ଏଣିକି ସବୁ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବେ ସରକାର

0

ନୂଆଦିଲ୍ଲୀ : ସରକାର ଏଣିକି ସମସ୍ତ ପ୍ରକାର ଔଷଧର ମୂଲ୍ୟ ନିର୍ଦ୍ଧାରଣ କରିବେ। ଏଥି ନିମନ୍ତେ ନିତି ଆୟୋଗ ଏକ ନୀତି ପ୍ରସ୍ତୁତ କରୁଛି ଓ ଖୁବଶୀଘ୍ର ସମସ୍ତ ପ୍ରକାର ଔଷଧର ମୂଲ୍ୟ ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ହେବ ବୋଲି ସୂଚନା ମିଳିଛି। ସିଏନ୍‍ବିସି ଖବର ଅନୁସାରେ ସରକାର ଉତ୍ପାଦନ ଖର୍ଚ୍ଚଠାରୁ ଆରମ୍ଭ କରି ବିକ୍ରି ସଂସ୍ଥାଗୁଡ଼ିକର ଲାଭକୁ ଦୃଷ୍ଟିରେ ରଖି ଔଷଧର ଦାମ ନିୟନ୍ତ୍ରଣ ମଧ୍ୟରେ ରଖିବାକୁ ଲକ୍ଷ୍ୟ ରଖିଛନ୍ତି। ଉଲ୍ଲେଖ ଯେ ସରକାର ଏବେ କେବଳ କେତେକ ନିର୍ଦ୍ଧିଷ୍ଟ ଔଷଧର ମୂଲ୍ୟ ନିର୍ଦ୍ଧାରଣ କରୁଛନ୍ତି। କେତେକ ଔଷଧର ଅହେତୁକ ମୂଲ୍ୟ ବୃଦ୍ଧି ଓ ଅନିୟନ୍ତ୍ରିତ ଲାଭଖୋର ବ୍ୟବସ୍ଥାକୁ ବନ୍ଦ କରିବା ପାଇଁ ସରକାର ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରୁଛନ୍ତି। ନିତି ଆୟୋଗ ନେତୃତ୍ୱରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏବଂ ଫାର୍ମା ମନ୍ତ୍ରାଳୟ ଅଧିକାରୀ ଏକ ନୂଆ ସୂତ୍ର ବାହାର କରିବାକୁ କାର୍ଯ୍ୟ କରୁଛନ୍ତି। ନିତି ଆୟୋଗ ସଦସ୍ୟ ଡ. ବିନୋଦ ପାଲ କହିଛନ୍ତି ଯେ ଖୁବଶୀଘ୍ର ଏହି ସୂତ୍ର ବା ନୂଆ ନୀତି ପ୍ରସ୍ତୁତ ହୋଇଯିବ। ଅନେକ କମ୍ପାନୀ ଭିନ୍ନ ଭିନ୍ନ ବ୍ରାଣ୍ଡର ଔଷଧ ପ୍ରସ୍ତୁତ କରି ଚିକିତ୍ସାଳୟ, ଔଷଧ ଦୋକାନ ଏବଂ ଗ୍ରାହକଙ୍କୁ ପୃଥକ ପୃଥକ ଲାଭରେ ବିକ୍ରି କରୁଛନ୍ତି। ଫଳରେ ଡାକ୍ତର ଏବଂ ଚିକିତ୍ସାଳୟ ଗୁଡ଼ିକ ଯେଉଁ ବ୍ରାଣ୍ଡ ଅଧିକ ଲାଭ ଦେଇଥାଏ ସେହି ବ୍ରାଣ୍ଡର ଔଷଧ କିଣିବାକୁ ଲେଖିଥାନ୍ତି। ଏହା ଦ୍ୱାରା କେତେକ ଔଷଧ କମ୍ପାନୀ ଏବଂ ରୋଗୀ ହନ୍ତସନ୍ତ ହୋଇଥାନ୍ତି। ସୂଚନା ଅନୁସାରେ ନିତି ଆୟୋଗ ବିକ୍ରି ହେବା ପୂର୍ବରୁ ଔଷଧ ଗୁଡ଼ିକର ଲାଭ ପ୍ରଭେଦ ପ୍ରସ୍ତୁତ କରିବାକୁ କାମ ଆରମ୍ଭ କରିଛି। ଏହାଦ୍ୱାରା କମ୍ପାନୀ ଏବଂ ଡାକ୍ତରଖାନାଗୁଡ଼ିକର ଲାଭଖୋର ନୀତିରେ ଲଗାମ ଲଗାଯାଇ ହେବ। ତେବେ ଔଷଧ କମ୍ପାନୀ ଏବଂ ଡାକ୍ତରଖାନାଗୁଡ଼ିକ ସରକାରଙ୍କ ଏଭଳି ପଦକ୍ଷେପକୁ ବିରୋଧ କରୁଛନ୍ତି।

Leave A Reply