BJD Bijuli 480×75 Mob

ମହିଳାଙ୍କୁ ଚିକିତ୍ସା ସହାୟତା ୭ ଲକ୍ଷ

BJD Bijuli 480×75 Mob
0

କାଲିମେଳା : ମାଲକାନଗିରି ଜିଲା କାଲିମେଳା ଖେଳ ପଡିଆରେ ବୁଧବାର ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ଥାନୀୟ ଅଞ୍ଚଳର ଝିଅ ମମତା ପଡ଼ିଆମୀଙ୍କ ଅନୁରୋଧ ରକ୍ଷା କରିଛନ୍ତି। ମମତାଙ୍କ ଅନୁରୋଧକୁ ଆଧାର କରି ମୁଖ୍ୟମନ୍ତ୍ରୀ ମହିଳାଙ୍କ ବିକାଶ ପାଇଁ ତ୍ୱରିତ୍ ଏକ ନୂଆ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନୂଆ ଘୋଷଣା ଅନୁସାରେ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କୁ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସହାୟତା ଯୋଗାଇ ଦିଆଯିବ।
ସଚିବାଳୟଠାରେ ବୁଧବାର ଆୟୋଜିତ ‘ଆମ ଗାଁ ଆମ ବିକାଶ’ କାର୍ୟ୍ୟକ୍ରମରେ ଅଂଶ ଗ୍ରହଣ ଅବସରରେ ମାଲକାନଗିରି ଜିଲାର ଦୁର୍ଗମ କାଲିମେଳା ଅଞ୍ଚଳର ମମତା ପଡ଼ିଆମୀ ମୁଖ୍ୟମନ୍ତ୍ରୀଙ୍କୁ ଏ ନେଇ ଅନୁରୋଧ କରିଥିଲେ। ମହିଳାଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି ପାଇଁ ସେ ଅନୁରୋଧ କରିଥିଲେ। ମମତା କହିଥିଲେ, ମହିଳାମାନଙ୍କର ସ୍ୱାସ୍ଥ୍ୟ ସମସ୍ୟା ଅଧିକ ରହିଥିବାବେଳେ ମୁଖ୍ୟମନ୍ତ୍ରୀ ସେମାନଙ୍କ ପାଇଁ ଅନେକ କିଛି କରିଛନ୍ତି। ପଚାଶ ପ୍ରତିଶତ ସ୍ଥାନ ସଂରକ୍ଷଣ ଯୋଗୁଁ ମହିଳାମାନେ ପୁରଷଙ୍କ ସମକକ୍ଷ ହୋଇ ଆଜି ବିକାଶ ଧାରାରେ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହେଉଛନ୍ତି। ମିଶନ ଶକ୍ତି କାର୍ୟ୍ୟକ୍ରମ ଜରିଆରେ ମହିଳାମାନେ ସେମାନଙ୍କ ପରିବାର ପାଇଁ ଅନେକ କିଛି କରି ପାରିଛନ୍ତି। ଏପରିସ୍ଥଳେ ମହିଳାମାନଙ୍କ କଥା ସ୍ୱତନ୍ତ୍ର ଭାବେ ବିଚାର କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସେମାନଙ୍କ ପାଇଁ ଅଧିକ ଅର୍ଥ ବ୍ୟବସ୍ଥା କରିବାକୁ ମମତା ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିଲେ। କାଲିମେଳାର ଏହି ଯୁବତୀଙ୍କ ଯୁକ୍ତି ମୁଖ୍ୟମନ୍ତ୍ରୀଙ୍କୁ ବହୁତ ପ୍ରଭାବିତ କରିଥିଲା। ଏହାପରେ ମୁଖ୍ୟମନ୍ତ୍ରୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମହିଳାମାନଙ୍କ ଚିକିତ୍ସା ପାଇଁ ସହାୟତା ରାଶିକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି, ମା’ମାନଙ୍କ କଲ୍ୟାଣ ପାଇଁ ମୋ ସରକାର ସବୁବେଳେ କାମ କରିଆସିଛି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଚିକିତ୍ସା ସହାୟତା ରାଶି ବୃଦ୍ଧି ଦ୍ୱାରା ମା ଓ ଭଉଣୀମାନେ ଅଧିକ ଉପକାର ପାଇବେ।ଏହି ଘୋଷଣା ପରେ ସାରା ରାଜ୍ୟରେ ଖୁସିର ବାତାବରଣ ଦେଖା ଦେଇଥିବାବେଳେ କାଲିମେଳା ଅଞ୍ଚଳର ମମତା ଏବେ ଚର୍ଚ୍ଚାରେ ରହିଛନ୍ତି । ମମତା ସ୍ଥାନୀୟ କାଲିମେଳା ମହାବିଦ୍ୟାଳୟରେ ପାଠ ପଢିବା ସହ ସ୍ୱେଚ୍ଛାରେ ଜଣେ ସମାଜସେବୀ ଭାବେ କାର୍ୟ୍ୟ କରୁଛନ୍ତି। ତାଙ୍କ ଭଳି ଜଣେ ଆଦିବାସୀ ଝିଅର କଥାକୁ ଗୁରୁତ୍ୱ ଦେଇ ଏତେ ଶୀଘ୍ର ମହିଳାମାନଙ୍କ ପାଇଁ ଏକ ଭଲ ଯୋଜନା କରାଯାଇଥିବାରୁ ମମତା ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ସେ ଅତ୍ୟନ୍ତ ଖୁସି ଥିବା ଜଣାଇଛନ୍ତି।
ସୂଚନାଯୋଗ୍ୟ, ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ମିଶନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ୧୨ ତାରିଖରେ ‘ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା’ ଭଳି ଏକ ସୁଦୂରପ୍ରସାରୀ ଯୋଜନା ଘୋଷଣା କରିଥିଲେ। ଏହି ଯୋଜନାରେ ରାଜ୍ୟବାସୀଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ମିଳିବ। ଆସ୍ତନ୍ତା ଅଗଷ୍ଟ ୧୫ ତାରିଖରୁ ଏହା କାର୍ୟ୍ୟକାରୀ ହେବ। ଚିକିତ୍ସା ସହାୟତା ବାବଦରେ ୫ ଲକ୍ଷ ଟଙ୍କା ଘୋଷଣା କରିବା ଏବଂ ମହିଳାଙ୍କ
କ୍ଷେତ୍ରରେ ଏହାକୁ ୭ଲକ୍ଷ ଟଙ୍କାକୁ ବୃଦ୍ଧି କରିବାରେ ଓଡ଼ିଶା ହେଉଛି ଦେଶର ପ୍ରଥମ ରାଜ୍ୟ।
ତୃଣମୂଳସ୍ତରରୁ ଉନ୍ନତ ମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବା କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିଶ୍ରୁତିବଦ୍ଧତାର ଅଂଶ ଭାବେ ଏଥିରେ ୫ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ବ୍ୟବସ୍ଥା ରହିଛି। ରାଜ୍ୟର ୭୦ ଲକ୍ଷରୁ ଅଧିକ ପରିବାର ତଥା ସାଢ଼େ ତିନି କୋଟିରୁ ଅଧିକ ଲୋକ ଏହି ସୁବିଧା ପାଇପାରିବେ। ଆଜିର ଘୋଷଣା ପରେ ମହିଳାମାନେ ୭ ଲକ୍ଷ ଟଙ୍କା ପର୍ୟ୍ୟନ୍ତ ଚିକିତ୍ସା ସହାୟତା ପାଇବେ। ଏହି ଯୋଜନା ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟ ଅନୁଷ୍ଠାନରେ କାର୍ୟ୍ୟକାରୀ ହେବ। ସ୍ୱାସ୍ଥ୍ୟ ଉପକେନ୍ଦ୍ର, ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର, ଉପଖଣ୍ଡ ଚିକିତ୍ସାଳୟ ଏବଂ ଜିଲା ମୁଖ୍ୟ ଚିକିତ୍ସାଳୟଗୁଡ଼ିକରେ ମାଗଣାରେ ଚିକିତ୍ସାସେବା ଉପଲବ୍ଧ ହେବ।

Leave A Reply