ଚିତ୍ତଜ୍ଞାନୀ ଟ୍ରଷ୍ଟ ପକ୍ଷରୁ ସବଡେଗାରେ ମେଗା ସ୍ବାସ୍ଥ୍ୟ ଶିବିର

ସୁନ୍ଦରଗଡ଼/ସବଡେଗା: ସବଡେଗା ବ୍ଲକ ଅନ୍ତର୍ଗତ ଗାଈବିରା ଉଚ୍ଚ ବିଦ୍ୟାଳୟ ପରିସରରେ ଚିତ୍ତଜ୍ଞାନୀ ଚାରିଟେବଲ ଟ୍ରଷ୍ଟ ସାମନ୍ତସାହି କଟକ ଆନୁକୂଲ୍ୟରେ ଏକ ବିଶାଳ ମେଗା ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ସ୍ବାସ୍ଥ୍ୟ ଶିବିରକୁ ଜିଲାପାଳ ଡାକ୍ତର ପରାଗ ହର୍ଷଦ ଗାଭାଲି ଉଦ୍‌ଘାଟନ କରିଥିବା ବେଳେ‌ ଚିତ୍ତଜ୍ଞାନୀ ଟ୍ରଷ୍ଟର କର୍ମକର୍ତ୍ତା ତଥା ଓଡ଼ିଶା ସ୍ବାସ୍ଥ୍ୟ ବିଜ୍ଞାନ ବିଶ୍ବବିଦ୍ୟାଳୟର କୂଳପତି ପ୍ରଫେସର ଦତ୍ତେଶ୍ବର ହୋତା ଓ ଏହି ଟ୍ରଷ୍ଟର ଅନ୍ୟ ଟ୍ରଷ୍ଟିମାନଙ୍କ ସହାୟତାରେ ଏହି ଶିବିରକୁ ପରିଚାଳନା କରିଥିଲେ। ଜିଲା ଜଜ୍‌ ଶୁଭଦର୍ଶୀ ପଟ୍ଟନାୟକ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ସତ୍ୟବାନ ମହାଜନ, ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ ଡା.ସରୋଜ କୁମାର ମିଶ୍ର, ଡିଏଫଓ ପ୍ରଦୀପ ମିରାସେ ପ୍ରମୁଖ ଉପସ୍ଥିତ ରହିଥିଲେ।

prayash

କଟକ ଏସସିବି ମେଡିକାଲ କଲେଜ, ଭିମସାର ବୁର୍ଲା ଓ ସୁନ୍ଦରଗଡ଼ ମେଡିକାଲ କଲେଜର ବହୁ ବରିଷ୍ଠ ବିଶେଷଜ୍ଞ ଓ ଡାକ୍ତର ଏହି ସ୍ବାସ୍ଥ୍ୟ ଶିବିରରେ ଉପସ୍ଥିତ ରହି ବିଭିନ୍ନ ରୋଗର ନିଦାନ ପାଇଁ ପରୀକ୍ଷା କରିବା ସହ ଆବଶ୍ୟକୀୟ ପରାମର୍ଶ ଓ ମାଗଣାରେ ଔଷଧ ଦେଇଥିଲେ । ସବଡେଗା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାକ୍ତର ଛବିଲ ଅଢ଼ା, ସବଡେଗା ବିଡିଓ ନାରାୟଣୀ ପଣ୍ଡା, ତଳସରା ଥାନାର ସବଇନ୍ସପେକ୍ଟର ଅଭୟ ମହାପାତ୍ର, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚୁଡ଼ାମଣି ପୃଷ୍ଟି ଓ ସ୍ବାସ୍ଥ୍ୟ କେନ୍ଦ୍ରର କର୍ମଚାରୀମାନେ ମଧ୍ୟ ଏହି ସ୍ବାସ୍ଥ୍ୟ ଶିବିରରେ ସାମିଲ ହୋଇଥିଲେ । ସବଡେଗା ଜିଲାର ଏକ ଉପାନ୍ତ ବ୍ଲକ ହେବା ସହ ପଡ଼ୋଶୀ ରାଜ୍ୟ ଝାଡ଼ଖଣ୍ଡ ଓ ଛତିଶଗଡ଼ ରହିଥିବାରୁ ଏହି ମେଗା ସ୍ବାସ୍ଥ୍ୟ ଶିବିରରେ ଏକ ହଜାରରୁ ଅଧିକ ରୋଗୀ ନିଜ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିବା ବେଳେ ଟ୍ରଷ୍ଟର ଏହି ଉଦ୍ୟମକୁ ପ୍ରଶଂସା କରିଥିଲେ ।

Comments are closed.