ଅଭିଯୋଗ ଆଣିଲେ ଅଶୀତିପର ମହାରଣା ସେବକ : ଦାରୁ ଗୁମର ଖୋଲିବାରୁ ମିଳୁନି ପାଉଣା
ପୁରୀ : ମହାପ୍ରଭୁଙ୍କ ୨୦୧୫ ନବକଳେବର ପାଇଁ ଦାରୁ ଚିହ୍ନଟରେ ହୋଇଥିବା ଦୁର୍ନୀତିର ଗୁମର ଖୋଲିଥିବାରୁ ଜଣେ ବୟସ୍କ ମହାରଣା ସେବାୟତଙ୍କୁ ୭ବର୍ଷ ଧରି ମିଳୁନି ପାଉଣା । ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟକୁ ଦୌଡ଼ି ଦୌଡ଼ି ଥକି ପଡ଼ିଲେଣି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର। ତାଙ୍କୁ ଏବେ ୮୫ବର୍ଷ। ପ୍ରାୟ ୭୦ବର୍ଷ ଧରି ସେ ରଥ ନିର୍ମାଣ କରି ଆସୁଛନ୍ତି। ଏହାଛଡ଼ା ୫ଟି ନବକଳେବରରେ ମହାପ୍ରଭୁଙ୍କ ନୂତନ ବିଗ୍ରହ ନିର୍ମାଣ କରିଥିବା କୃଷ୍ଣଚନ୍ଦ୍ର କହିଛନ୍ତି। ୨୦୧୫ ନବକଳେବର ପାଇଁ ଦାରୁ ଚିହ୍ନଟରେ ବିଭ୍ରାଟ ସମେତ ପୋଲା ଦାରୁ ସଂଗ୍ରହ କରାଯାଇଥିବା ସେ ଖୋଲାଖୋଲି ଅଭିଯୋଗ କରିଥିଲେ। ଦାରୁବ୍ରହ୍ମଙ୍କ ନୂତନ ବିଗ୍ରହ ନିର୍ମାଣ ସମୟରେ କେତେକ ଅନଭିଜ୍ଞ ଦଇତାପତି ବାରମ୍ବାର ହସ୍ତକ୍ଷେପ କରିବାରୁ କାର୍ଯ୍ୟ ବିଳମ୍ବ ହୋଇଥିବା ସେ ମତ ଦେଇଥିଲେ। କୃଷ୍ଣଚନ୍ଦ୍ରଙ୍କ ଏହି ବିସ୍ଫୋରକ ବୟାନ ସେତେବେଳେ ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ମହାପ୍ରଭୁଙ୍କ ବ୍ରହ୍ମ ପୁନଃସଂସ୍ଥାପନ ନିଶାର୍ଦ୍ଧ ପରିବର୍ତ୍ତେ ପରଦିନ ଦ୍ବିପ୍ରହରରେ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମ ଦର୍ଶନ ପାଇଁ କିଛି ଦଇତାପତିଙ୍କ ମଧ୍ୟରେ ବିବାଦ ଯୋଗୁଁ ନିର୍ଦ୍ଧାରିତ ସମୟରେ ବ୍ରହ୍ମ ପରିବର୍ତ୍ତନ ସମ୍ଭବପର ହୋଇନଥିଲା।
ଏହି ଦୁଇଟି ଘଟଣା ସାଧାରଣରେ ପ୍ରଘଟ ହେବା ପରେ କୋଟି କୋଟି ଜଗନ୍ନାଥପ୍ରେମୀ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏଭଳି ବିଭ୍ରାଟର ଉଚ୍ଚସ୍ତରୀୟ ତଦନ୍ତ ସମେତ କାର୍ଯ୍ୟାନୁଷ୍ଠାନ ପାଇଁ ବହୁ ସଂଗଠନ ଦାବି କରିଥିଲେ। ବରିଷ୍ଠ ପ୍ରଶାସନିକ ଅଧିକାରୀ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଦ୍ବାରା ଅଭିଯୋଗର ତଦନ୍ତ କରାଯିବା ସହ କେତେକ ସେବାୟତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୋଟିସ୍ ଜାରି କରାଯାଇଥିଲା।
ସୁଭଦ୍ରାଙ୍କ ଦର୍ପଦଳନ ରଥ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ଏଥିନେଇ ଗଣମାଧ୍ୟମରେ କେତେକ ଚାଞ୍ଚଲ୍ୟକର ବୟାନ ଦେଇଥିଲେ। ଏଥିପାଇଁ ତାଙ୍କୁ ପ୍ରଶାସନିକ ଆକ୍ରୋଶର ଶିକାର ହେବାକୁ ପଡ଼ିଥିବା ସେ ଅଭିଯୋଗ କରିଛନ୍ତି। ଅନ୍ୟ ୨ ମୁଖ୍ୟ ମହାରଣାଙ୍କ ସମେତ ଦଇତାପତି ଏବଂ ଅନ୍ୟ ସେବାୟତଙ୍କୁ ନବକଳେବର ପ୍ରାପ୍ୟ ମିଳି ସାରିଥିବାବେଳେ କୃଷ୍ଣଚନ୍ଦ୍ର ସେଥିରୁ ବଞ୍ଚିତ ହୋଇଛନ୍ତି । ବାରମ୍ବାର ଅନୁରୋଧ ସତ୍ତ୍ବେ ମନ୍ଦିର ପ୍ରଶାସନ ତାଙ୍କ ପ୍ରାପ୍ୟ ଦେଉନାହିଁ। ୮୫ବର୍ଷ ବୟସରେ ସେ ଏଥିପାଇଁ ବହୁବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ସାକ୍ଷାତ କରି ଅନୁରୋଧ କରିଛନ୍ତି। କେଉଁ କାରଣରୁ ତାଙ୍କୁ ନବକଳେବର ପ୍ରାପ୍ୟ ଦିଆଯାଉନାହିଁ ସେ ସମ୍ପର୍କରେ ପ୍ରଶାସନ ପକ୍ଷରୁ ତାଙ୍କୁ ଏପର୍ଯ୍ୟନ୍ତ କୌଣସି ଲିଖିତ ଉତ୍ତର ପ୍ରଦାନ କରାଯାଇନାହିଁ। ବକେୟା ପ୍ରାପ୍ୟ ପାଇଁ ୨୦ରୁ ୨୫ଥର ସେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଏବଂ ପ୍ରଶାସକଙ୍କୁ ସାକ୍ଷାତ କରି ଅନୁରୋଧ କରିଥିବା କୃଷ୍ଣଚନ୍ଦ୍ର ବୁଧବାର ଗଣମାଧ୍ୟମକୁ କହିଛନ୍ତି। ଏହାସତ୍ତ୍ବେ ଚଳିତବର୍ଷ ଦେବୀ ସୁଭଦ୍ରାଙ୍କ ରଥ ନିର୍ମାଣ ପାଇଁ ଅକ୍ଷୟ ତୃତୀୟା ତିଥିରେ ମଙ୍ଗଳବାର ମୁଣ୍ଡରେ ସେ ଶାଢ଼ି ବାନ୍ଧିଛନ୍ତି। ବୁଧବାର ରଥଖଳାକୁ ଯାଇ ତୁମ୍ବକାଠ ଚିରଟ ନିମନ୍ତେ କରତିଆଙ୍କୁ ମାପ ଦେଇଛନ୍ତି।
ପରିଣତ ବୟସରେ ମହାପ୍ରଭୁଙ୍କ ରଥ ନିର୍ମାଣ ସେବା ପାଇଁ ଘରୁ ଗୋଡ଼ କାଢ଼ି ବଡ଼ଦାଣ୍ଡକୁ ଚାଲି ଆସୁଥିବା କୃଷ୍ଣଚନ୍ଦ୍ରଙ୍କ ପ୍ରତି ମନ୍ଦିର ପ୍ରଶାସନର ଏଭଳି ଆକ୍ରୋଶ ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଶ୍ରୀମନ୍ଦିର ପ୍ରଶାସକ (ନୀତି) ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ମନ୍ଦିର ପ୍ରଶାସନର ଏକ ବୈଠକରେ କୃଷ୍ଣଚନ୍ଦ୍ର ଏନେଇ ଅଭିଯୋଗ କରିଛନ୍ତି। କେଉଁ କାରଣରୁ ତାଙ୍କୁ ଏପର୍ଯ୍ୟନ୍ତ ନବକଳେବର ପ୍ରାପ୍ୟ ଦିଆଯାଇ ନାହିଁ ସେ ସମ୍ପର୍କରେ ତଦନ୍ତ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Comments are closed.