ତୁଲାଉଛନ୍ତି । ସେହିପରି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ସମୀର ଓ ଶ୍ରମ ମନ୍ତ୍ରୀ ପଦରୁ ଶ୍ରୀକାନ୍ତଙ୍କ ଇସ୍ତଫା ପରେ ଏ ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସାମୟିକ ଭାବେ ଦିଆଯାଇଛି । ନୂତନ ମନ୍ତ୍ରୀମାନେ ଶପଥ ନେବା ପରେ ବିଭାଗଗୁଡ଼ିକର ଅଦଳବଦଳ ହେବା ନେଇ ପ୍ରକ୍ରିୟା ଚାଲିଛି । କେଉଁମାନେ ନୂଆ ମନ୍ତ୍ରୀ ପଦ ପାଇବେ ସେ ନେଇ ଆପାତତଃ ସ୍ଥିର ହୋଇସାରିଥିଲେ ହେଁ ଘୋଷଣା ବାକି ରହିଛି । ମନ୍ତ୍ରିପଦ ଅଦଳବଦଳ ସହିତ ବିଭାଗ ପରିବର୍ତ୍ତନ ଏବଂ ସର୍ବୋପରି ବାଚସ୍ପତି ପଦରେ କାହାକୁ ଅବସ୍ଥାପିତ କରାଯିବ ସେ ନେଇ କିଛି ଦିନ ହେଲା ଦଳର ମୁଖ୍ୟ ବିଚାର ବିମର୍ଶ ଚଳାଇଥିଲେ।
ସୂଚନାଯୋଗ୍ୟ ଯେ, ଶେଷ ଥର ପାଇଁ ୨୦୨୨ ଜୁନ ୫ରେ ମନ୍ତ୍ରିମଣ୍ଡଳର ପୁନର୍ବିନ୍ୟାସ ହୋଇଥିଲା ଏବଂ ୨୧ ଜଣିଆ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ। ସୂର୍ୟ୍ୟନାରାୟଣ ପାତ୍ର ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ବିକ୍ରମକେଶରୀ ଆରୁଖ ନୂତନ ବାଚସ୍ପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। କିନ୍ତୁ ବର୍ଷେ ନପୂରୁଣୁ ବିଭିନ୍ନ କାରଣରୁ ତିନିଟି ମନ୍ତ୍ରୀ ପଦ ଖାଲି ହେବା ସହିତ ବାଚସ୍ପତି ପଦରୁ ବିକ୍ରମଙ୍କୁ ଇସ୍ତଫା ଦେବାକୁ ପଡ଼ିଛି। ପରବର୍ତ୍ତୀ ବାଚସ୍ପତି ପାଇଁ ୪ ବରିଷ୍ଠ ବିଧାୟକଙ୍କ ନାମ ଚର୍ଚ୍ଚାରେ ରହିଛି। ବିକ୍ରମଙ୍କୁ ମନ୍ତ୍ରିପଦ ସହିତ ଗଞ୍ଜାମର ସାଙ୍ଗଠନିକ ଦାୟିତ୍ୱ ମିଳିପାରେ କିମ୍ବା ଯଦି କେବଳ ସାଙ୍ଗଠନିକ ଦାୟିତ୍ୱ ଦିଆଯାଏ ତେବେ ଗଞ୍ଜାମରୁ ଅନ୍ୟ କାହାକୁ ମନ୍ତ୍ରିପଦ ମିଳିପାରେ ବୋଲି ଦଳୀୟ ମହଲରୁ ଶୁଣିବାକୁ ମିଳୁଛି। ଏହାଛଡ଼ା ୨୦୧୯ରୁ ଏ ପର୍ୟ୍ୟନ୍ତ ଅନୁଷ୍ଠିତ ଉପନିର୍ବାଚନଗୁଡ଼ିକରେ ମହିଳା ପ୍ରାର୍ଥୀଙ୍କ ବିଜୟ ହାର ଅଧିକ ଥିବାରୁ ମନ୍ତ୍ରିମଣ୍ଡଳରେ ମହିଳାଙ୍କ ପ୍ରତିନିଧିତ୍ୱକୁ ମଧ୍ୟ ଏଡ଼ାଇ ଦିଆଯାଇ ନପାରେ। ୨୦୨୪ ନିର୍ବାଚନକୁ ଯିବା ପୂର୍ବରୁ ନବୀନଙ୍କ ମନ୍ତ୍ରିମଣ୍ଡଳର ଏହା ଶେଷ ଅଦଳବଦଳ ବୋଲି ବିବେଚନା କରାଯାଉଛି ।
ଏବେ ହରିଆଣା ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଆଜି ଓଡ଼ିଶା ଫେରିବାର କାର୍ୟ୍ୟକ୍ରମ ରହିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଓଡ଼ିଶା ଫେରିବା ପରେ ନୂଆ ବାଚସ୍ପତି ଓ ମନ୍ତ୍ରୀଙ୍କ ନାମ ଘୋଷଣା କରାଯାଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି।
Comments are closed.