ପର୍ଶୁରାମ ପୀଠାଧିଶ୍ୱରୀ ମା ଭଟ୍ଟାରିକାଙ୍କ ବାସନ୍ତୀକ ଦଶହରା ସମ୍ପନ୍ନ
ବଡ଼ମ୍ବା : ବଡ଼ମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ପୀଠରେ ବାସନ୍ତୀକ ନବରାତ୍ର ପର୍ବର ଦଶହରା ଉତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି। ଶଶାଙ୍ଗ ଗ୍ରାମବାସିନୀ ପର୍ଶୁରାମ ପୀଠାଧିଶ୍ୱରୀ ମା’ଙ୍କର ଏହି ଚୈତିପର୍ବ ଶ୍ରଦ୍ଧା ଓ ଭକ୍ତି ସହକାରେ ପାଳନ କରାଯାଇଥିଲା । ସେବାୟତମାନେ ବ୍ରତପାଳନ ପୂର୍ବକ ଦୀର୍ଘ ନବଦିନ ବ୍ୟାପି ଏହି ପର୍ବରେ ମା’ଙ୍କୁ ସ୍ୱତନ୍ତ୍ର ଆରାଧନା କରିଥିଲେ। ପ୍ରତ୍ୟୁଷରୁ ପୀଠରେ ମଙ୍ଗଳ ଆଳତି,ଦ୍ୱାରପୂଜା,ନବଗ୍ରହପୂଜା,ଆଦି ଗଣେଶ ଓ ସୂର୍ଯ୍ୟଦେବ ପୂଜା ଯଥାବିଧି ଅନୁଷ୍ଠିତ ହେବାରେ ଦେବୀଙ୍କ ମାଜଣା ନୀତି ଚୁଆ,ଚନ୍ଦନ,ଅଗରୁ,ଶ୍ରୀକର୍ପୂର ମିଶ୍ରିତ ସୁଗନ୍ଧିତ ଜଳରେ ସମ୍ପନ କରାଯାଇଥିଲା। ପରେପରେ ସକାଳ ଧୂପ,ଦୀପ,ନୈବେଦ୍ୟ ଅର୍ପଣ ହେବାରେ ମନ୍ଦିର ସାହାଣ ମେଲା ହୋଇଥିଲା। ଅପେକ୍ଷାରତ ଶ୍ରଦ୍ଧାଳୁମାନେ ଦେବୀଙ୍କ ନବରାତ୍ର ଉତ୍ସବର ଦଶହରା ଦର୍ଶନ କରିଥିଲେ। ଦୈନନ୍ଦିନ ନୀତି ଯଥାରୀତି ଅନୁଷ୍ଠିତ ହେଉଥିବା ବେଳେ ସଂଧ୍ୟାରେ ସଂଧ୍ୟାଆଳତି ପରେ ଚଣ୍ଡିପୁରାଣ ପାଠ ସହ ରାତ୍ର ଭୋଗ ଏବଂ ଶାନ୍ତିପଣା ଦେବୀଙ୍କୁ ଅର୍ପଣ ହେବାରେ ମନ୍ଦିର ପହଡ଼ ପଡ଼ିଥିଲା। ମହାମାୟା ମା ଭଟ୍ଟାରିକାଙ୍କ ଏହି ନବରାତ୍ର ଉତ୍ସବ ଅବସରରେ ରାଜ୍ୟର କୋଣଅନୁକୋଣରୁ ଆସିଥିବା ଶ୍ରଦ୍ଧାଳୁ ଦେବୀଙ୍କ ନବରାତ୍ର ପୂଜାର ସ୍ୱତନ୍ତ୍ର ଦର୍ଶନ କରିଥିବା ମନ୍ଦିର ସେବାୟତଙ୍କଠାରୁ ପ୍ରକାଶ।
Comments are closed.