ପୂର୍ଣ୍ଣିମାଙ୍କୁ ମିଳିଲା ନୂଆ ଜୀବନ; ମିଳିଥିବା ସହାୟତାରେ ହେଲା ଅପରେସନ
ଚନ୍ଦନପୁର,୩।୭(ନି.ପ୍ର): ସହୃଦୟ ବ୍ୟକ୍ତିଙ୍କ ସହାୟତାରେ ପୂର୍ଣ୍ଣିମାଙ୍କୁ ମିଳିଲା ନୂଆ ଅନୁଭୂତି, ଜୀବନ। ମିଳିଲା ଅସହ୍ୟ ଯମ ଯନ୍ତ୍ରଣାରୁ ମୁକ୍ତି। କିଛି ମାସ ପୂର୍ବରୁ ପୂର୍ଣ୍ଣିମାଙ୍କ ଅପରେସନ ପାଇଁ ଅର୍ଥ ବାଧକ ସାଜିଥିଲା। ଗ୍ରାମବାସୀଙ୍କ ସହାୟତାରେ ପ୍ରଥମ ଅପରେସନ କୌଣସି ମତେ କରାଯାଇ ହାତକୁ ବଞ୍ଚାଇ ଯାଇ ପାରିଥିଲା। ମାସକ ପରେ ଦ୍ୱିତୀୟ ଅପରେସନ ହେବା କଥା,କିନ୍ତୁ ଘରେ ୨ ଓଳି ଖାଇବାକୁ ଦାନା ନାହିଁ, ଅପରେସନ କଥା ପଚାରେ କିଏ? ଏଭଳି ଦୁର୍ଦ୍ଦିନ ସମୟରେ ପୂର୍ଣ୍ଣିମାଙ୍କ ଦୁଃଖ, ଯନ୍ତ୍ରଣା ବିଷୟରେ ଦୈନିକ ‘ସମାଜ’ରେ ଖବର ପ୍ରକାଶିତ ହୋଇଥିଲା। ଖବର ପ୍ରକାଶନ ପରେ ତାଙ୍କ ଅପରେସନ ପାଇଁ ଓଡିଶାର ବିଭିନ୍ନ ଅଂଚଳରୁ ସହାୟତା ପାଇଁ ପ୍ରତିଶ୍ରୁତି ମିଳିଥିଲା। ସମ୍ବଳ ଯୋଗାଡ ପରେ ଗତ ସପ୍ତାହରେ ତାଙ୍କର ହାତର ସଫଳ ଅପରେସନ ହୋଇଥିଲା। କେବଳ ଭାରି ଜିନିଷ ଉଠାଇବାକୁ ଛାଡି, ସେ ଅଗାମୀ ଦିନରେ ନିଜର ସମସ୍ତ ନିତ୍ୟକର୍ମ କରିବାରେ ସକ୍ଷମ ହେବ ବୋଲି ଅପରେସନ କରିଥିବା ଡାକ୍ତର ସୁବ୍ରତ ମହାନ୍ତି କହିଛନ୍ତି। ତାଙ୍କର ଦୁଃଖ ଯନ୍ତ୍ରଣାର ଅନ୍ତ ଘଟି ବର୍ତ୍ତମାନ ପରିବାର ସହ ଖୁସିରେ ରହିଛନ୍ତି।
ଯେଉଁ ଦୁନିଆରେ ବିନା ସ୍ୱାର୍ଥରେ କେହି ଟଙ୍କାଟିଏ ମଧ୍ୟ ଦେବାକୁ କୁଣ୍ଠାବୋଧ କରେ,ଏଭଳି ଦୁନିଆରେ କିଛି ବଦାନ୍ୟ ବ୍ୟକ୍ତି ପୂର୍ଣ୍ଣିମାଙ୍କ ପାଇଁ ହଜାର ହଜାର ଟଙ୍କାର ସହାୟତା ଦେଇଛନ୍ତି। ଯାହା ଫଳରେ ପୂର୍ଣ୍ଣିମାଙ୍କ ପରି ଦରିଦ୍ର ମଧ୍ୟ ଦୁନିଆରେ ସସମ୍ମାନରେ ବଞ୍ଚିବାର ରାହା ପାଇଛନ୍ତି। ଆଉ ପୂର୍ବ ଭଳି କାହା ଉପରେ ବୋଝ ନ ହୋଇ ନିଜ କାମ ନିଜେ କରିପାରିବେ ବୋଲି କହିବା ସହ ସମସ୍ତଙ୍କୁ ହାତ ଯୋଡି କୃତଜ୍ଞତା ଜଣାଇଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ,ଗତ ୪ମାସ ପୂର୍ବେ ପୂର୍ଣ୍ଣିମା ଧାନ ଅମଳ କରୁଥିବା ମେସିନରେ କାର୍ଯ୍ୟ କରୁଥିବା ବେଳେ,କୌଣସି କାରଣବଶତଃ ବାମ ହାତଟି ମେସିନ ଭିତରେ ପଶିଯାଇଥିଲା। ମେସିନଟି ବିକଟାଳ ଶବ୍ଦ କରି ହାତକୁ ଗୁରୁତର ଭାବେ କ୍ଷତାକ୍ତ କରି ଦେଇଥିଲା। ଡାକ୍ତରଖାନାରେ ହାତଟିକୁ କାଟି ଦେବାକୁ ପରାମର୍ଶ ଦେଇଥିଲେ। କିନ୍ତୁ ଗ୍ରାମବାସୀମାନେ ଗରିବ ପୂର୍ଣ୍ଣିମାଙ୍କ ପାଇଁ ଚାନ୍ଦା କରି କୌଣସି ମତେ ଅପରେସନ କରି ହାତଟିକୁ ବଂଚାଇବାରେ ସଫଳ ହୋଇଥିଲେ। ମାସକ ପରେ ଦ୍ୱିତୀୟ ଅପରେସନ ହେବା କଥା। କିନ୍ତୁ ସମ୍ବଳ ଅଭାବ ହେତୁ ଅପରେସନ ପାଇଁ ବାଧକ ସାଜିଥିଲା। ଯାହା ଫଳରେ ଅପରେସନ ନ ହେବା ଦ୍ୱାରା ସେ ଅସହ୍ୟ ଯମ ଯନ୍ତ୍ରଣାରେ ଘାଣ୍ଟି ହେଉଥିଲେ।
Comments are closed.