www.samajalive.in
Saturday, December 13, 2025
14.1 C
Bhubaneswar

ଖୋର୍ଦ୍ଧା ଜିଲା ଦୌରାଜଜ୍‌ରେ ପଡ଼ି ରହିଛି ରାଜ୍ୟର ସର୍ବାଧିକ ମାମଲା 

ଭୁବନେଶ୍ବର : କରୋନା କଟକଣାରେ ଅଦାଲତଗୁଡ଼ିକର କାର୍ଯ୍ୟ ବାଧାପ୍ରାପ୍ତ ହେବା ସହ ଦିନକୁ ଦିନ ଅଦାଲତଗୁଡ଼ିକରେ ମାମଲା ସଂଖ୍ୟା ବଢ଼ିବାରେ ଲାଗିଛି। ବିଚାର ନ ହୋଇ ପଡ଼ି ରହିଥିବା ମାମଲାଗୁଡ଼ିକ ଏବେ ବିଚାରବିଭାଗର ମୁଣ୍ଡ ବ୍ୟଥା ବଢ଼ାଇ ଦେଇଛି। ନିକଟରେ ଅଚାନକ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି  ଡ. ଜଷ୍ଟିସ ଏସ୍‌ ମୁରଲୀଧର ସ୍ଥାନୀୟ ଖୋର୍ଦ୍ଧା ଜିଲା ଦୌରାଜଜ୍‌ଙ୍କ କୋର୍ଟ ଅଚାନକ ପରିଦର୍ଶନରେ ଆସିଥିଲେ। ଜିଲା ଦୌରାଜଜ୍ କୋର୍ଟ‌େ‌ର ରାଜ୍ୟର ସବୁଠାରୁ ଅଧିକ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଥିବା ଜାଣିବାକୁ ପାଇଥିଲେ। ରାଜଧାନୀରେ ଥିବା ଜିଲା ଦୌରାଜଜ୍ ଅଦାଲତର ବହୁ ସମସ୍ୟା ସମ୍ପର୍କରେ ଅବଗତ ହେବା ପରେ ମୁଖ୍ୟ ବିଚାରପତି ଦୁଇ ଦିନ ତଳେ ଜିଲା ଦୌରାଜଜ୍ ଏବଂ ଭୁବନେଶ୍ବର ଓକିଲ ସଂଘର ସଭାପତି ନିର୍ମଳ କୁମାର ରଥ, ସମ୍ପାଦକ ରାଜକିଶୋର ଦାସଙ୍କ ସହିତ ଏକ ଆଭାସି ବୈଠକ କରିଥିଲେ। ଜିଲା ଦୌରାଜଜ ଅଦାଲତର ବିଭିନ୍ନ ସମସ୍ୟା ନେଇ ଆଲୋଚନା କରିଥିଲେ।

ଖୋର୍ଦ୍ଧା ଜିଲା ଦୌରାଜଜ୍ ଅଦାଲତରେ ୧,୭୪,୦୦୦ ମାମଲା ବିଚାରାଧୀନ ଅବସ୍ଥାରେ ରହିଛି। ଓଡ଼ିଶାର ସବୁଠାରୁ ଅଧିକ ମାମଲା ଭୁବନେଶ୍ବର ଜିଲା ଦୌରାଜଜ୍‌ଙ୍କ ଅଦାଲତରେ ପଡ଼ିଥିବା ଏକ ଆକଳନରେ ଜଣାପଡ଼ିଛି। ତୁରନ୍ତ ଏସବୁ ମାମଲା ସଂଖ୍ୟା ହ୍ରାସ  ଲାଗି ଚିନ୍ତା ପ୍ରକଟ କରିଥିଲେ। ସ୍ଥାନୀୟ ଭୁବନେଶ୍ବର ଉପଖଣ୍ଡ ବିଚାରବିଭାଗୀୟ  ଦଣ୍ଡାଧିକାରୀ(ଏସ୍‌ଡିଜେଏମ୍‌)ଙ୍କ ଅଦାଲତରେ ସର୍ବାଧିକ ୭୩,୫୦୦ରୁ ଅଧିକ ମାମଲା ବିଚାର ଅପେକ୍ଷାରେ ପଡ଼ି ରହିଛି।  ଏଥିରୁ କେବଳ ୪୦ ହଜାରରୁ ଅଧିକ ଆର୍ଥିକ ମାମଲା ରହିଥିବା ଜଣାପଡ଼ିଛି। ଅର୍ଥ ମଞ୍ଜୁର ପତ୍ର(ଚେକ୍‌) ଅବମାନନା ମାମଲା ସଂଖ୍ୟା‌ ବଢ଼ିବାରେ ଲାଗିଛି। ତେଣୁ ଏଥିପାଇଁ ଅନ୍ୟ ଏକ ଉପଖଣ୍ଡ ବିଚାରବିଭାଗୀୟ ଦଣ୍ଡାଧିକାରୀ ଅଦାଲତର ଆବଶ୍ୟକତା ଥିବା ନେଇ ଓକିଲ ସଂଘ ପକ୍ଷରୁ ଦୃଷ୍ଟିଆକର୍ଷଣ କରାଯାଇଥିଲା। ସେହିପରି ସ୍ଥାନୀୟ ପରିବାର ଅଦାଲତରେ ମଧ୍ୟ ୮୦୦୦ରୁ ଅଧିକ ମାମଲା ପଡ଼ି ରହିଛି। ରାଜଧାନୀରେ ଜମିଜମା ସଂକ୍ରାନ୍ତ ମାମଲା ସଂଖ୍ୟା ଅହେତୁକ ମାତ୍ରାରେ ବୃଦ୍ଧି ପାଉଥିବାରୁ ଅାଉ ଗୋଟିଏ ଲେଖାଏଁ ଉପର ଏବଂ ନିମ୍ନ ମୁନସିଫ୍‌ ଅଦାଲତର ଆବଶ୍ୟକତା ରହିଛି। ସ୍ଥାନୀୟ ଜିଲା ଦୌରାଜଜଙ୍କ ଅଦାଲତ ପରିସରରେ ୫ଟି ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଦଣ୍ଡାଧିକାରୀ(ଜେଏମ୍‌ଏଫ୍‌ସି) ଅଦାଲତ ଖୋଲିବା ଲାଗି ସଂଘ ପକ୍ଷରୁ ପ୍ରସ୍ତାବ ଦିଆଯାଇଥିଲା। ସେହିପରି ଆଉ ଏକ ପରିବାର ଅଦାଲତ ଖୋଲାଯିବା ଲାଗି ମୁଖ୍ୟ ବିଚାରପତିଙ୍କ ନିକଟରେ ପ୍ରସ୍ତାବ ଦିଆଯାଇଥିବା ସଭାପତି ଶ୍ରୀ ରଥ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଜିଲା ଦୌରାଜଜ୍‌ଙ୍କ ପରିସରରେ ନିର୍ମାଣାଧୀନ ବହୁତଳ ବିଶିଷ୍ଟ ବିଚାରାଳୟ କୋଠାର କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବାରୁ ଆଇନଜୀବୀଙ୍କଠାରୁ ଆରମ୍ଭ କରି ମହକିଲ  ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେଣୁ ଏହାର କାର୍ଯ୍ୟ ତ୍ବରିତ୍‌ ବେଗରେ ସମ୍ପୂର୍ଣ୍ଣ କରାଯିବା ଲାଗି ମୁଖ୍ୟ ବିଚାରପତିଙ୍କ ଦୃଷ୍ଟିଆକର୍ଷଣ କରାଯାଇଛି।  ସ୍ଥାନୀୟ ତହସିଲ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତର ନେଇ ସମସ୍ୟା ଉପୁଜୁଥିବାରୁ ନିର୍ମାଣ କାର୍ଯ୍ୟ ଅଧାରେ ଅଟକିଛି। ଉକ୍ତ କୋଠାର କିଛି ଅଂଶ ଭଙ୍ଗାଯିବା ପରେ ସେଠାରେ ଖମ୍ବ ନିର୍ମାଣ କରାଯିବ। ଆଉ ୮ଟି ଖମ୍ବ ନିର୍ମାଣ ହେବା ପରେ ଏହି ବହୁତଳ ବିଶିଷ୍ଟ ବିଚାରାଳୟ କୋଠାର କାର୍ଯ୍ୟ ଅଗ୍ରଗତି କରିବ ବୋଲି ଜଣେ ବରିଷ୍ଠ ଆଇନଜୀବୀ ମତ ଦେଇଛନ୍ତି। ତହସିଲ ଓ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଅସ୍ଥାୟୀ ଭାବେ ରାଜ୍ୟ ପ୍ରଶାସନିକ ନ୍ୟାୟାଧିକରଣ(ସ୍ୟାଟ୍‌) କାର୍ଯ୍ୟାଳୟକୁ ସ୍ଥାନାନ୍ତର ନେଇ ପ୍ରସ୍ତାବ ରହିଥିଲା। ହେଲେ ଏହା ହୋଇପାରୁ ନ ଥିବାରୁ ନିର୍ମାଣ କାର୍ଯ୍ୟ ଏକପ୍ରକାର ବାଧାପ୍ରାପ୍ତ ହୋଇଥିବା ଜଣାପଡ଼ିଛି।  ମୁଖ୍ୟ ବିଚାରପତି ଏହି ପ୍ରସଙ୍ଗ ଉପରେ ଅଧିକ ଗୁରୁତ୍ବ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜଣାଯାଇଛି।

Hot this week

ଗୁରୁ ପୃଷ୍ଟିଙ୍କ ମୃତ୍ୟୁ ଘଟଣା : ହତ୍ୟା ଅଭିଯୋଗ ଆଣିଲେ ମଉସା

ଧାମନଗର : ଯାତ୍ରା ଅଭିନେତା ଗୁରୁ ପୃଷ୍ଟିଙ୍କ ଦୁର୍ଘଟଣାଜନିତ ମୃତ୍ୟୁର ୬...

ନିଯୁକ୍ତିଭିତ୍ତିକ ପ୍ରଶିକ୍ଷଣ ସତ୍ତ୍ବେ ମିଳୁନି ଚାକିରି

୧.୪୭ ଲକ୍ଷ ତାଲିମଧାରୀ; ୪୩ ହଜାରଙ୍କୁ ନିଯୁକ୍ତି ସର୍ତ୍ତ ମାନୁନାହାନ୍ତି...

ଛତିଶା ନିଯୋଗ ବୈଠକରେ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି: ଜାନୁଆରୀ ୩ରେ ଦୁର୍ଲଭ ସୁନାବେଶ

ପୁରୀ: ଚଳିତ ମାସ ୧୬ରୁ ଜାନୁଆରୀ ୧୩ ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ହେବାକୁ...

ପ୍ରତିଶ୍ରୁତି ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ବର : ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ...

ଜୁନାଗଡ଼-ପାଣ୍ଡୁରଙ୍ଗାପୁରମ୍‌ ନୂତନ ରେଳପଥ ମଞ୍ଜୁରୀକୁ ୯ବର୍ଷ, ସରୁନି ଜମି ଅଧିଗ୍ରହଣ

ନବରଙ୍ଗପୁର: ପଛୁଆ ଓ ଆଦିବାସୀ ଅଧ୍ୟୁଷିତ ଓଡ଼ିଶା ସହ ଛତିଶଗଡ଼ ଏବଂ...

Related Articles

Popular Categories