www.samajalive.in
Tuesday, December 9, 2025
17.1 C
Bhubaneswar

ମଣିପୁର ହିଂସାରେ ମୃତ୍ୟୁ ସଂଖ୍ୟା ୫୪କୁ ବୃଦ୍ଧି, ଭୟରେ ପଳାୟନ କଲେଣି ୯ ହଜାରରୁ ଅଧିକ

ଇମ୍ଫାଲ: ମଣିପୁରରେ ସଂଖ୍ୟାବହୁଳ ମୈତି ସମ୍ପ୍ରଦାୟକୁ ଏସ୍‌ଟି ସଂରକ୍ଷଣ ପ୍ରଦାନ ପ୍ରତିବାଦରେ ମେ ୩ରୁ ଜାରି ରହିଥିବା ହିଂସାକାଣ୍ଡରେ ମୃତ୍ୟୁ ସଂଖ୍ୟା ୫୪ରେ ପହଞ୍ଚିଥିବାବେଳେ ପରିସ୍ଥିତି ଏବେ ସୁଦ୍ଧା ଉତ୍ତେଜନାପୂର୍ଣ୍ଣ ରହିଛି। ଶନିବାର ଜଣେ ସିଆରପିଏଫ୍‌ କୋବ୍ରା ବାହିନୀ ଯବାନଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଆହତଙ୍କ ସଂଖ୍ୟା ୧୫୦ ବୋଲି ସରକାରୀ ଭାବେ କୁହାଯାଇଛି। ଅଦ୍ୟାବଧି ୩୧ଜଣଙ୍କ ମୃତଦେହ କେହି ଗ୍ରହଣ କରିନଥିବାରୁ ଏହାକୁ ଶବଗୃହରେ ରଖାଯାଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ଭଙ୍ଗାରୁଜା ମଧ୍ୟ ଅବ୍ୟାହତ ଅଛି। ଆନ୍ଦୋଳନକାରୀ ଦୋକାନ ବଜାର, କୋଠା, ଗାଡ଼ି, ସ୍କୁଲ ଘର ପୋଡ଼ିଥିବା ଦେଖାଯାଇଛି। ଚୁରାଚନ୍ଦପୁର, ମୋରେ, କାକଚିଂ ଓ କାଙ୍ଗକୋପ୍‌କି ଜିଲାରେ ଏହା ବ୍ୟାପକ ଆକାର ଧାରଣ କରିଛି। ଶାନ୍ତି ଫେରାଇ ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ଏନ୍‌ ବୀରେନ୍‌ ସିଂହ ଶନିବାର ସର୍ବଦଳୀୟ ବୈଠକ ଡକାଇ ଆଲୋଚନା କରିଛନ୍ତି। ହିଂସାଗ୍ରସ୍ତ ଅଞ୍ଚଳରୁ ସେନା ୧୩ହଜାର ଲୋକଙ୍କୁ ଉଦ୍ଧାର କରିଥିବା ଜଣାଯାଇଛି। ସିଆରପିଏଫ୍‌, ଆରଏଏଫ୍‌, ଆସାମ ରାଇଫଲ ଓ ଅନ୍ୟ ଅର୍ଦ୍ଧସାମରିକ ବାହିନୀ ତଥା ସେନାର ପ୍ରାୟ ୧୦ହଜାର ଯବାନ ମୁତୟନ ହୋଇଛନ୍ତି। ଅପରପକ୍ଷରେ ସୀମାନ୍ତରେ ଘଟିଥିବା ଗୁଳି ବିନିମୟରେ ୫ ଉଗ୍ରବାଦୀଙ୍କ ମୃତ୍ୟୁ ଘଟିଥିବାବେଳେ ଦୁଇ ଯବାନ ଆହତ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଭାରତ-ମ୍ୟାଁମାର ସୀମାନ୍ତରେ ସେନା ପକ୍ଷରୁ ଡ୍ରୋନ୍‌ ସହାୟତାରେ ନଜର ରଖାଯିବ ବୋଲି ନିଷ୍ପତ୍ତି ହୋଇଛି। ମଣିପୁରକୁ ସମସ୍ତ ଟ୍ରେନ୍‌ ଯାତାୟାତ ବାତିଲ କରାଯାଇଛି। ହିଂସା ଦୃଷ୍ଟିରୁ ପଶ୍ଚିମବଙ୍ଗ ସରକାର ମଧ୍ୟ ସୀମାନ୍ତରେ ସତର୍କତା ଜାରି କରିଛନ୍ତି। ବାୟୁସେନା ପକ୍ଷରୁ ଦୁଇଟି ଯୁଦ୍ଧବିମାନ ପ୍ରସ୍ତୁତ ରଖାଯାଇଛି। ମଣିପୁର ହିଂସା ପଡ଼ୋଶୀ ରାଜ୍ୟ ମେଘାଳୟକୁ ବ୍ୟାପିଛି। କିଛି ଜନଜାତି ସଂଗଠନ ପକ୍ଷରୁ ସଭା ଓ ଶୋଭାଯାତ୍ରା ଆୟୋଜନ କରାଯିବା ଘଟଣାରେ ପୁଲିସ ୧୬ଜଣଙ୍କୁ ଅଟକ ରଖାଯାଇଛି। ହିଂସାକାଣ୍ଡ ଯେମିତି ଏହି ରାଜ୍ୟକୁ ନ ବ୍ୟାପେ ସେଥିପାଇଁ କଡ଼ା ସତର୍କତା ଜାରି କରାଯାଇଛି। ମଣିପୁରରେ କାମ କରୁଥିବା ମେଘାଳୟ ବାସିନ୍ଦା ଓ ଛାତ୍ରଙ୍କୁ ଫେରାଇ ଅଣାଯାଇଛି।

ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହାର ତାତି ଅନୁଭୂତ ହୋଇଛି। ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ଅଧ୍ୟୟନ କରୁଥିବା କୁକି ଜନଜାତିର ଛାତ୍ରଛାତ୍ରୀ ଓ ମୈତେଇ ସମ୍ପ୍ରଦାୟର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଛୋଟକାଟର ସଂଘର୍ଷ ହୋଇଥିବା ଖବର ମିଳିଛି। ବିଶ୍ବବିଦ୍ୟାଳୟର ଉତ୍ତର କ୍ୟାମ୍ପସ୍‌ରେ ଗଣ୍ଡଗୋଳ ପରେ ପୁଲିସ କିଛି ଛାତ୍ରଙ୍କୁ ଅଟକ ରଖିଛି। କିଛି ଛାତ୍ର ଏତଲା ଦେବାକୁ ଯିବା ସହ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ଥିବା ପୁଲିସ କହିଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories