ଶତ ପ୍ରତିଶତ ପ୍ରଦର୍ଶନ ପାଇଁ ସର୍ବଦା ଚେଷ୍ଟା କରିଥାଏ: ମନଦୀପ
ଭୁବନେଶ୍ୱର : କଳିଙ୍ଗ ଷ୍ଟାଡ଼ିୟମର ସିନ୍ଥେଟିକ୍ ହକି ଟର୍ଫରେ ଚାଲିଛି ଭାରତୀୟ ସିନିୟର ହକି ଦଳର ପ୍ରଶିକ୍ଷଣ ଶିବିର। ଅକ୍ଟୋବର ୧୮ରୁ ୨୮ ପର୍ଯ୍ୟନ୍ତ ଓମାନର ମସ୍କଟଠାରେ ଖେଳାଯିବାକୁ ଥିବା ପଞ୍ଚମ ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ପାଇଁ ଉକ୍ତ ଶିବିରରୁ ୧୮ଜଣିଆ ଭାରତୀୟ ଦଳ ମନୋନୟନ କରାଯାଇଛି। ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ କଳିଙ୍ଗ ଷ୍ଟାଡ଼ିୟମରେ ଖେଳାଯିବାକୁ ଥିବା ହକି ବିଶ୍ୱକପ ପୂର୍ବରୁ ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ଭାରତୀୟ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି। ଏହାକୁ ଦୃଷ୍ଟିରେ ରଖି ଭାରତୀୟ ମନୋନୟନକାରୀ ଓ ମୁଖ୍ୟ ପ୍ରଶିକ୍ଷକ ଏସିଆନ ଚମ୍ପିଆନ୍ସ ଟ୍ରଫିରେ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ରଖିଛନ୍ତି। ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ପାଇଁ ଚୂଡାନ୍ତ ଦଳରେ ସ୍ଥାନ ପାଇଥିବା ଖେଳାଳିଙ୍କ ମଧ୍ୟରେ ଯୁବ ଫରୱାର୍ଡ ମନଦୀପ ସିଂହ ଅନ୍ୟତମ। ୨୦୧୬ରେ ଲକ୍ଷ୍ନୌରେ ଆୟୋଜିତ ଜୁନିୟର ବିଶ୍ୱକପରେ ଭାରତକୁ ଚମ୍ପିଆନ କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିବା ମନଦୀପ୍ କୁହନ୍ତି, ଭାରତ ବିଶ୍ୱ ହକିର ଅନ୍ୟତମ ପ୍ରମୁଖ ଦଳ। ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଏକ ସମତୁଲ ଦଳ ମନୋନୟନ କରାଯାଇଛି। ଶିବିରରେ ସିନିୟର ଖେଳାଳିମାନେ ସବୁବେଳେ ଯୁବ ଖେଳାଳିମାନଙ୍କୁ ପରାମର୍ଶ ଦେଇଥାନ୍ତି। ମୁଖ୍ୟ ପ୍ରଶିକ୍ଷକ ହରେନ୍ଦ୍ର ସିଂ ପ୍ରତି ଖେଳାଳିଙ୍କ ଦକ୍ଷତାକୁ ପରଖିବାରେ ସକ୍ଷମ। ଖେଳାଳିଙ୍କ ତ୍ରୁଟିକୁ ସୁଧାରିବାକୁ ସବୁବେଳେ ପ୍ରଶିକ୍ଷକ ଗୁରୁତ୍ୱ ଦେଇଥାନ୍ତି। ଏସୀୟ କ୍ରୀଡ଼ାର ଲିଗ୍ରେ ଭଲ ପ୍ରଦର୍ଶନ ସତ୍ତ୍ବେ ଭାରତ ସେମିଫାଇନାଲରେ ପରାଜିତ ହେବା କଥା ଏବେ ବି ମନରୁ ଲିଭିନାହିଁ। ଏସୀୟ କ୍ରୀଡ଼ାରେ ବିଫଳତା ଆମକୁ ନୂଆ ଶିକ୍ଷାଦେଇଛି ବୋଲି ମନଦୀପ କହିଛନ୍ତି। ଏସିଆନ ଚମ୍ପିଆନ୍ସ ଟ୍ରଫି ହକି ବିଶ୍ୱକପ ପୂର୍ବରୁ ବଡ଼ ପ୍ରସ୍ତୁତିର ସୁଯୋଗ। ମ୍ୟାଚରେ ବିଜୟୀ ହେବା ନିମନ୍ତେ ସବୁବେଳେ ଦଳଗତ ପ୍ରଦର୍ଶନର ଆବଶ୍ୟକତା ରହିଥାଏ। ଜଣେ କିମ୍ବା ଦୁଇଜଣ ଖେଳାଳି ମ୍ୟାଚରେ ଶ୍ରେଷ୍ଠ ପ୍ରଦର୍ଶନ କରୁଥିଲେ ମଧ୍ୟ ଅନ୍ୟ ଖେଳାଳିଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ପଡ଼ିଆରେ ସବୁବେଳେ ଶତ ପ୍ରତିଶତ ପ୍ରଦର୍ଶନ ନେଇ ମୁଁ ଚେଷ୍ଟା କରିଥାଏ। ଦଳର ପ୍ରତ୍ୟେକ ଖେଳାଳି ପଡ଼ିଆରେ ସବୁବେଳେ ଶତ ପ୍ରତିଶତ ପ୍ରଦର୍ଶନ କରିବା ଉପରେ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମନଦୀପ୍ କହିଛନ୍ତି। ଭୁବନେଶ୍ୱର ଏବେ ଦେଶର ଏକ ଅଗ୍ରଣୀ ହକି ସହରରେ ପରିଣତ ହୋଇଛି। ଘରୋଇ ପଡ଼ିଆରେ ବିଶ୍ୱକପ ଖେଳାଯାଉଥିବାବେଳେ ଆମ ଉପରେ ନିଶ୍ଚିତ ଚାପ ରହିବ। ଏହା ଆମ ପାଇଁ ଏକ ବଡ଼ ଆହ୍ୱାନ। ଘରୋଇ ଦର୍ଶକଙ୍କ ସମର୍ଥନ ଦଳକୁ ପ୍ରୋତ୍ସାହିତ କରିବ ବୋଲି ମନଦୀପ ଆଶାବ୍ୟକ୍ତ କରିଛନ୍ତି। ବିଶ୍ୱକପ ପୂର୍ବରୁ ଏସିଆନ ଚମ୍ପିଆନ୍ସ ଟ୍ରଫି ହାସଲ କରିବା ଆମର ପ୍ରଥମ ଲକ୍ଷ୍ୟ ରହିଛି। ଏଥିପାଇଁ ଦଳ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ବୋଲି ମନଦୀପ୍ କହିଛନ୍ତି।