ସରକାରୀ ବିଧି ବ୍ୟବସ୍ଥାର ବିଡ଼ମ୍ବନା: ଲକ୍ଷ୍ମଣ ନିରୁଦ୍ଦିଷ୍ଟ, ପରିଚୟ ଖୋଜୁଛି ମୃତ ରାମ

0

କଟକ: ସରକାରୀ ବ୍ୟବସ୍ଥାରେ ସାମାନ୍ୟ ଦାୟିତ୍ୱର ଅଭାବ କେତେବେଳେ କେମିତି କିଭଳି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ, ତାହାର ଏକ ଉଦାହରଣ ଆଜି ବଡ଼ ମେଡିକାଲର କାଜୁଆଲିଟିି ଆଇସିୟୁରେ ଦେଖିବାକୁ ମିଳିଛି। ଦୀର୍ଘ ୨୦ଦିନ ଧରି ଆଇସିୟୁର ୧୩ ନଂ ଶଯ୍ୟାରେ ଚିକିତ୍ସାଧୀନ ରାମ ହାସଁଦା(୧୬)ଙ୍କ ଶନିବାର ବଡ଼ି ଭୋରରେ ମୃତ୍ୟୁ ହୋଇଯାଇଛି। ତେବେ ରାମର ମୃତ୍ୟୁ ସରକାରୀ ବ୍ୟବସ୍ଥାର ସାଧୁତା ଓ କାର୍ଯ୍ୟଦକ୍ଷତା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି।
୨୦ଦିନ ଧରି ଆଇସିୟୁର ଭେଣ୍ଟିଲେଟରରେ ଚିକିତ୍ସାଧୀନ ଥିଲେ ରାମ। ପ୍ରତି ଦିନ ଭେଣ୍ଟିଲେଟର ମେସିନ ବାବଦକୁ ୭୦୦ଟଙ୍କା ଓ ଆଇସିୟୁ ବାବଦକୁ ୫୦୦ଟଙ୍କା ଖର୍ଚ୍ଚ ହେଉଥିଲା। ଏହି ଖର୍ଚ୍ଚ ଭରଣା କରିବାକୁ ପଡ଼ୁଥିଲା ଲୋକଙ୍କ ଘରେ ବାସି କାମ କରି ପରିବାର ପ୍ରତିପୋଷଣ କରୁଥିବା ଜଣେ ବିଧବା ମହିଳା ମାଇନ କିସ୍କୁ(୫୦)ଙ୍କୁ।
ବାଲେଶ୍ୱରର ଅରଡ଼ବଜାର ସ୍ଥିତ ଏକ ସରକାରୀ ଜାଗାରେ ପଲିଥିନ ଛାତ ତଳେ ମାଇନଙ୍କ ୪ସନ୍ତାନର ପରିବାର। ସ୍ୱାମୀଙ୍କ ମୃତ୍ୟୁ ପରେ ପିଲାଙ୍କୁ ପାଠ ପଢ଼ାଇବା ତ’ ଦୂର କଥା ୪ଓଳି ଖାଦ୍ୟ ଯୋଗାଡ଼ କରିବା ମାଇନ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ରାତିରେ ନୂଆ ବଜାର ବନ୍ଦ ହେବା ପରେ ଶସ୍ତାରେ ଅଳ୍ପ ସ୍ୱଳ୍ପ ପରିବା କିଣି ଗୁଜରାଣ ମେଣ୍ଟାଏ ମାଇନ। ଅବଶ୍ୟ ସରକାରଙ୍କ ଟଙ୍କିକିଆ ଚାଉଳ ଓ ରାସନ କାର୍ଡ ହିଁ ମାଇନର ସାହାଭରସା।
ପ୍ରତିଦିନ ପରି ଜୁନ୍‍ ୧୭ରେ ଲୋକଙ୍କ ଘରେ ବାସି କାମ କରିବାକୁ ଯାଇଥିଲା ମାଇନ। ସନ୍ଧ୍ୟାରେ ଘରକୁ ଫେରିବା ପରେ ସାନ ପୁଅ ଲକ୍ଷ୍ମଣ(୧୧)କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ବୋଲି ଶୁଣି ଧାଇଁ ଥିଲା ଜିଲା ମୁଖ୍ୟଚିକିତ୍ସାଳୟକୁ। ଅରଡ଼ବଜାରର ବସ୍ତିର ଅନ୍ୟ ପିଲାଙ୍କ ସହ ଖେଳୁ ଥିବାବେଳେ ଏକ ବାଇକ ଧକ୍କା ଦେଇଥିଲା ଲକ୍ଷ୍ମଣକୁ। ଧକ୍କାରେ ସେ ମୂର୍ଚ୍ଛା ହୋଇଯାଇଥିଲା। ଜିଲା ମୁଖ୍ୟଚିକିତ୍ସାଳୟରେ ପ୍ରାରମ୍ଭିକ ଚିକିତ୍ସା ପରେ ଡାକ୍ତରଖାନା କର୍ତ୍ତୁପକ୍ଷ ଲକ୍ଷ୍ମଣକୁ ବଡ଼ ମେଡ଼ିକାଲକୁ ପଠାଇବାକୁ ପରାମର୍ଶ ଦେଇଥିଲେ। ବାଇକ ଆରୋହୀଙ୍କ ନିକଟରୁ ୫ହଜାର ଟଙ୍କା ନେଇ ଅଞ୍ଚଳବାସୀ ପିଲାର ଚିକିତ୍ସା ଆରମ୍ଭ କରିଦେଇଥିଲେ। ପ୍ରାରମ୍ଭିକ ଅସ୍ତ୍ରୋପଚାର ପରେ ବିଭାଗୀୟ ଡାକ୍ତର ଲକ୍ଷ୍ମଣକୁ ବଡ଼ ମେଡ଼ିକାଲକୁ ପଠାଇଦେଇଥିଲେ। ଏପଟେ ମାଇନ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲକ୍ଷ୍ମଣକୁ ନପାଇ ଧାଇଁଥିଲା କଟକ ବଡ଼ ଡାକ୍ତରଖାନାକୁ।
କଟକ ବଡ଼ ମେଡିକାଲରେ ଲକ୍ଷ୍ମଣର ଚିକିତ୍ସା ପାଇଁ ପ୍ରତି ଦିନ ୧୨୦୦ଟଙ୍କା ଖର୍ଚ୍ଚ ହେଉଥିଲା। ଯେଉଁମାନଙ୍କ ଘରେ ମାଇନ ବାସି କାମ କରୁଥିଲା ସେହି ଲୋକଙ୍କ ସାହାଯ୍ୟରେ କିଛି ଟଙ୍କା ଡାକ୍ତରଖାନାରେ ପୈଠ କରିଥିଲା ମାଇନ। ଇତିମଧ୍ୟରେ ଡାକ୍ତରଖାନାରେ ବିପିଏଲ ରୋଗୀଙ୍କୁ ମାଗଣାରେ ଚିକିତ୍ସା ହୁଏ ବୋଲି ଜାଣି ଲକ୍ଷ୍ମଣର ଚିକିତ୍ସା ଛାଡ଼ କରିବାକୁ ଗୁହାରୀ କରିଥିଲା। ମାଇନର ବିପିଏଲ କାର୍ଡ ଓ ଲକ୍ଷ୍ମଣର ଆଧାର କାର୍ଡ ଦେଖି କାର୍ଯ୍ୟରତ ଦିଦି ମାଇନର ଟଙ୍କା ଛାଡ଼ ହୋଇ ପାରିବ ନାହିଁ ବୋଲି ସ୍ପଷ୍ଟ ମନା କରିଦେଲେ। କାରଣ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ରୋଗୀ ଲକ୍ଷ୍ମଣ କିସ୍କୁ ନୁହେଁ ବରଂ ଥିଲା ରାମ ହାସଁଦା। ଲକ୍ଷ୍ମଣ କିସ୍କୁ ବାଲେଶ୍ୱରରୁ କଟକ ପହଞ୍ଚୁ ପହଞ୍ଚୁ ରାମ ହାସଁଦା କିପରି ହେଲା ଏହା ମାଇନ ଜାଣିପାରୁନାହିଁ। ସରକାରୀ ଖାତାରେ ରାମ ହାସଁଦାର ନା’ ଅଛି କୌଣସି ଆଧାର ନା’ ଅଛି କୌଣସି ପରିବାର।
ଡାକ୍ତରଖାନା କର୍ତ୍ତୃପକ୍ଷ ରାମ ହାସଁଦାଙ୍କ ମୃତ୍ୟୁ ସମ୍ପର୍କର୍ିତ ତଥ୍ୟ ଡାକ୍ତରଖାନା ପୁଲିସକୁ ହସ୍ତାନ୍ତର କରିଛନ୍ତି। ହେଲେ ମାଇନକୁ କ’ଣ ମିଳିବ ଲକ୍ଷ୍ମଣ? କ’ଣ ରାମର ବ୍ୟବଚ୍ଛେଦ ହେଲା ପରେ ନିଜ ପୁଅର ମୃତଦେହକୁ ମାଇନକୁ ହସ୍ତାନ୍ତର କରିବେ ପୁଲିସ। ରାମ ସହ କ’ଣ ରହିଛି ମାଇନର ସମ୍ପର୍କ?
ସାହି ଲୋକେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଲକ୍ଷ୍ମଣକୁ ଭର୍ତ୍ତର୍ି କରିବା ବେଳେ ଭୁଲବଶତଃ ତାର ନାମ ରାମ ହାସଁଦା ବୋଲି କହିଥିଲେ। ସେହି ସାମାନ୍ୟ ଭୁଲ୍‍ ପାଇଁ ମାଇନକୁ ମିଳିଲାନି ସରକାରୀ ସୁବିଧା। କେତେବେଳେ ରେକର୍ଡ଼ ରୁମ ତ’ କେତେବେଳେ ଟିକଟ ଘରେ ରାମର ନାମକୁ ଲକ୍ଷ୍ମଣରେ ପରିବର୍ତ୍ତନ କରିବାକୁ ଚେଷ୍ଟା କରିବାକୁ ବ୍ୟର୍ଥ ଉଦ୍ୟମ କରିଥିଲା ମାଇନ।ଲକ୍ଷ୍ମଣ ଆଜି ସରକାରୀ ଖାତାରେ ନିରୁଦ୍ଦିଷ୍ଟ। ହସ୍ପିଟାଲ୍‍ ବାରଣ୍ଡାରେ ପଡ଼ିଥିବା ମୃତ ରାମର ନା ଅଛି ପରିବାର ନା କେହି ସମ୍ପର୍କୀୟ। ଏହା ହିଁ ସରକାରୀ ବିଧି ବ୍ୟବସ୍ଥାର ବିଡ଼ମ୍ବନା। ଆଉ ସେହି ବିଡ଼ମ୍ବିତ ବ୍ୟବସ୍ଥା ଚକ୍ରରେ ପେଶି ହେଉଛନ୍ତି ନିଃସହାୟ ଓ ଅପାଠୁଆ ମାଇନମାନେ।

kalyan agarbati
Leave A Reply