ନିଜ ଜନ୍ମମାଟିରେ ସହିଦ ଓଡ଼ିଆ ଯବାନ ରାଣାପ୍ରତାପଙ୍କ ଶେଷକୃତ୍ୟ ରାଷ୍ଟ୍ରୀୟ ସମ୍ମାନ ସହ ସମ୍ପନ୍ନ
କୃଷ୍ଣଚନ୍ଦ୍ରପୁର – ତାମିଲନାଡୁର କୁନ୍ନୁରରେ ହେଲିକପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ଓଡିଆ ଯବାନ ରାଣା ପ୍ରତାପଙ୍କ ଶେଷକୃତ୍ୟ ତାଳଚେର କୃଷ୍ଣଚନ୍ଦ୍ରପୁରରେ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ସମ୍ମାନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ରାଣା ପ୍ରତାପଙ୍କୁ ଶେଷକୃତ୍ୟ ସମୟରେ ତୋପ ସଲାମୀ ଦିଆଯାଇଛି । ଏହି ସମୟରେ ହଜାର ହଜାର ଲୋକ ଉପସ୍ଥିତ ରହି ସହିଦ ରାଣାପ୍ରତାପଙ୍କୁ ଶେଷ ବିଦାୟ ଦେଇଛନ୍ତି । ରାଣା ପ୍ରତାପ ଅମର ରହେ ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ।
ଏବା ପୂର୍ବରୁ ଭୁବନେଶ୍ୱର ବିମାନବନ୍ଦରରେ ବାୟୁସେନା ଅଧିକାରୀ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀର ପହଞ୍ଚି ଥିଲା । ବାୟୁସେନାର ସ୍ୱତନ୍ତ୍ର ବିମାନରେ ପାର୍ଥିବ ଶରୀର ଅଣାଯାଇଥିଲା । ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ରାଜ୍ୟ ମନ୍ତ୍ରିମଣ୍ଡଳର ଅନ୍ୟ ସଦସ୍ୟ ମଧ୍ୟ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସହିଦ ରାଣାପ୍ରତାପଙ୍କୁ ପୁଲିସ ଡିଜି ଅଭୟ ବିମାନବନ୍ଦରରେ ବିଶିଷ୍ଟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ରାଣାପ୍ରତାପଙ୍କୁ ଗାର୍ଡ ଅଫ ଅନର ଦିଆଯାଇଥିଲା । ବିମାନବନ୍ଦରରୁ ପାର୍ଥିବ ଶରୀର ରାଣାପ୍ରତାପଙ୍କ ଜନ୍ମମାଟି ତାଳଚେରର କୃଷ୍ଣଚନ୍ଦ୍ରପୁର ଗାଁକୁ ନିଆଯାଇଥିଲା । କୃଷ୍ଣଚନ୍ଦ୍ରପୁର ଗାଁରେ ରାଣାପ୍ରତାପଙ୍କ ଅନ୍ତିମ ସଂସ୍କାର କରାଯାଇଠି ।
ବାୟୁସେନାର ଜୁନିଅର ୱାରେଣ୍ଟ ଅଫିସର ଥିଲେ ରାଣାପ୍ରତାପ । କୁନ୍ନୁର ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ଏହି ଦୁର୍ଘଟଣାରେ ସିଡିଏସ ବିପିନ ରାୱତଙ୍କ ସମେତ ମୋଟ ୧୩ ଜଣ ପ୍ରାଣ ହରାଇଛନ୍ତି । ସହିଦ ରାଣାପ୍ରତାପ ଦାସଙ୍କ ଉତ୍ସର୍ଗୀକୃତ ସେବା ଓ ଦେଶଭକ୍ତି ର ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।
Comments are closed.