ଶ୍ରୀନଗର: ପାକିସ୍ତାନ ଓ ଚୀନ୍ର ମୁକାବିଲା ପାଇଁ ଶ୍ରୀନଗର ବିମାନ ଘାଟିରେ ମିଗ୍-୨୯ ଯୁଦ୍ଧବିମାନର ଏକ ବାହିନୀ ମୁତୟନ କରାଯାଇଛି। ଏଠାରେ ପୂର୍ବରୁ ମିଗ୍-୨୧ ଯୁଦ୍ଧବିମାନ ମୁତୟନ ଥିଲା। ନୂଆ ମୁତୟନ ହୋଇଥିବା ମିଗ୍-୨୯ ବାହିନୀର ନାମ ‘ଟ୍ରାଇଡେଣ୍ଟସ୍ ସ୍କ୍ବାଡ୍ରନ’ ବା ‘ଡିଫେଣ୍ଡର ଅଫ୍ ଦି ନର୍ଥ’ ରଖାଯାଇଛି। ମିଗ୍-୨୧ ତୁଳନାରେ ମିଗ୍-୨୯ ଅଧିକ ଶକ୍ତିଶାଳୀ ଓ ଏଥିରେ ଅଧିକ ଆଧୁନିକ ବିଧିବ୍ୟବସ୍ଥା ରହିଛି। ମିଗ୍-୨୯ରେ ଜରୁରୀକାଳୀନ କାର୍ଯ୍ୟାନୁଷ୍ଠାନ ଦକ୍ଷତା ସହ ଘାତକ ଅସ୍ତ୍ରଶସ୍ତ୍ର ବ୍ୟବହାର ସୁବିଧା ରହିଛି। ଏଥିରୁ ଦୂରଗାମୀ ଆକାଶରୁ ଆକାଶକୁ କ୍ଷେପଣାସ୍ତ୍ର ନିକ୍ଷେପ ଏବଂ ଆକାଶରୁ ଭୂପୃଷ୍ଠକୁ ଅସ୍ତ୍ର ନିକ୍ଷେପ କରାଯାଇପାରିବ। ମିଗ୍-୨୧ର ଆକାଶରୁ ଭୂପୃଷ୍ଠକୁ ଅାକ୍ରମଣ କ୍ଷମତା ନ ଥିଲା; ଯଦିଓ ଏହା ୨୦୧୯ରେ ପାକିସ୍ତାନର ଏଫ୍-୧୬ ଯୁଦ୍ଧବିମାନକୁ ଖସାଇ ଚର୍ଚ୍ଚାକୁ ଆସିଥିଲା। ଯୁଦ୍ଧ ସମୟରେ ମିଗ୍-୨୯ ବିପକ୍ଷର ବିମାନକୁ ଅଚଳ କରିଦେଇପାରିବ। ରାତ୍ରିକାଳୀନ ଦୃଶ୍ୟ ବ୍ୟବସ୍ଥା ଥିବାରୁ ଏହା ଅନ୍ଧାରରେ ମଧ୍ୟ ଆକ୍ରମଣ କରିପାରିବ। ଆକାଶରେ ମଧ୍ୟ ଏହା ଇନ୍ଧନ ଭରିପାରିବ। ଉଭୟ ଚୀନ୍ ଓ ପାକିସ୍ତାନର ମୁକାବିଲା ପାଇଁ ଏହା ଅତ୍ୟନ୍ତ ଉପଯୋଗୀ ଓ ଦକ୍ଷ ବୋଲି ବିମାନ ବାହିନୀ ପକ୍ଷରୁ କୁହାଯାଇଛି। ଶ୍ରୀନଗର ବିମାନ ଘାଟି ଏକ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ଅବସ୍ଥିତ ହୋଇଥିବାରୁ ବାୟୁସେନା ଏଠାରୁ ମିଗ୍-୨୯ ମାଧ୍ୟମରେ ନିଜର ଯୋଜନା ସଫଳ କରିପାରିବ। ଚୀନ୍ କିମ୍ବା ପାକିସ୍ତାନ ଯଦି କାଶ୍ମୀର ଓ ଲଦାଖରେ ବାୟୁସୀମା ଅତିକ୍ରମ କରନ୍ତି; ତେବେ ମିଗ୍-୨୯ ଆଖି ପିଛୁଳାକେ ଏହାର ଜବାବ ଦେବ। ସୂଚନାଯୋଗ୍ୟ ଯେ ମିଗ୍-୨୯ ଯୁଦ୍ଧବିମାନକୁ ଗତ ଜାନୁଆରୀରେ ଶ୍ରୀନଗର ପଠାଯାଇଥିଲା। କାଶ୍ମୀର ଉପତ୍ୟକା ଓ ଲଦାଖ ଘାଟିରେ ଏହାର ପରୀକ୍ଷଣ ସଫଳ ହୋଇଥିଲା। ସେଥିପାଇଁ ପ୍ରଥମ ଥର ଲଦାଖ ଅଞ୍ଚଳରେ ଏହାକୁ ମୁତୟନ କରାଯାଇଛି।
Popular Categories



