ଏକାଠି ମାଟ୍ରିକ ପାସ୍ କଲେ ବାପ- ପୁଅ

0

ବାଲେଶ୍ୱର : କୁହାଯାଏ ପାଠ ବଢିବାର କିଛି ବୟସ ନ ଥାଏ । ଆଉ ତାହାର ପ୍ରମାଣ ମିଳିଛି ବାଲେଶ୍ୱରରେ। ୫୮ ବର୍ଷରେ ବାପା ଓ ୩୦ ବର୍ଷରେ ପୁଅ ମାଟ୍ରିକ ପାସ କରିଛନ୍ତି। ସମାନ ନମ୍ବର ରଖି ଦୁହେଁ ଏକାଠି ମାଟ୍ରିକ ପାସ୍ କରିଛନ୍ତି। ଯାହାକୁ ନେଇ ପରିବାରରେ ଖୁସି ଓ ଆନନ୍ଦ ଖେଳିଯାଇଛି। କାରଣ ଏକାଠି ବାପ ଓ ପୁଅ ମାଟ୍ରିକ୍ୟୁଲେଟ୍ ହୋଇପାରିଛନ୍ତି।
ସୋମବାର ପ୍ରକାଶିତ ଓଡ଼ିଶା ମୁକ୍ତ ବିଦ୍ୟାଳୟ ପରୀକ୍ଷାଫଳରୁ ଏହା ଜଣାପଡିଛି। ବାଲେଶ୍ୱରର ଅରୁଣ କୁମାର ବେଜ୍‍ (୫୮ ) ଓ ତାଙ୍କ ପୁଅ ବିଶ୍ୱଜିତ ବେଜ୍‍ (୩୦) ଏକାଠି ମାଟ୍ରିକ ପାସ କରିଛନ୍ତି। ପୁଣି ଉଭୟ ସମାନ ୩୪୨ ନମ୍ବର ରଖିଛନ୍ତି।
ଜଣାପଡିଛି ଯେ ଅରୁଣ ବାଲେଶ୍ୱରର ଜଣେ ବରିଷ୍ଠ ବିଜେପି ନେତା। ନିଜ ପିତାଙ୍କ ମୃତ୍ୟୁ ପରେ ସେ ଅଷ୍ଟମ ଶ୍ରେଣୀରୁ ପାଠ ପଢା ଛାଡି ଦେଇଥିଲେ। ସେହିପରି ତାଙ୍କ ପୁଅ ବିଶ୍ୱଜିତ ୨୦୦୪ରେ ମାଟ୍ରିକ ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ ମଧ୍ୟ ପରୀକ୍ଷା ଦେଇନଥିଲେ ଏବଂ ପାଠପଢା ଛାଡି ଦେଇଥିଲେ। ପରେ ସେ ଏକ ଷ୍ଟେସନାରୀ ଦୋକାନ ଖୋଲିଥିଲେ। ତେବେ ଚଳିତ ବର୍ଷ ଉଭୟ ବାପ ପୁଅ ଓଡ଼ିଶା ମୁକ୍ତ ବିଦ୍ୟାଳୟ ଅଧିନରେ ମାଟ୍ରିକ ପରୀକ୍ଷା ଦେଇ ସଫଳତା ଲାଭ କରିଛନ୍ତି । ଏବେ ଇଗ୍ନୁ ମାଧ୍ୟମରେ ଉଚ୍ଚଶିକ୍ଷା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି ଅରୁଣ ।

Leave A Reply