ନିରପେକ୍ଷ ତଦନ୍ତ ସହ ନ୍ୟାୟ ପାଇଁ ଦାବି
ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କନ୍ଦରପୁରଠାରେ ଗତ ୫ତାରିଖ ସକାଳେ ନିରଞ୍ଜନ ଦଳାଇଙ୍କ କୁକୁଡା ଫାର୍ମ ନିକଟରେ ଜଣେ ଯୁବକଙ୍କ କ୍ଷତାକ୍ତ ମୃତ ଦେହ ମିଳିବା ଘଟଣାର ନିରପେକ୍ଷ ତଦନ୍ତ ଓ ନ୍ୟାୟ ପ୍ରଦାନ ଦାବିକରି ଗ୍ରାମବାସୀଙ୍କ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରଯାଇଛି । କନ୍ଦରପୁର କଲୋନୀ ସାହିର ଗନ୍ଧର୍ବ ସାମଲଙ୍କ ପୁଅ ଗଣେଶ ସାମଲଙ୍କ କ୍ଷତାକ୍ତ ମୃତ ଦେହ ବାପି ଓରଫ ନିରଞ୍ଜନ ଦଳାଇଙ୍କ କୁକୁଡା ଫାର୍ମ ନିକଟରୁ କ୍ଷତାକ୍ତ ଅବସ୍ଥାରେ ମିଳିବା ପରେ ସେଠାରେ ଏକ ଉତ୍ତେଜନା ମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ସଂପୃକ୍ତ ମୃତ ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ଏବଂ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ରହିଥିବାବେଳେ ପୁଲିସ ତାର ମୃତ୍ୟୁ ବିଦ୍ୟୁତ୍ ସଂସ୍ପର୍ଶରେ ହୋଇଥିବା କହିବା ପଛରେ ହତ୍ୟାକାଣ୍ଡକୁ ଲୁଚାଇବା ପାଇଁ ଏକ ଷଡଯନ୍ତ୍ର ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଯଦି ବିଦ୍ୟୁତ୍ କରେଣ୍ଟ ଲାଗି ତାଙ୍କର ମୃତ୍ୟୁ ହୋଇଛି ତେବେ ମୁଣ୍ଡରେ ଓ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ କିପରି ହେଲା ବୋଲି ଗ୍ରାମବାସୀ ପ୍ରଶ୍ନ କରିଛନ୍ତି। ତେଣୁ ସେମାନେ ଘଟଣାର ନିରପେକ୍ଷ ତଦନ୍ତ କରି ଦୋଷୀମାନଙ୍କୁ ଗିରଫ କରିବା, ଶବ ବ୍ୟବଚ୍ଛେଦ ରିପୋର୍ଟକୁ ସାର୍ବଜନୀନ କରିବା, ପ୍ରକୃତ ଘଟଣାକୁ ଲୁଚାଇବାକୁ ଷଡଯନ୍ତ୍ର ନକରିବା ଲାଗି ସେମାନେ ଦାବି କରିଛନ୍ତି ନଚେତ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି । ସରପଞ୍ଚ କଲ୍ୟାଣୀ ଖଟୁଆଙ୍କ ଦସ୍ତଖତ ସମ୍ବଳିତ ସ୍ମାରକପତ୍ର ଉପଜିଲ୍ଲାପାଳଙ୍କୁ ପ୍ରଦାନ ବେଳେ ଗ୍ରାମର ଅନୁସୂଚିତ ଜାତି ବର୍ଗର ନେତା ବିଚିତ୍ରାନନ୍ଦ ସେଠୀଙ୍କ ସମେତ ପବିତ୍ର ମୋହନ ଖଟୁଆ, ବିଶ୍ୱଜିତ୍ ନାୟକ, ଦିବାକର ନାଏକ, ମୃତକର ପିତା ଗନ୍ଧର୍ବ ସାମଲ, ୱାର୍ଡସଭ୍ୟ ବିଷ୍ଣୁଚରଣ ନାଏକ ଓ ବଳରାମ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.