ବିଚାରପତି ଲୋୟା ମୃତ୍ୟୁ ମାମଲା : ସୁପ୍ରିମକୋର୍ଟ ରାୟର ସମୀକ୍ଷା ଆବେଦନ

0

ନୂଆଦିଲ୍ଲୀ : ସିବିଆଇ ସ୍ୱତନ୍ତ୍ର କୋର୍ଟ ବିଚାରପତି ବି. ଏଚ୍‍ ଲୋୟାଙ୍କ ମୃତ୍ୟୁ ମାମଲା ରାୟର ସମୀକ୍ଷା ନିମନ୍ତେ ସର୍ବୋଚ୍ଚ ଅଦାଲତରେ ବମ୍ବେ ଓକିଲ ସଂଘ ପକ୍ଷରୁ ସୋମବାର ସାନି ଆବେଦନ କରାଯାଇଛି। ଏହି ମାମଲାର ସ୍ୱତନ୍ତ୍ର ତଦନ୍ତ ଦାବିରେ ସଂଘ ତଥା ଅନ୍ୟ କିଛି ଲୋକଙ୍କ ପକ୍ଷରୁ ପୂର୍ବରୁ ହୋଇଥିବା ଆବେଦନକୁ ପ୍ରଧାନ ବିଚାରପତି ଦୀପକ ମିଶ୍ର ଏବଂ ବିଚାରପତି ଏ. ଏମ୍‍ ଖାନ୍‍ୱିଲକର ଓ ଡି. ୱାଇ ଚନ୍ଦ୍ରଚୂଡଙ୍କୁ ନେଇ ଗଠିତ ପୀଠ ଏପ୍ରିଲ ୧୯ରେ ଖାରଜ କରିଦେଇଥିଲେ। ପୀଠ କହିଥିଲେ, ବିଚାରପତି ଲୋୟାଙ୍କ ମୃତ୍ୟୁ ସ୍ୱାଭାବିକ ବୋଲି କୋର୍ଟରେ ଦାଖଲ କରାଯାଇଥିବା ଦସ୍ତାବିଜ୍‍ରୁ ଜଣାପଡୁଛି। କିନ୍ତୁ ଏହାର ସ୍ୱତନ୍ତ୍ର ତଦନ୍ତ ନିମନ୍ତେ ଆବେଦନ କରି ବମ୍ବେ ଓକିଲ ସଂଘ ବିଚାର ବିଭାଗର ସ୍ୱାଧୀନତା ଉପରେ ସିଧାସଳଖ ଆକ୍ରମଣ କରିଛି। ଏଥିସହ ବିଚାର ବିଭାଗର ବିଶ୍ୱସନୀୟତା କ୍ଷୁଣ୍ଣ କରିବାକୁ ସଂଘ ଉଦ୍ୟମ କରିଛି ବୋଲି ପୀଠ ନିଷ୍କର୍ଷରେ ଉପନୀତ ହୋଇଥିଲେ।
ମାତ୍ର ଖଣ୍ଡପୀଠ ତାଙ୍କ ରାୟରୁ ଏହି ନିଷ୍କର୍ଷକୁ ବାଦ୍‍ ଦେବା ଲାଗି ମଧ୍ୟ ବମ୍ବେ ଓକିଲ ସଂଘ ଏହାର ସଦ୍ୟ ଆବେଦନରେ ଦର୍ଶାଇଛି। ସଂଘ ପକ୍ଷରୁ କୁହାଯାଇଛି, ବିଚାରପତି ଲୋୟାଙ୍କ ମୃତ୍ୟୁ ହୃଦ୍‍ଘାତ କାରଣରୁ ହୋଇଥିବା ନିରପେକ୍ଷ ତଦନ୍ତରୁ ପ୍ରମାଣ ହେଲେ ଏହି ମାମଲା ସମ୍ବନ୍ଧୀୟ ସଂଘର ସମସ୍ତ ସନ୍ଦେହ ଦୂର ହେବ। ଏଥିସହ ସୁରକ୍ଷା ପ୍ରସଙ୍ଗରେ ଦେଶର ପ୍ରତ୍ୟେକ ବିଚାରପତିଙ୍କ ସଂଘ ରହିଛି ବୋଲି ଦେଶବାସୀଙ୍କୁ ଏକ ବାର୍ତ୍ତା ମିଳିବ।
ସୋରାବୁଦ୍ଦିନ ଶେଖ୍‍ ଏନ୍‍କାଉଣ୍ଟର ମାମଲାର ଶୁଣାଣି କରୁଥିବା ବିଚାରପତି ଲୋୟାଙ୍କର ୨୦୧୪ ଡିସେମ୍ବର ୧ରେ ମୃତ୍ୟୁ ଘଟିଥିଲା। ସେ ହୃଦଘାତ କାରଣରୁ ପ୍ରାଣ ହରାଇଥିବା କୁହାଯାଇଥିଲା। କିନ୍ତୁ ରାଜନୈତିକ ସମ୍ପୃକ୍ତି ରହୁଥିବା ଏକ ମାମଲା ତାଙ୍କ କୋର୍ଟରେ ବିଚାରାଧୀନ ଥିବାବେଳେ ଲୋୟାଙ୍କ ମୃତ୍ୟୁ ହୋଇଥିବାରୁ ତାହାକୁ ନେଇ ପରେ ସନ୍ଦେହ ସୃଷ୍ଟି ହୋଇଥିଲା। ସୋରାବୁଦ୍ଦିନ ଶେଖ୍‍ ଏନ୍‍କାଉଣ୍ଟର ମାମଲାରେ ବିଜେପି ଅଧ୍ୟକ୍ଷ ଅମିତ୍‍ ଶାହାଙ୍କୁ ଅଭିଯୁକ୍ତ କରାଯାଇଥିଲା। ଲୋୟାଙ୍କ ମୃତ୍ୟୁର କିଛି ଦିନ ପରେ ଶାହାଙ୍କ ବିରୋଧରେ ସମସ୍ତ ଅଭିଯୋଗ ଖାରଜ ହୋଇଥିଲା।

Leave A Reply