ବାର୍ସେଲୋନା : ଚଳିତମାସ ପ୍ରାରମ୍ଭରେ ଆର୍ଜେଣ୍ଟିନାର ଫୁଟ୍ବଲ ତାରକା ଲିଓନେଲ ମେସି ତାଙ୍କ ପିଲାଦିନର କ୍ଲବ୍ ସ୍ପେନ୍ର ବାର୍ସେଲୋନା ଛାଡ଼ିବା ଘୋଷଣା କରିବା ସମଗ୍ର ଫୁଟ୍ବଲ ସମୁଦାୟକୁ ସ୍ତବ୍ଧ ଓ ଚକିତ କରି ଦେଇଥିଲା। ବାର୍ସେଲୋନା ଛାଡ଼ିବା ପୂର୍ବରୁ କ୍ଲବ୍ ପାଇଁ ଗତ ରବିବାର ଶେଷ ସାମ୍ବାଦିକ ସମ୍ମିଳନୀ କରିଥିଲେ ମେସି। ସାମ୍ବାଦିକ ସମ୍ମିଳନୀ ପାଇଁ ମେସି ମଞ୍ଚ ଉପରକୁ ଚଢ଼ିବା ବେଳେ କୋହ ସମ୍ଭାଳି ନ ପାରି କାନ୍ଦି ପକାଇଥିଲେ। ଏହାଦେଖି ସେଠାରେ ଉପସ୍ଥିତ ଥିବା ମେସିଙ୍କ ପତ୍ନୀ ଆଣ୍ଟୋନେଲା ରୋକୁେଜା ତାଙ୍କୁ ଏକ କାଗଜ (ଟିସ୍ୟୁ ପେପର୍) ବଢ଼ାଇ ଦେଇଥିଲେ। ପୂରା ସାମ୍ବାଦିକ ସମ୍ମିଳନୀରେ ଭାବବିହ୍ବଳ ହୋଇ ମେସି କାନ୍ଦୁଥିବା ବେଳେ ଉକ୍ତ କାଗଜେରେ ଲୁହ ପୋଛୁଥିଲେ। ସେଠାରେ ଉପସ୍ଥିତ ଜଣେ ବ୍ୟକ୍ତି ଉକ୍ତ ଲୁହ ପୋଛା କାଗଜକୁ ପାଇଥିଲେ ଏବଂ ଏହାକୁ ସାଇତି ରଖିଥିଲେ। ଏବେ ଉକ୍ତ ଲୁହ ପୋଛା କାଗଜର ନିଲାମ କରାଯିବ। ଉକ୍ତ କାଗଜ ପାଇଥିବା ବ୍ୟକ୍ତି ନିଲାମର ୱେବ୍ସାଇଟ୍ ମେଇକେଡ୍ୟୁଓରେ ଏହା ଘୋଷଣା କରିଛନ୍ତି। ଏହି କାଗଜର ମୂଳ ନିଲାମ ମୂଲ୍ୟ ୧ ନିୟୁତ ଅମେରିକୀୟ ଡଲାର (ଭାରତୀୟ ମୁଦ୍ରାରେ ୭.୪୪ କୋଟି ଟଙ୍କା) ଉକ୍ତ ବ୍ୟକ୍ତି ରଖିଛନ୍ତି। ଏଥିରେ ସେ ଘୋଷଣା କରିଛନ୍ତି, ଉକ୍ତ କାଗଜରେ ମେସିଙ୍କ ଅନୁବଂଶିକ ସାମଗ୍ରୀ (ଲୁହ) ରହିଛି। ଏହାକୁ ବ୍ୟବହାର କରି ବୈଜ୍ଞାନିକମାନେ ଆଉ ଜଣେ ଅବିକଳ ମେସି ସୃଷ୍ଟି କରିପାରିବେ। ସୂଚନାଯୋଗ୍ୟ; ମାତ୍ର ୧୩ ବର୍ଷ ବୟସରେ ମେସି ବାର୍ସେଲୋନାରେ ଖେଳୁଥିବା ବେଳେ ଏବେ ସେ ଫ୍ରାନ୍ସର କ୍ଲବ୍ ପ୍ୟାରିସ୍ ସେଣ୍ଟ ଜର୍ମେନ୍ରେ ଯୋଗ ଦେଇଛନ୍ତି। ବାର୍ସେଲୋନାର ଆର୍ଥିକ ସ୍ଥିତି ଏବେ ଭଲ ନାହିଁ। ତେଣୁ ମେସି ଦାବି କରିଥିବା ଅର୍ଥ ଦେବାକୁ ଅସମର୍ଥ ବୋଲି ବାର୍ସେଲୋନା ଘୋଷଣା କରିଥିଲା।
ମେସିଙ୍କ ଲୁହ ପୋଛା କାଗଜର ମୂଲ୍ୟ ୭.୪୪ କୋଟି ଟଙ୍କା
Popular Categories



