ମମିତା ମେହେର ହତ୍ୟା ମାମଲା: ବଙ୍ଗୋମୁଣ୍ଡା ଜେଏମ୍‍ଏଫ୍‍ସି କୋର୍ଟରେ ୨ ଅଭିଯୁକ୍ତ ହାଜର

କଣ୍ଟାବାଞ୍ଜି ଏଡିଜେ ନ୍ୟାୟାଳୟରେ ହେବ ପରବର୍ତ୍ତୀ ବିଚାର

ବଲାଙ୍ଗିର: ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ବିଚାର ପ୍ରକ୍ରିୟା ଆରମ୍ଭ ହୋଇଛି। କଣ୍ଟାବାଞ୍ଜି କାରାଗାରରୁ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଓ ସହ ଅଭିଯୁକ୍ତ ତଥା ଚାଳକ ରାଧେଶ୍ୟାମ ଚଣ୍ଡିକୁ ବଙ୍ଗୋମୁଣ୍ଡା ଜେଏମ୍‍ଏଫ୍‍ସି ନ୍ୟାୟାଳୟରେ ହାଜର କରାଯାଇଛି। ତେବେ ପରବର୍ତ୍ତୀ ବିଚାର ପ୍ରକ୍ରିୟା ବଙ୍ଗୋମୁଣ୍ଡାରେ ନହୋଇ କଣ୍ଟାବାଞ୍ଜି ଏଡିଜେ ନ୍ୟାୟାଳୟରେ ହେବ ବୋଲି ସୂଚନା ମିଳିଛି।

prayash

ବଲାଙ୍ଗିର ଜିଲା ତୁରେକେଲା ବ୍ଲକ ଝରନି ଗାଁର ସୁଚେନ୍ଦ୍ର ମେହେର ଓ ତୁଲାସୀ ମେହେରଙ୍କ ଝିଅ ମମିତା ଗତ ଅକ୍ଟୋବର ୮ ତାରିଖରେ ଘରୁ ବାହାରିଥିଲେ। ବସ୍‍ରେ ଚାନ୍ଦୋତରା ଯାଏ ଆସିଥିଲେ। ଏହା ପରେ ଏକ କାର୍‍ରେ ସେ ବସିଥିଲେ। ତା’ପରେ ମମିତାଙ୍କୁ ଯୋଗାଯୋଗ ହୋଇ ପାରି ନଥିଲା। ପରିବାର ଲୋକେ ପୁଲିସର ଦ୍ୱାରସ୍ଥ ହୋଇଥିଲେ। ରହସ୍ୟଜନକ ଭାବେ ମମିତା ଉଭାନ ହେବା ଘଟଣାରେ କଳାହାଣ୍ଡି ଓ ବଲାଙ୍ଗିର ପୁଲିସକୁ ନ୍ୟାୟ ଭିକ୍ଷା କରିଥିଲେ ବାପା-ମାଆ। କଳାହାଣ୍ଡି ଜିଲା ମହାଲିଙ୍ଗ ସ୍ଥିତ ସନ୍‍ ସାଇନ୍‍ ପବ୍ଲିକ୍‍ ସ୍କୁଲର ପରିଚାଳନା ପରିଷଦ ସଭାପତି ଗୋବିନ୍ଦ ସାହୁ ଓ ସହଯୋଗୀ ରାଧେଶ୍ୟାମ ଚଣ୍ଡିଙ୍କୁ ଅକ୍ଟୋବର ୧୫ରେ ଗିରଫ କରାଯାଇଥିଲା। ପୁଲିସ ହେପାଜତରେ ରହିବା ପରେ ଗୋବିନ୍ଦ ୧୭ ତାରିଖରେ ଫେରାର ହୋଇଯାଇଥିଲେ। ବଲାଙ୍ଗିର ପୁଲିସ ମହାଲିଙ୍ଗ ସ୍ଥିତ ମହାଲିଙ୍ଗ କଲେଜର ମିନି ଷ୍ଟାଡିୟମରେ ଖୋଳାଯାଇଥିବା ଓ ମାଟି ପୋତା ଯାଇଥିବା ସ୍ଥାନରେ ଛାନବିନ କରିବା ପରେ ମମିତାଙ୍କ ଅର୍ଦ୍ଧଦଗ୍ଧ ଶବ ପାଇଥିଲା। ସେହିଦିନ ହିଁ ଗୋବିନ୍ଦ ଆଖୁ ବାଡିରେ ଲୁଚିଥିବା ବେଳେ ତାକୁ ପୁଲିସ କାବୁ କରିବାରେ ସକ୍ଷମ ହୋଇଥିଲା। ଇତିମଧ୍ୟରେ ମମିତା ହତ୍ୟାକାଣ୍ଡକୁ ୪ ମାସ ବିତିଛି। କିଛି ଦିନ ପୂର୍ବରୁ ସିନେ୍ଧକେଲା ପୁଲିସ ବଙ୍ଗୋମୁଣ୍ଡା ଜେଏମ୍‍ଏଫ୍‍ସି ନ୍ୟାୟାଳୟରେ ପୁଲିସ ପକ୍ଷରୁ ୨ହଜାର ପୃଷ୍ଠାର ସ୍ଥିତ ପତ୍ର(ଚାର୍ଜସିଟ୍‍) ଦାଖଲ କରାଯାଇଥିଲା। ୧୬୪ ଧାରାରେ ୧୩ଜଣଙ୍କ ବୟାନ, ୧୬୧ ଧାରାରେ ଶହେ ଜଣଙ୍କ ବୟାନ ସହ ଫୋରେନ୍‍ସିକ୍‍, ସାଇଣ୍ଟିଫିକ୍‍ ତଥା ଅନ୍ୟାନ୍ୟ ସୂଚନା ପୁଲିସ ପକ୍ଷରୁ ଦିଆଯାଇଥିଲା। ଗୁରୁବାର ମାମଲାର ବିଚାର ପାଇଁ ଗୋବିନ୍ଦ ଓ ରାଧେଶ୍ୟାମକୁ ବଙ୍ଗୋମୁଣ୍ଡା ଜେଏମ୍‍ଏଫ୍‍ସି ନ୍ୟାୟାଳୟରେ ହାଜର କରିଥିଲା ପୁଲିସ। ଯେହେତୁ ଏହି ମାମଲାରେ ୩୦୨(ହତ୍ୟା) ଭଳି ସଙ୍ଗୀନ ଦଫା ରହିଛି। ତେଣୁ ଏହାର ବିଚାର ଉପର ନ୍ୟାୟାଳୟରେ ହେବ। କଣ୍ଟାବାଞ୍ଜି ସ୍ଥିତ ଏଡିଜେ ନ୍ୟାୟାଳୟରେ ଆନୁସଙ୍ଗିକ କାଗଜପତ୍ର ଦାଖଲ ପରେ ପରବର୍ତ୍ତୀ ବିଚାର ପ୍ରକ୍ରିୟା ଚାଲିବ ବୋଲି ଜେଏମ୍‍ଏଫ୍‍ସି କହିଥିବା ସରକାରୀ ଓକିଲ ବ୍ୟାସଦେବ ରାୟ ସୂଚନା ଦେଇଛନ୍ତି।

kalyan agarbati

Comments are closed.