ସମାଜ ଡିଜିଟାଲ ଡେସ୍କ: ଭାଉଜର ମୁଣ୍ଡ କାଟି ହତ୍ୟା କରିବା ପରେ କଟା ମୁଣ୍ଡକୁ ଧରି ରାସ୍ତାରେ ବୁଲିଲା ଯୁବକ। ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପରଗଣା ଜିଲାରେ ଏଭଳି ଲୋମହର୍ଷଣକାରୀ ହତ୍ୟାକାଣ୍ଡ ଘଟିଛି। ଅଭିଯୁକ୍ତ ଯୁବକ କଟା ମୁଣ୍ଡ ସହିତ ଥାନାରେ ଆତ୍ମସମର୍ପଣ କରିଛି। ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହିତ ହତ୍ୟାର ଶିକାର ନିତା ମଣ୍ଡଳଙ୍କ ମୃତଦେହ ଜବତ କରି ତଦନ୍ତ ଚଳାଇଛି।
ଅଭିଯୁକ୍ତ ନାଁ ହେଉଛି ବିମଳ ମଣ୍ଡଳ। ସେ ଭରତଗଡ଼ର ବାସନ୍ତୀ ଅଞ୍ଚଳରେ ରହୁଥିଲା। ପୁଲିସ ସୂଚନା ଅନୁସାରେ, ନିତା ହେଉଛନ୍ତି ବିମଳର ଭାଉଜ। ସମ୍ପତ୍ତିବାଡ଼ିକୁ ନେଇ ବିମଳ ଏବଂ ନିତାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏହା ପରେ ବିମଳ ଏକ ଧାରୁଆ ଅସ୍ତ୍ରରେ ନିତାଙ୍କ ବେକକୁ ଆକ୍ରମଣ କରିଥିଲେ। ଫଳରେ ଶରୀରରୁ ମୁଣ୍ଡ ଅଲଗା ହୋଇଯାଇଥିଲା। ପରେ ବିମଳ ନିତାଙ୍କ କଟାମୁଣ୍ଡ ଧରି ରାସ୍ତାରେ ଚାଲି ଚାଲି ଥାନାକୁ ଯାଇଥିଲା। ଏହି ସମୟରେ ସ୍ଥାନୀୟ ଲୋକେ ଭିଡିଓ କରି ପୁଲିସକୁ ଖବର ଦେଇଥିଲେ।



