ସ୍ୱଚ୍ଛ ମହାନଦୀ ଓ ସବୁଜ ସମ୍ବଲପୁର ବାର୍ତ୍ତା ନେଇ ମିନି ମାରାଥନ୍

0

ସମ୍ବଲପୁର: ସ୍ୱଛ ମହାନଦୀ ଓ ସବୁଜ ସମ୍ବଲପୁର ବାର୍ତ୍ତା ନେଇ  ଜିଲ୍ଲା ପ୍ରଶାସନ ପକ୍ଷରୁ ରବିବାର ମିନି ମାରାଥନ୍ ଅନୁଷ୍ଠିତ ହୋଇଯାଇଛି। ସକାଳ ସାଢେ ୬ଟାରେ ନେଲ୍ସନ୍ ମାଣ୍ଡେଲା ଛକ ଠାରୁ ମନ୍ଦଲିଆ ଛକ ପର୍ଯ୍ୟନ୍ତ ଆୟୋଜିତ ମିନି ମାରାଥନ୍‌ରେ ଛାତ୍ରଛାତ୍ରୀଙ୍କ ଠାରୁ ଆରମ୍ଭ କରି ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇଥିଲେ। ଏଥଇରେ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ ଓ ତାଙ୍କ ପରିବାର ବର୍ଗ ମଧ୍ୟ ଯୋଗ ଦେଇଥିଲେ। ଜିଲ୍ଲାପାଳ ସମର୍ଥ ବର୍ମା ସବୁଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଏଥିରେ ପ୍ରାୟ ୩ହଜାରରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା ଭାଗ ନେଇଥିଲେ। ପ୍ରାୟ ୧ହଜାର ପ୍ରତିଯୋଗୀଙ୍କ ପାଇଁ ମାରାଥନ୍ ଟି-ସାର୍ଟ ଓ ଟୋପିର ବ୍ୟବସ୍ଥା କରାଯାଇଥିଲା। ମାରାଥନ୍‌ରେ ଯୋଗ ଦେଇଥିବା ଇଛୁକ ମହିଳାପୁରୁଷ ସକାଳ ସାଢେ ୫ଟାରେ ନେଲସନ୍ ମାଣ୍ଡେଲା ଛକ ସ୍ଥିତ ପଞ୍ଜିକରଣ ଷ୍ଟଲରେ ନାମ ପଞ୍ଜିକରଣ କରିଥିଲେ।

ଏହି ମିନି ମାରାଥନ୍‌ରେ ପୁରୁଷ ବର୍ଗରେ ବାଳକୃଷ୍ଣ ଓରାମ ପ୍ରଥମ,ସୌମକାନ୍ତ ମୁଣ୍ଡା ଦ୍ୱିତୀୟ ଓ ଆକାଶ ମିର୍ଦ୍ଧା ତୃତୀୟ ସ୍ଥାନ ଅଧିକାର କରିଥିବାବେଳେ ତାଙ୍କୁ ଯଥାକ୍ରମେ ୫ହଜାର, ୩ହଜାର ଓ ୨ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ସେହିପରି ମହିଳା ବର୍ଗରେ ହୀରା ମାଝୀ, ନୈନା ପଟେଲ ଓ ନିତୁ କେୱାଟ୍ ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡିଆଇଜି ସତ୍ୟବ୍ରତ ଭୋଇ, ଏସ୍‌ପି ଅଖିଳେଶ୍ୱର ସିଂ, ଅତିରିକ୍ତ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଉପଜିଲ୍ଲାପାଳ ପ୍ରଦୀପ ସାହୁ, ମହାନଗର କମିଶନର ବିମଳେନ୍ଦୁ ରାୟ, ରେଳ ମଣ୍ଡଳ ପ୍ରବନ୍ଧକ ଡ. ଜୟଦୀପ ଗୁପ୍ତା, ସମ୍ବଳପୁର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଦୀପକ ବେହେରା ,ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟ କୁଳପତି ପ୍ରଫେସର ଅତନୁ ଘୋଷ, ଏସ୍‌ଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି, ଭୀମସାର ନିର୍ଦ୍ଦେଶକ ଡା. ଅଶ୍ୱିନୀ ପୁଜାହାରୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ମହାନଦୀ ଗତ କିଛି ବର୍ଷ ହେବ ପ୍ରଦୂଷିତ ହୋଇପଡିଛି। ବିଶେଷ ଭାବେ ସମ୍ବଲପୁରର ରିଂରୋଡ କଡରେ ମହାନଦୀ ଜଳ ବିଶେଷ ପ୍ରଦୂଷିତ ହୋଇଛି। ତେଣୁ ଏହି ଜଳକୁ ବ୍ୟବହାର କରି ଲୋକେ ଜଣ୍ଡିସ ଓ ବିଭିନ୍ନ ଚର୍ମ ରୋଗରେ ଆକ୍ରାନ୍ତ ହେଉଛନ୍ତି। ତେଣୁ ରିଂରୋଡକୁ ସଫା ରଖିବା ପାଇଁ ମହାନଗର ପକ୍ଷରୁ ବିବିଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ଗତ କିଛି ଦିନ ହେବ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିଆର୍‌ପିଏଫ୍ ଯବାନ ଖୋଲା ଶୌଚ ରୋକିବା ପାଇଁ ରିଂରୋଡରେ ପଇଁତରା ମାରିଛନ୍ତି। ତେବେ ଏପ୍ରିଲ୍୨୨  ବିଶ୍ୱ ଧରିତ୍ରୀ ଦିବସରେ ମିନି ମାରାଥନ୍ କାର୍ଯ୍ୟକ୍ରମ ସହରବାସୀଙ୍କୁ ବେଶ  ଉତ୍ସାହିତ କରିଛି।

Leave A Reply