ଭୁବନେଶ୍ୱର: କିଟ୍ ଓ କିସ୍ ପକ୍ଷରୁ ପ୍ରତିବର୍ଷ ଓଡ଼ିଶାର ସମସ୍ତ ଜିଲା ତଥା ଭାରତର ବିଭିନ୍ନ ସହରରେ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଲକ୍ଷ୍ୟରେ ମିନି ମାରାଥନ ଆୟୋଜନ କରାଯାଇଥାଏ । ଚଳିତ ବର୍ଷ ଓଡ଼ିଶାର ୩୭ଟି ସ୍ଥାନ ଓ ଭାରତର ୬୫ରୁ ଅଧିକ ସ୍ଥାନରେ ଏହି ମିନି ମାରାଥନ ଆୟୋଜନ କରାଯାଇଥିଲା। ଏହାର ଏକ ଅଂଶ ବିଶେଷ ଭୁବନେଶ୍ୱରରେ ନିଆରା ଢଙ୍ଗରେ ‘ପାଟାଥନ’ ଆୟୋଜନ କରାଯାଇଥିଲା। ସକାଳ ୭ଟାରୁ ୮ଟା ପର୍ଯ୍ୟନ୍ତ ଚାଲିଥିବା ଏହି ପାଟାଥନର ଦ୍ୱିତୀୟ ସଂସ୍କରଣରେ ୬ ହଜାର ମହିଳା ପାଟ ଶାଢ଼ି ପିନ୍ଧି ଦୌଡ଼ିଥିଲେ। ‘ମହିଳା ସଶକ୍ତିକରଣ’ ଓ ‘ସମସ୍ତଙ୍କ ପାଇଁ ଶିକ୍ଷା’ ଉଦ୍ଦେଶ୍ୟରେ ପ୍ରତିବର୍ଷ ପାଟାଥନ ଆୟୋଜନ କରାଯାଉଛି। କିଟ୍, କିସ୍ ଓ କିମ୍ସର ୫ହଜାର ମହିଳା କର୍ମଚାରୀ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ମହିଳାମାନେ ଏହି ଗଣଦୌଡ଼ରେ ସାମିଲ ହୋଇଥିଲେ । ଶିଖରଚଣ୍ଡୀ ମନ୍ଦିର ଛକରୁ କିସ୍ ଆଥଲେଟିକ୍ ଷ୍ଟାଡିୟମ ପର୍ଯ୍ୟନ୍ତ ମହିଳାମାନେ ଦୌଡ଼ିଥିଲେ ।
ଏହି ଗଣଦୌଡ଼ରେ ରାଉରକେଲାର କିରଣ ମାହାତୋ ପ୍ରଥମ ପୁରସ୍କାର ୫୦ ହଜାର ଟଙ୍କା ଜିତିଥିବାବେଳେ ଦ୍ୱିତୀୟ ଓ ତୃତୀୟ ପୁରସ୍କାର ଯଥାକ୍ରମେ କଟକର ତେଜସ୍ୱିନୀ କିସପଟ୍ଟା ଓ ସସ୍ମିତା ବେହେରା ୪୦ ହଜାର ଓ ୩୦ ହଜାର ଟଙ୍କା ପୁରସ୍କାର ଜିତିଥିଲେ । ସେହିପରି ୭ଜଣ ରନର୍ସଅପ୍ଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ସମସ୍ତ ବିଜୟୀଙ୍କୁ ପାଟ ଶାଢ଼ି ପ୍ରଦାନ କରାଯାଇଥିଲା । କିଟ କେ- ୩ ମହିଳା କ୍ଲବ୍ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢୀ, ବିଏମସି ମେୟର ସୁଲୋଚନା ଦାସ, କର୍ପୋରେଟର ପ୍ରୀତିନନ୍ଦା ରାଉତରାୟ, ଅଲିମ୍ପିଆନ୍ ଦୂତି ଚାନ୍ଦ ଓ ଅନୁରାଧା ବିଶ୍ୱାଳ, ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, କିଟ୍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂ, କୁଳସଚିବ ପ୍ରଫେସର ଜ୍ଞାନ ରଞ୍ଜନ ମହାନ୍ତି ପ୍ରମୁଖ ଯୋଗ ଦେଇ ମାରାଥନରେ ଅଂଶଗ୍ରହଣ କରିଥିବା ମହିଳାମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ‘ସମସ୍ତଙ୍କ ପାଇଁ ଶିକ୍ଷା’ ନେଇ ସାଧାରଣରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କିଟ୍ ଓ କିସ୍ ପ୍ରତିଷ୍ଠାତା ଶ୍ରୀ ସାମନ୍ତଙ୍କ ପ୍ରୋତ୍ସାହନରେ ୨୦୧୬ ମସିହାରୁ ଏହା ଆୟୋଜିତ ହୋଇଆସୁଛି।



