କୁଆଁପାଳ: ବହୁ କଳ୍ପନା ଜଳ୍ପନାର ଅବସାନ ଘଟିଛି। ଆଜି ଅନୁଷ୍ଠିତ ମାହାଙ୍ଗା ବ୍ଲକ ଅଧ୍ୟକ୍ଷା ନିର୍ବାଚନରେ ବିଜୁ ଜନତା ଦଳ ସମର୍ଥିତ ପ୍ରାର୍ଥୀ ଦୀପା ମଲ୍ଲିକ ବିଜୟୀ ଘୋଷିତ ହୋଇଛନ୍ତି। ୩୭ ସଦସ୍ୟ ବିଶିଷ୍ଟ ଏହି ବ୍ଲକରେ ବିରୋଧି ବିଜେପିରୁ ୯ ଜଣ ସମିତି ସଦସ୍ୟ ଥିବା ବେଳେ, ବିଜେଡିରୁ ୨୭ ଏବଂ କଂଗ୍ରେସ ସମର୍ଥିତ ୧ ସମିତି ସଭ୍ୟ ଜିତିଥିଲେ। ତେବେ ଆଜି ବ୍ଲକ ଅଧ୍ୟକ୍ଷା ପଦବୀ ପାଇଁ ବିଜେଡି ଦୀପା ମଲ୍ଲିକଙ୍କୁ ପ୍ରାର୍ଥୀ କରିଥିବା ବେଳେ, ବିଜେପି ଲିଲି ସେଠୀଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲା। ତେବେ ବିଜେଡି ପ୍ରାର୍ଥୀଙ୍କୁ ୨୮ ଖଣ୍ଡ ଭୋଟ ମିଳିଥିଲା ଓ ବିରୋଧି ଶିବିରରୁ କ୍ରସ ଭୋଟିଂ ହେବା ସ୍ପଷ୍ଟ ହୋଇଯାଇଛି। କଡା ସୁରକ୍ଷା ବଳୟ ଭିତରେ ଏହି ନିର୍ବାଚନ ଅନୁଷ୍ଠିତ ହୋଇଥିଲା।
ମନ୍ତ୍ରୀ ପ୍ରତାପ ଜେନାଙ୍କ ଗଡରେ ବିରୋଧୀଙ୍କ କ୍ଷମତା ଦାଖଲ ପାଇଁ ବିରୋଧିଙ୍କ ସମସ୍ତ ଉଦ୍ୟମ ପଣ୍ଡ ହେବା ଚର୍ଚ୍ଚା ଜୋର ଧରିଛି।ବିକାଶକୁ ମୁଦ୍ଦା କରି ଭୋଟ ଲଢୁଥିବା ବିଜେଡିକୁ ଆଶାତୀତ ସଫଳତା ମିଳିଥିଲା ବେଳେ ବିରୋଧି ବିଜେପି ଓ କଂଗ୍ରେସକୁ ଭୋଟର ପ୍ରତ୍ୟାଖ୍ୟାନ କରିଥିଲେ। ଶେଷରେ ବିଜେଡିର ସର୍ବ କନିଷ୍ଠ ୨୩ ବର୍ଷୀୟା ଜଣେ ଦଳିତ ପ୍ରାର୍ଥୀ ଦୀପା ମଲ୍ଲିକ ବିଜୟୀ ହେବା ଦେଖିବାକୁ ମିଳିଛି। ପଞ୍ଚାୟତ ସମିତି ଅଧ୍ୟକ୍ଷା ଭାବେ ଦୀପା ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ବିଜେପିର ଲିଲି ସେଠୀଙ୍କୁ ୧୯ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିବା ବ୍ଲକ ନିର୍ବାଚନ ଅଧିକାରୀ ନିହାର ରଞ୍ଜନ ମଲ୍ଲିକ ସୂଚନା ଦେଇଛନ୍ତି।



