୫ ବର୍ଷରେ ଜାମ୍ମୁ କାଶ୍ମୀରରେ ନିପାତ ହୋଇଛନ୍ତି ୯୬୩ ଆତଙ୍କବାଦୀ
ନୂଆଦିଲ୍ଳୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ କାର୍ଯ୍ୟକାଳ (୨୦୧୪ରୁ ୨୦୧୯)ରେ ଜାମ୍ମୁ କାଶ୍ମୀରରେ ୯୬୩ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି। ଭାରତୀୟ ସେନା, ସୁରକ୍ଷା କର୍ମୀଙ୍କ ସହ ବିଭିନ୍ନ ସଂଘର୍ଷରେ ଏବଂ ଆତଙ୍କବାଦୀ ନିରୋଧୀ ଅଭିଯାନରେ ଏତେ ସଂଖ୍ୟକ ଆତଙ୍କବାଦୀଙ୍କୁ ମରାଯାଇଛି। ତେବେ ଏହି ସମୟ ମଧ୍ୟରେ ଆତଙ୍କବାଦୀଙ୍କ ସହ ସଂଘର୍ଷରେ ୪୧୩ ଯବାନ ସହିଦ ହୋଇଛନ୍ତି। ମଙ୍ଗଳବାର ଲୋକସଭାରେ ଗୃହ ମନ୍ତ୍ରାଳୟ ପକ୍ଷରୁ ଲିଖିତ ଭାବେ ଉପରୋକ୍ତ ଜବାବ ଦିଆଯାଇଛି।
ଏହାସହ ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ପ୍ରତ୍ୟକ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳର ସମସ୍ତ ମୁଖ୍ୟାଳୟରେ ଜଣେ ଲେଖାଏଁ ଓ ୟୁନିଟସ୍ତରରେ ଜଣେ ଲେଖାଏଁ କଲ୍ୟାଣ ଅଧିକାରୀ ନିଯୁକ୍ତି ଦିଆଯାଇଛି। ଏହି କଲ୍ୟାଣ ଅଧିକାରୀମାନେ କର୍ତ୍ତବ୍ୟରତ ବେଳେ ସହିଦ ଯବାନଙ୍କ ପରିବାରର ଧ୍ୟାନ ରଖନ୍ତି। ସୋମବାର ପ୍ରତିରକ୍ଷା ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ନାଇକ ରାଜ୍ୟସଭାରେ କହିଥିଲେ ଯେ ୨୦୧୮ରେ ଜାମ୍ମୁ କାଶ୍ମୀରରେ ୩୧୮ଟି ଓ ୨୦୧୭ରେ ୧୮୭ଟି ଆତଙ୍କବାଦୀ ଆକ୍ରମଣ ହୋଇଥିଲା। ୨୦୧୮ରେ ସଂଘର୍ଷରେ ୨୬୫ ଆତଙ୍କବାଦୀ ନିପାତ ହୋଇଥିଲାବେଳେ ୪୩ ଯବାନ ସହିଦ ହୋଇଥିଲେ।
Comments are closed.