bjd gruha runa

ମୁଦ୍ରାସ୍ଫୀତିର ପ୍ରଭାବ : ବଢ଼ିଚାଲିଛି ବଜାର ଦର

ପରିବା, ତେଲ, ତେଜରାତି ସାମଗ୍ରୀ ଦାମ୍‌ ଉଚ୍ଚା

BJD Bijuli 480×75 Mob

ଭୁବନେଶ୍ୱର : ମୁଦ୍ରାସ୍ଫୀତି ବଢ଼ିବା କାରଣରୁ ବଜାରରେ ବିଭିନ୍ନ ସାମଗ୍ରୀର ଦରଦାମ୍‌ ମାତ୍ରାଧିକ ବୃଦ୍ଧି ପାଇବାରେ ଲାଗିଛି। ଗତ ମାସକ ଭିତରେ ପନିପରିବାଠାରୁ ଆରମ୍ଭ କରି ବିଭିନ୍ନ ତେଜରାତି ସାମଗ୍ରୀର ଦାମ୍‌ କିଲୋ ପିଛା ୫ରୁ ୧୦ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ସ୍ୱାଭାବିକ ଭାବେ କାର୍ତ୍ତିକରେ ନିରାମିଷ ସାମଗ୍ରୀର ଦାମ୍‌ ଉଚ୍ଚା ରହୁଥିବାବେଳେ ଚଳିତ ବର୍ଷ ମୁଦ୍ରାସ୍ଫୀତି କାରଣରୁ ଅଧିକାଂଶ ପରିବା ଦାମ୍‌ ଆକାଶଛୁଅାଁ ହୋଇଛି। ଅନ୍ୟପକ୍ଷରେ କାର୍ତ୍ତିକରେ ଆମିଷ ସାମଗ୍ରୀ ଉପରେ ଚାହିଦା କମ୍‌ ରହୁଥିବା କାରଣରୁ ଦାମ୍‌ ତୁଳନାତ୍ମକ ଭାବେ କମ୍‌ ରହିବ ବୋଲି
ଯେଉଁ ଧାରଣା ଥିଲା ଚଳିତ ବର୍ଷ ସେଥିରେ ବ୍ୟତିକ୍ରମ ଲକ୍ଷ୍ୟ କରାଯାଇଛି। ତେଣୁ ଉଭୟ ନିରାମିଷ ଓ ଆମିଷ ବଜାର ଉଚ୍ଚା ରହିଛି। କାର୍ତ୍ତିକ ସରୁଥିବାରୁ ଏ ବର୍ଷ ଛାଡ଼ଖାଇରେ ଆମିଷ ବଜାର ଆହୁରି ତେଜିବାର ସମ୍ଭାବନା ରହିଛି। ବିଶେଷକରି ଅର୍ଥନୈତିକ ଅଭିବୃଦ୍ଧି ହାର ଉତ୍ପାଦନ ବୃଦ୍ଧି ଓ ବଜାର ଦରର ସ୍ଥିରତା ଉପରେ ଅନେକାଂଶରେ ନିର୍ଭର କରୁଛି। କିନ୍ତୁ ଚଳିତ ବର୍ଷ ଜଳବାୟୁ ପରିବର୍ତ୍ତନର ପ୍ରଭାବରୁ ଉତ୍ପାଦନରେ ମାନ୍ଦାସ୍ଥିତି, ୟୁକ୍ରେନ ଯୁଦ୍ଧ ଏବଂ ଏବଂ ଅନ୍ୟାନ୍ୟ କାରଣରୁ ଦରବୃଦ୍ଧି ସହ ମୁଦ୍ରାସ୍ଫୀତି ହାର ବଢ଼ିଚାଲିଛି।
ଉଲ୍ଲେଖଯୋଗ୍ୟ ଯେ ଅଗଷ୍ଟରେ ମୁଦ୍ରାସ୍ଫୀତି ୭ପ୍ରତିଶତ ଥିବାବେଳେ ସେପ୍ଟେମ୍ବରରେ ତାହା ୮ପ୍ରତିଶତକୁ ମୁହାଁଇଛି। ଦରବୃଦ୍ଧି କୌଣସି ନିର୍ଦିଷ୍ଟ ବଜାର ବା ରାଜ୍ୟରେ ସୀମିତ ନାହିଁ। ଦେଶୀୟ ବଜାର ମୁଖ୍ୟତଃ ଆନ୍ତର୍ଜାତିକ ବଜାର ଦର ଉପରେ ନିର୍ଭରଶୀଳ ଥିବାରୁ ଏହାର ସିଧାସଳଖ ପ୍ରଭାବ ଖାଉଟି ବଜାର ଉପରେ ପଡ଼ୁଛି। ଏହି କାରଣରୁ ବଜାରରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ଏବେ ଅସମ୍ଭାଳ ପରିସ୍ଥିତି ସୃଷ୍ଟି କରିଛି। ଖାଦ୍ୟ ସାମଗ୍ରୀ, ପନିପରିବା, ମସଲା, ତୈଳ, ତୈଳବୀଜ, ଡାଲି, ଅଟା ସୁଜି, ଚିନି ତଥା ଅନ୍ୟାନ୍ୟ ତେଜରାତି ସାମଗ୍ରୀର ଦାମ୍‌ ମାତ୍ରାଧିକ ତେଜିଛି।
ଓଡ଼ିଶାର ସବୁଠୁ ବଡ଼ ବାଣିଜ୍ୟିକ ବଜାର କଟକ ମାଲ୍‌ ଗୋଦାମଠାରୁ ଆରମ୍ଭ କରି ଭୁବନେଶ୍ୱର, ବ୍ରହ୍ମପୁର, ରାଉରକେଲା, ସମ୍ବଲପୁର ଆଦି ବଡ଼ ବଡ଼ ସହରରେ ଥିବା ପ୍ରମୁଖ ବଜାରରେ ପ୍ରତିଟି ସାମଗ୍ରୀର ବଜାର ଦର ବଢ଼ିଛି। ହାରାହାରି ବଜାର ଦର କିଲୋ ପିଛା ୫ରୁ ୧୫ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ବିଶେଷକରି ବିଭିନ୍ନ କିସମ ଉଷୁନା ଚାଉଳର ଦାମ୍‌ ଏବେ କିଲୋ ପିଛା ୩୫ରୁ ୫୩ ଟଙ୍କା ଥିବାବେଳେ ଅରୁଆ ଚାଉଳ କିଲୋ ପିଛା ଦାମ୍‌ ୩୫ରୁ ୭୦ଟଙ୍କା ରହିଛି। ଲୋକଙ୍କ ବେଶୀ ପସନ୍ଦ ଥିବା ବିରିଆନି ଚାଉଳ କିଲୋ ପିଛା ୧୭୦ଟଙ୍କାରେ ବିକ୍ରି ହେଉଛି।
ଅଟା ଦାମ୍‌ ଅହେତୁକ ଭାବେ ବଢ଼ିଚାଳିଛି। ଏହାର କିଲୋ ପିଛା ଦାମ୍‌ ୪୦ଟଙ୍କା ଥିବାବେଳେ ସୁଜି ୩୮, ମଇଦା ୩୬ଟଙ୍କାରୁ ୪୬ଟଙ୍କାକୁ ବଢ଼ିଛି। ବେସନ ୯୦ରୁ ୧୦୦ଟଙ୍କାରେ ବିକ୍ରି ହେଉଥିବାବେଳେ ସୋରିଷ ଓ ସୂର୍ଯ୍ୟମୁଖୀ ତେଲ ଲିଟର ୧୭୦ଟଙ୍କା ଉପରେ। ହାରଡ଼ ଡାଲି ୧୨୦ରୁ ୧୨୬, ମୁଗ ଡାଲି ୧୦୦ରୁ ୧୦୫, ଚଣାଡାଲି ୭୦ରୁ ୭୫ଟଙ୍କା ଭିତରେ ବିକ୍ରି ହେଉଛି। ବ୍ୟବସାୟୀ କହୁଛନ୍ତି ଜିଏସ୍‌ଟି ଲାଗୁ ହେବା ପରେ ବିଭିନ୍ନ ସାମଗ୍ରୀର ଦାମ୍‌ ବଢ଼ିବାରେ ଲାଗିଛି।
ଅନୁରୂପ ଭାବେ ପରିବା ବଜାର ଦୀର୍ଘଦିନ ଧରି ଉଚ୍ଚା ରହିଛି। ଆଳୁ କୁଇଣ୍ଟାଲ ପିଛା ଦାମ୍‌ ୫ରୁ ୧୦ଟଙ୍କା କମିଥିବାବେଳେ ପିଆଜ କୁଇଣ୍ଟାଲ ପିଛା ଦାମ୍‌ ୧୦ରୁ ୧୫ଟଙ୍କା ବଢ଼ିଛି। ଆଳୁ କିଲୋ ୨୫ଟଙ୍କା ଓ ପିଆଜ କିଲୋ ପିଛା ଦାମ୍‌ ୩୫ରୁ ୪୦ଟଙ୍କାରେ ପହଞ୍ଚିଲାଣି। କଲରା, ପୋଟଳ, ବିନ୍‌, କାପସିଗମ, ଫୁଲକୋବି, ମାଟିଆଳୁ ଭଳି ପରିବାର ହାରାହାରି କିଲୋ ପିଛା ଦାମ୍‌ ୫୦ରୁ ୬୦ ଟଙ୍କା ରହିଛି।
କାର୍ତ୍ତିକ ସରିଥିବାରୁ ଆଗକୁ ପରିବା ବଜାର ଭାଉ ସାମାନ୍ୟ କମିବା ନେଇ ବ୍ୟବସାୟୀ ଆଶା ରଖିଛନ୍ତି। ଅନ୍ୟପଟେ ଆମିଷ ବଜାର ଭାଉ ମାତ୍ରାଧିକ ବଢ଼ିବାର ସମ୍ଭାବନା ରହିଛି। କେବଳ ତେଜରାତି, ପରିବା ବା ଆମିଷ ବଜାର ନୁହେଁ ମିଠା ବଜାରରେ ବି ଭାଉ ବଢ଼ିଛି। କ୍ଷୀରଠାରୁ ଆରମ୍ଭ କରି ଚିନି, ଛେନା ଆଦିର ଦରବୃଦ୍ଧି କାରଣରୁ ବଜାରରେ ମିଠା ଦାମ୍‌ ଏବେ ଖୁବ୍‌ ଉଚ୍ଚା ରହିଛି।
ବିଦେଶରୁ ଆମଦାନୀ ହେଉଥିବା ସାମଗ୍ରୀ ପରିମାଣ ହ୍ରାସ କାରଣରୁ ବଜାରରେ ଅଭାବ ସୃଷ୍ଟି ହେଉଛି। ସେଥିପାଇଁ ଅଧିକାଂଶ ସମୟରେ ତେଲ ଓ ଅନ୍ୟାନ୍ୟ ସାମଗ୍ରୀ ଦାମ୍‌ ଉଚ୍ଚା ରହୁଛି। ସ୍ଥଳ ବିଶେଷରେ ଏକଚାଟିଆ ଭାବେ ବୃହତ ବ୍ୟବସାୟିକ ସଂସ୍ଥା ଆମଦାନୀ କମାଇ କୃତ୍ରିମ ଅଭାବ ସୃଷ୍ଟି କରୁଥିବାରୁ ଦରଦାମ୍‌ ତେଜୁଥିବା ଅଭିଯୋଗ ହେଉଛି। ଆଗକୁ ଦରଦାମ୍‌ ଆହୁରି ବଢ଼ିବା ନେଇ ବ୍ୟବସାୟୀ ଆଶଙ୍କା କରୁଛନ୍ତି, କାରଣ ଅଧିକାଂଶ ପନିପରିବା ଓ ଅନ୍ୟାନ୍ୟ ସାମଗ୍ରୀ ପାଇଁ ଓଡ଼ିଶା ବାହାର ରାଜ୍ୟ ଉପରେ ନିର୍ଭର କରୁଛି। ଶୀତ ଋତୁରେ ରାଜ୍ୟରେ ଉତ୍ପାଦନ ବଢ଼ିବା ଦ୍ୱାରା ଅନ୍ୟ ରାଜ୍ୟ ଉପରେ ନିର୍ଭରଶୀଳତା କମିଥାଏ। ହେଲେ ରାଜ୍ୟରେ ଉତ୍ପାଦନର ମାନ୍ଦାସ୍ଥିତି କାରଣରୁ ବଜାର ଭାଉ ବଢ଼ିବାର ସମ୍ଭାବନାକୁ ଏଡ଼ାଇଦିଆଯାଇ ନପାରେ ବୋଲି ବ୍ୟବସାୟୀ ମତ ରଖିଛନ୍ତି।
ଓଡ଼ିଶା ବ୍ୟବସାୟୀ ମହାସଂଘ ସାଧାରଣ ସମ୍ପାଦକ ସୁଧାକର ପଣ୍ଡା କହିଛନ୍ତି ଯେ ମୁଦ୍ରାସ୍ଫୀତି ପ୍ରଭାବ ବଜାର ଦର ଉପରେ ପଡ଼ୁଛି। ଏବେ ପରିବା ବଜାରରେ ଅଧିକାଂଶ ଦାମ ୫୦ରୁ ୬୦ ଟଙ୍କା ଭିତରେ ରହୁଥିବାବେଳେ ପିଆଜ ଦର କିନ୍ତୁ ବଢ଼ିଯାଇଛି। ଏହାଛଡ଼ା ସୁଜି ତଥା ଅଟାଜାତୀୟ ସାମଗ୍ରୀ ଦାମ୍‌ ଉଚ୍ଚା ରହିଛି। ଅଧିକାଂଶ କମ୍ପାନୀ ଖୁଚୁରା ବଜାର ଭିତରେ ପ୍ରବେଶ କରି ଏକଚାଟିଆ ଭବେ ଦରବୃଦ୍ଧି କରୁଛନ୍ତି ଯଦ୍ୱାରା ଖାଉଟି ହନ୍ତସନ୍ତ ହେଉଛନ୍ତି। ସରକାର ଏଭଳି ବ୍ୟବସାୟୀକ ନୀତିରେ ପରିବର୍ତ୍ତନ ନଆଣିଲେ ବଜାର ଦର ନିୟନ୍ତ୍ରଣକୁ ଆସିବା ସମ୍ଭବ ନୁହେଁ।

Comments are closed.