ପୁଣି ଭାରରେ ବୁହାହେଲେ ଗର୍ଭବତୀ
ମାଲକାନଗିରି : ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅନ୍ତର୍ଗତ ଚେପୁଲପଡା ଗ୍ରାମରେ ଜଣେ ଗର୍ଭବତୀଙ୍କୁ ଭାରରେ ବୋହି ଡାକ୍ତରଖାନା ନିଆଯାଇଥିବା ଜଣାପଡିଛି। ସୂଚନା ମୁତାବକ, ଚେପୁଲପଡା ଗ୍ରାମର ଧବୁଲୁ ମାଝିଙ୍କ ସ୍ତ୍ରୀ କାନ୍ଦ୍ରି ମାଝିଙ୍କର ପ୍ରସବ ଯନ୍ତ୍ରଣା ଆରମ୍ଭ ହୋଇଥିଲା । ଆଶା ଦିଦିଙ୍କୁ ଖବର ଦେବାରୁ ସଙ୍ଗେ ସଙ୍ଗେ ପ୍ରସୂତିଙ୍କୁ ସ୍ବାସ୍ଥ୍ୟକେନ୍ଦ୍ର ନେବାର ବ୍ୟବସ୍ଥା କରିବାକୁ ସେ ପରିବାର ଲୋକଙ୍କୁ କହିଥିଲେ । ସେଠାରୁ ୧୦୮ ଆମ୍ବୁଲାନସକୁ ଫୋନ କରିଥିଲେ ମଧ୍ୟ ଶୋଚନୀୟ ରାସ୍ତା ଯୋଗୁ ଆମ୍ବୁଲାନ୍ସ ଆସିପାରିନଥିଲା । ଅନ୍ୟ ଉପାୟ ନ ପାଇ ପ୍ରସୂତିଙ୍କୁ ପରିବାର ଲୋକେ ଭାରରେ ବୋହି ଆଣୁଥିଲେ । ଏତିକି ବେଳେ ଅଧାବାଟରେ ଅଧିକ ଯନ୍ତ୍ରଣା ଅନୁଭବ ହେବାରୁ ବାଟରେ ହିଁ କାନ୍ଦ୍ରି ଏକ ଶିଶୁକୁ ଜନ୍ମ ଦେଇଥିଲେ । ପରେ ମା ଓ ଶିଶୁକୁ ଭାରରେ ବୋହି ପ୍ରାୟ ୭ କିମି ଦୂର କଦମଗୁଡା ଗ୍ରାମକୁ ଆଣିଥିବା ସୂଚନା ରହିଛି । ସେଠାରୁ ଏକ ଆମ୍ବୁଲାନ୍ସ ଯୋଗେ ଖଇରପୁଟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯିବ ବୋଲି ସୂଚନା ରହିଛି ।