ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ହାରିବା ଭୟରେ ‘ହାରାତଙ୍କ’ରେ ପୀଡିତ ଏବଂ ସେ ସାମ୍ପ୍ରଦାୟିକତା ଆଧାରରେ ଲୋକମାନଙ୍କୁ ଭାଗ ଭାଗ କରି ରାଜ୍ୟଗୁଡ଼ିକରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛନ୍ତି। ଶନିବାର ମମତା କୃଷ୍ଣନଗର ଲୋକସଭା ପ୍ରାର୍ଥୀ ମୋହୁଆ ମୋଇତ୍ରାଙ୍କ ସମର୍ଥନରେ ଅନୁଷ୍ଠିତ ରାଲିରେ ଉଦବୋଧନ ଦେଇ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଜାଣନ୍ତି ଯେ ସେ ନିର୍ବାଚନ ହାରିଯିବେ। ସେ ଏବେ ‘ହାରାତଙ୍କ’ରେ ପୀଡିତ ତେଣୁ ସେ ଉତ୍ତରପ୍ରଦେଶ, ରାଜସ୍ଥାନ, ନୂଆଦିଲ୍ଲୀ, ପଞ୍ଜାବ, ଆନ୍ଧ୍ର ପ୍ରଦେଶ, ଗୁଜୁରାଟ, ଓଡିଶା ଏବଂ ଅନ୍ୟ ରାଜ୍ୟରେ ହାରିଯିବା ଭୟରେ ଅଧିକ ଗପୁଛନ୍ତି।
ସେ କହିଛନ୍ତି, ଯଦି ବିଜେପି ତ୍ରିପୁରାରେ ବିଜୟ ହାସଲ କରୁଛି ତାଙ୍କୁ ଖରାପ ଲାଗିବନି କାରଣ ସେଠାରୁ ବିଜେପିକୁ ୫୪୩ ଆସନ ମିଳିବନାହିଁ। ମୋଦୀ ହିନ୍ଦୁ-ମୁସଲିମ ଆଧାରରେ ଭୋଟ ହାସଲ ପାଇଁ ପଶ୍ଚିମବଙ୍ଗ ଆଖପାଖ ଅଞ୍ଚଳରେ ସଭା କରୁଛନ୍ତି ବୋଲି ମମତା ବାନାର୍ଜୀ କହିବା ସହ ସେ ଯଦି ଲୋକମାନଙ୍କ ପାଇଁ କିଛି କରି ନାହାନ୍ତି, ତେବେ ଲୋକମାନେ ତାଙ୍କୁ ଜବାବ ମାଗିବେ ବୋଲି ସେ କହିଛନ୍ତି।



