ମହାରାଷ୍ଟ୍ରରେ ଦଳିତ ବିରୋଧୀ ହିଂସା ନେଇ ଚିନ୍ତାରେ ବିଜେପି
ମୁମ୍ବଇ : ମହାରାଷ୍ଟ୍ରରେ ବଢ଼ି ଚାଲିଥିବା ଦଳିତ ବିରୋଧୀ ହିଂସାକାଣ୍ଡ ଶାସକ ବିଜେପିକୁ ଚିନ୍ତାରେ ପକାଇଛି। ଏହା ଆସନ୍ତା ୨୦୧୯ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବାର ଅଶଙ୍କା ହିଁ ଏହି ଚିନ୍ତାର କାରଣ ବୋଲି କୁହାଯାଉଛି। ରାଜ୍ୟରେ ଦଳିତଙ୍କ ସଂଖ୍ୟା ମୋଟ ଜନସଂଖ୍ୟାର ପ୍ରାୟ ୧୨ ପ୍ରତିଶତ ରହିଥିବାରୁ ସ୍ୱାଭାବିକ ଏହା ରାଜନୈତିକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ। ଦେବେନ୍ଦ୍ର ଫଡ଼ନବିସ୍ଙ୍କ ନେତୃତ୍ୱାଧୀନ ରାଜ୍ୟର ବିଜେପି ସରକାର ଦଳିତ ତୁଷ୍ଟୀକରଣ ପାଇଁ ଅନେକ ପଦକ୍ଷେପ ନେଇଥିଲେ ମଧ୍ୟ ତାହା ଯଥେଷ୍ଟ ହେଉ ନଥିବା କୁହାଯାଉଛି। ସରକାର ବୃହତ୍ ଆମ୍ବେଦକର ସ୍ମାରକୀ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିଛନ୍ତି। ଗରିବ ଓ ଅନୁସୂଚିତ ଜାତିର ଭୂମିହୀନ ଲୋକଙ୍କୁ ଚାଷ ଜମି କ୍ରୟ ପାଇଁ ଶତ ପ୍ରତିଶତ ଅର୍ଥ ରିଆତି ଆକାରରେ ଦେଇଛନ୍ତି। ଏହା ସତ୍ତ୍ବେ ବିଜେପି ଦଳିତ ବିରୋଧୀ ପାର୍ଟି ବୋଲି ପ୍ରଚାର ହେଉଛି। ଭୀମା-କୋରେଗାଓଁ ଦଙ୍ଗା ଏହି ପ୍ରଚାରକୁ ଜୋରଦାର କରିଛି। ‘ବିଜେପି ବ୍ରାହ୍ମଣଙ୍କ ଦଳ; ଏହାକୁ ୨୦୧୪ରେ ଗୋଟିଏ ସୁଯୋଗ ଦିଆଯାଇଥିଲେ ମଧ୍ୟ କିଛି ସୁଫଳ ମିଳିଲା ନାହିଁ। ଭୀମା-କୋରେଗାଓଁ ହିଂସାକୁ ଦଳ ପ୍ରୋତ୍ସାହିତ କରି ଏହା ପ୍ରମାଣ କରିଛି’ ବୋଲି ସାମାଜିକ ଗଣମାଧ୍ୟମରେ ପ୍ରଚାର ହେଉଛି। ସରକାର କିମ୍ବା ବିଜେପି ପକ୍ଷରୁ ଏହି ପ୍ରଚାରକୁ ରୋକାଯାଇପାରୁ ନାହିଁ କିମ୍ବା ଏହାର ଯଥାଯଥ ଜବାବ ଦିଆଯାଇପାରୁ ନାହିଁ।
ଅପରପକ୍ଷରେ ଏହି ଦଙ୍ଗାକୁ ନକ୍ସଲ ହିଂସା ସହିତ ସଂଯୋଗ କରାଯାଇଛି ଏବଂ ଦଳିତ ବର୍ଗର ନେତାଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରାଯିବା ଷଡ଼ଯନ୍ତ୍ରରେ ଅଭିଯୁକ୍ତ କରାଯାଇଛି। ସେହିପରି ଜଣେ ଉଚ୍ଚ ଜାତିର ବ୍ୟକ୍ତିଙ୍କ କୂଅରେ ଗାଧୋଇବା ନେଇ ଦୁଇ ଜଣ ଦଳିତ ବାଳକଙ୍କୁ ଲଙ୍ଗଳା କରି ପିଟିବା ଘଟଣା ମଧ୍ୟ ବିଜେପି ପ୍ରତି ଘୃଣା ଭାବ ସୃଷ୍ଟି କରିଛି। ଏମିତି ଦୃଷ୍ଟାନ୍ତ ଅନେକ; ଯାହା ଦଳିତଙ୍କୁ ବିଜେପିଠାରୁ ମୁହଁ ଫେରାଇ ନେବାକୁ ବାଧ୍ୟ କରୁଥିବା ଆଲୋଚନା ହେଉଛି। ରାଜ୍ୟର କିଛି ଦଳିତ ନେତାମାନଙ୍କ କହିବାନୁସାରେ ବିଜେପି ଓ ଆରଏସ୍ଏସ୍ ବ୍ରାହ୍ମଣଙ୍କ ଦଳ, ଦଳିତଙ୍କ ପ୍ରତି କେବେ ହେଲେ ସେମାନଙ୍କର ଦରଦ ନଥାଏ। ତେଣୁ ସାମ୍ପ୍ରତିକ ଘଟଣାକ୍ରମ ପଛରେ ଆରଏସ୍ଏସ୍ର ହାତ ଥିବା ଅଭିଯୋଗ ନେଇ ବିଜେପି ଉପରେ ଦଳିତ ସମ୍ପ୍ରଦାୟର କ୍ରୋଧ ବୃଦ୍ଧି ପାଇଛି।
ସବୁଠୁ ବଡ଼ କଥା ହେଉଛି; ମହାରାଷ୍ଟ୍ରରେ ବିଜେପିର ଅର୍ଥନୈତିକ ଭିତ୍ତିଭୂମି ନାହିଁ। ରାଜ୍ୟର ଅର୍ଥନୀତିକୁ ସମୃଦ୍ଧ କରୁଥିବା ଚିନି କାରଖାନା ଓ ବୟନ ଶିଳ୍ପଗୁଡ଼ିକରେ କାର୍ଯ୍ୟରତ ଶ୍ରମିକ ଶ୍ରେଣୀ ମଧ୍ୟରେ ସର୍ବାଧିକ ସଂଖ୍ୟକ ଦଳିତ ଓ ନିମ୍ନ ବର୍ଗର ହୋଇଥିଲାବେଳେ ଏହି ଶିଳ୍ପଗୁଡ଼ିକ ବିଶେଷ ଭାବେ କଂଗ୍ରେସ ନେତାଙ୍କ ମାଲିକାନାରେ ରହିଛି। ସ୍ୱାଭାବିକ ଭାବେ ସେମାନେ କଂଗ୍ରେସର ଭୋଟ ବ୍ୟାଙ୍କ ହୋଇ ରହିଛନ୍ତି। ୨୦୧୪ରେ ମୋଦୀ ସରକାର ଜାତି-ଧର୍ମ ନିର୍ବିଶେଷରେ ଦଳିତଙ୍କ ସମସ୍ୟା ଦୂର କରିବା ସହ ଅଧିକ ସଂଖ୍ୟାରେ କର୍ମନିଯୁକ୍ତି ସୃଷ୍ଟି କରିବେ ବୋଲି ସେମାନେ ଆଶା କରିଥିଲେ; କିନ୍ତୁ କୌଣସି ସୁଫଳ ପାଇ ନଥିବା ସେମାନେ ଯୁକ୍ତି ଦର୍ଶାଉଛନ୍ତି। ରାଜ୍ୟର ଗ୍ରାମାଞ୍ଚଳ ଅର୍ଥନୀତିରେ ବିକାଶ ଘଟି ନାହିଁ; ବରଂ ଦଳିତଙ୍କ ଉପରେ ଅତ୍ୟାଚାର ବଢ଼ିଚାଲିଥିବା ପ୍ରମାଣିତ ହୋଇଛି। ଏହାର ପ୍ରଭାବ ଭୋଟ୍ରେ ପ୍ରତିଫଳତିତ ହେବାର ଆଶଙ୍କା କରାଯାଉଛି।