ପୁରୀଠୁ ୧୦୦ କିଲୋମିଟର ଦୂରରେ ଯିବ ବାତ୍ୟା
ଭୁବନେଶ୍ବର: ବାତ୍ୟା ‘ଅସାନି’ ନେଇ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ଉପକୂଳ ଦେଇ ବାତ୍ୟା ଅତିକ୍ରମ କରିବ। ବାତ୍ୟା ‘ଅସାନି’ ଅତିକ୍ରମ କରିବାବେଳେ ପୁରୀଠାରୁ ୯୦ରୁ ୧୦୦କିଲୋମିଟର ଦୂରରେ ଯିବ। ଅତିକ୍ରମବେଳେ ଉପକୂଳରେ ପବନର ବେଗ ୫୦ କିଲୋମିଟର ପର୍ଯ୍ୟନ୍ତ ରହିବ। ମେ’ ୧୦ରେ ଗଜପତି, ଗଞ୍ଜାମ ଓ ପୁରୀରେ ପ୍ରବଳ ବର୍ଷିବ। ମେ’ ୧୧ରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, କଟକ ଓ ଜଗତସିଂହପୁରରେ ପ୍ରବଳ ବର୍ଷା ହେବ। ମେ’ ୧୨ରେ ପୁରୀ, ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ସମୁଦ୍ର ଭିତରକୁ ଯାଇଥିବା ଓଡ଼ିଶାର ସବୁ ମାଛଧରା ଡଙ୍ଗା ଫେରି ଆସିଛି। ଚିଲିକାରେ ଅନେକ ଡଙ୍ଗା ଫେରିଛି, ଆସନ୍ତାକାଲି ଏହା ଉପରେ ଅଧିକ ଧ୍ୟାନ ଦିଆଯିବ। ରାଜ୍ୟରେ ୭ରୁ୧୧ ସେମି ବର୍ଷା ହେବ, ତଥାପି ବୃଷ୍ଟିପାତ ଜନିତ ବନ୍ୟା ଆଶଙ୍କା ନାହିଁ। ସହରର ତଳିଆ ଅଞ୍ଚଳରେ ପାଣି ଜମି ରହିବା ଆଶଙ୍କା ରହିଥିବାରୁ ପଦକ୍ଷେପ ନିଆଯାଇଛି। ଗଞ୍ଜାମ, ପୁରୀ, ଅସ୍ତରଙ୍ଗ, ଜଗତସିଂହପୁର, କେନ୍ଦ୍ରାପଡ଼ା ଇତ୍ୟାଦି ବାତ୍ୟା ପ୍ରଭାବିତ ଅଞ୍ଚଳଗୁଡ଼ିକ ପାଇଁ ଓଡ୍ରାଫ ଟିମ ପ୍ରସ୍ତୁତ ରଖାଯାଇଛି। ଆବଶ୍ୟକସ୍ଥଳେ ସ୍ଥାନାନ୍ତର ପାଇଁ ଜିଲାପାଳଙ୍କୁ କ୍ଷମତା ଦିଆଯାଇଛି ବୋଲି ସେ କହିଛନ୍ତି।
ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ଆଜି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଗଞ୍ଜାମ, ପୁରୀ, ଜଗତସିଂହପୁର କେନ୍ଦ୍ରାପଡ଼ା ଜିଲାର ଜିଲାପାଳମାନଙ୍କୁ ନିର୍ଦେଶ ଦେଇ କହିଛନ୍ତି ଯେ ଗଞ୍ଜାମ ଜିଲାର ରଙ୍ଗେଇଲୁଣ୍ଡା, ଚିକିଟି, ଗଞ୍ଜାମ ଓ ଛତ୍ରପୁର ବ୍ଲକ, ପୁରୀ ଜିଲାର କୃଷ୍ଣପ୍ରସାଦ, ବ୍ରହ୍ମଗିରି, ପୁରୀ ସଦର, ଗୋପ, କାକଟପୁର ଓ ଅସ୍ତରଙ୍ଗ, ଜଗତସିଂହପୁର ଅଞ୍ଚଳର ବାଲିକୁଦା, ଏରସମା, କୁଞ୍ଜଙ୍ଗ, କେନ୍ଦ୍ରାପଡ଼ା ଜିଲାର ମହାକାଳପଡା ଓ ରାଜନଗର ବ୍ଲକର ତଳିଆ ଅଞ୍ଚଳରେ ମାଟିଘର ଓ କୁଡିଆଘରେ ବାସକରୁଥିବା ଜନସାଧାରଣଙ୍କୁ ୧୦ ତାରିଖ ଦିନ ଅପରହ୍ନ ସୁଦ୍ଧା ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରାଯିବ। ସେହିପରି ଆଗାମି ୧୫ ଦିନ ମଧ୍ୟରେ ପ୍ରସବ କରିବାକୁ ଥିବା ଗର୍ଭବତୀ ମହିଳାଙ୍କୁ ନିକଟସ୍ଥ ସରକାରୀ ହସ୍ପିଟାଲ ସ୍ଥାନାନ୍ତରିତ କରିବା ସହ ସେମାନଙ୍କର ସମସ୍ତ ପ୍ରକାର ଯତ୍ନ ନିଆଯିବ।
ଆସନ୍ତା ମେ’ ୯ ତାରିଖ ଦିନ ସକାଳ ସୁଦ୍ଧା ୬ ଟି ଓଡ୍ରାଫ ଟିମ ପୁରୀ ଜିଲା ଓ ପୁରୀ ଜିଲାର କୃଷ୍ଣପ୍ରସାଦ ବ୍ଲକ ଗଞ୍ଜାମ, ଭଦ୍ରକ, ଜଗତସିଂହପୁର, ଓ କେନ୍ଦ୍ରାପଡ଼ା ଜିଲାରେ ମୁତୟନ କରାଯିବ। ୧୮ଟି ଜିଲାର ଜିଲାପାଳ, ଭୁବେନେଶ୍ବର, କଟକ ଓ ବ୍ରହ୍ମପୁର ମୁନିସପାଲ କମିଶନରମାନେ ବାତ୍ୟା ସମୟରେ ହେବାକୁ ଥିବା ବର୍ଷା ଦ୍ୱାରା ତଳିଆ ଅଞ୍ଚଳ ଜଳମଗ୍ନ ହେବାର ସମ୍ଭାବନା ଥିବାବେଳେ ଯଦି ଏଭଳି ପରିସ୍ଥିତି ଉପୁଯେ, ତେବେ ଏହି ସବୁ ସ୍ଥାନରୁ ଜଳ ନିଷ୍କାସନର ବ୍ୟବସ୍ଥା କରିବେ ।
ଗ୍ରାମ ଉନ୍ନୟନ, ଜଳସମ୍ପଦ, ନଗର ଉନ୍ନୟନ, ଶକ୍ତି, ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ସେମାନଙ୍କର ସମସ୍ତ ମାନବସମ୍ବଳ ଓ ମେସିନ ସଜାଗ ରଖିବା ପାଇଁ ନିର୍ଦେଶ ଦିଆଯାଇଛି। ଆବଶ୍ୟକ ସ୍ଥଳେ ଏସ୍ଆରସିଙ୍କ ନିର୍ଦେଶମତେ ସେମାନଙ୍କୁ ନିୟୋଜନ କରାଯିବ।
ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିଭାଗ ତରଫରୁ ସମସ୍ତ ଜିଲା ଓ ତତ୍ସଲଗ୍ନ ଅଫିସଗୁଡିକୁ ବିପର୍ଯ୍ୟୟ ପରିଚାଳନା ସମ୍ପର୍କିତ ମାର୍ଗଦର୍ଶିକା ବିଷୟରେ ଅବଗତ କରିବା ସହ ବାତ୍ୟାଜନିତ ପୂର୍ବ ଓ ପରବର୍ତ୍ତୀ ଅବସ୍ଥାର ମୁକାବିଲା ପାଇଁ ସଜାଗ ରହିବେ। ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀ ନୋଡାଲ ଅଫିସର ଏସ୍ଆରସିଙ୍କ ଅଫିସ ସହ ନିରନ୍ତର ସଂଯୋଗରେ ରହିବେ। ବିଭାଗ ପକ୍ଷରୁ ଆବଶ୍ୟକୀୟ ପଶୁ ଔଷଧ ବିଭିନ୍ନ ପଶୁ ଚିକିତ୍ସାଳୟରେ ମହଜୁଦ ରଖିବେ। ବିଭାଗ ପକ୍ଷରୁ ପଶୁ ଆହାର ଯୋଗାଇ ଦେଉଥିବା ଯୋଗାଣକାରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରିବେ, ଯାହାକି ଆବଶ୍ୟକ ସମୟରେ କାର୍ଯ୍ୟରେ ଆସିବ। ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଥିବାବେଳେ ପୂର୍ବରୁ ସମୁଦ୍ରକୁ ଯାଇଥିବା ସମସ୍ତ ଡଙ୍ଗା ସୁରକ୍ଷିତ ଭାବେ ଫେରିଆସିଛି।
Comments are closed.