ଆଜି ଲଘୁଚାପ, ୨୪ରେ ବାତ୍ୟା

୨୫ରେ ସ୍ଥଳଭାଗ ଛୁଇଁପାରେ ସିତ୍‌ରଙ୍ଗ, ଗତିପଥ ଅସ୍ପଷ୍ଟ, ଅଧିକ ବର୍ଷିବ : ଆଇଏମଡି

କେନ୍ଦ୍ରାପଡ଼ାରୁ ବାଂଲାଦେଶ ମଧ୍ୟରେ ସ୍ଥଳଭାଗ ଛୁଇଁପାରେ: ପାଣିପାଗ ବିଶେଷଜ୍ଞ
ଶହେ କିମିରୁ କମ୍ ରହିବ ପବନର ବେଗ
୨୨ରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା

prayash

ଭୁବନେଶ୍ବର : ଉତ୍ତର ଆଣ୍ଡାମାନ ସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ଗୁରୁବାର ସକାଳ ସୁଦ୍ଧା ଦକ୍ଷିଣ-ପୂର୍ବ ଏବଂ ପାର୍ଶ୍ବବର୍ତ୍ତୀ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରିବା ସହ ୨୨ ତାରିଖ ସକାଳ ସୁଦ୍ଧା କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ବାତ୍ୟାର ରୂପ ନେବ। ଆସନ୍ତା ୨୪ ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସାମୁଦ୍ରିକ ଝଡ଼ର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମଡି)।
ସମ୍ଭାବ୍ୟ ବାତ୍ୟାର ଗତିପଥ କେଉଁ ଆଡ଼େ ରହିବ, କେଉଁଠାରେ ସ୍ଥଳଭାଗ ସ୍ପର୍ଶ କରିବ, ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ଘଣ୍ଟା ପ୍ରତି କେତେ ରହିବ, କେତେ ପରିମାଣର ବର୍ଷା ହେବ ସେ ସଂକ୍ରାନ୍ତରେ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନାହିଁ। ଅନ୍ୟପକ୍ଷରେ ଭାରତୀୟ ପାଣିପାଗ ବିଭାଗର ମହାନିର୍ଦେଶକ ଡ. ମୃତ୍ୟୁଞ୍ଜୟ ମହାପାତ୍ର ଗଣମାଧ୍ୟମକୁ କହିଛନ୍ତି, ୨୨ତାରିଖ ପରେ ଅବପାତ ବାତ୍ୟାର ରୂପ ନେଇପାରେ। ବାତ୍ୟା କେଉଁ ରାଜ୍ୟ ଦେଇ ଯିବ ତା’ର ପୂର୍ବାନୁମାନ ଏଯାବତ୍‌ ହୋଇନାହିଁ। ଲଘୁଚାପରେ ପରିଣତ ହେଲା ପରେ ହିଁ ଅଧିକ ସ୍ପଷ୍ଟ ଚିତ୍ର ମିଳିପାରିବ। ଲଘୁଚାପ ବା ଅବପାତ ପରେ ହିଁ ବାତ୍ୟା ଗତିପଥ ସ୍ପଷ୍ଟ କରାଯିବ। ୨୩ ତାରିଖ ସକାଳ ଯାଏଁ ରାଜ୍ୟରେ ବଡଧରଣ ବର୍ଷାର ସମ୍ଭାବନା ନାହିଁ। ପରବର୍ତ୍ତୀ ସମୟରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ଗତିପଥକୁ ନେଇ ଜିଏଫଏସ ମଡେଲ ଆକଳନ କହୁଛି, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳ ଆଡକୁ ମୁହଁାଇପାରେ। ୟୁରୋପିଆନ ମଡେଲ ଇସିଏମଡବ୍ଲ୍ୟୁଏଫ କହୁଛି, ସମ୍ଭାବ୍ୟ ବାତ୍ୟା ପଶ୍ଚିମବଙ୍ଗର ଦୀଘା ଏବଂ ବାଂଲାଦେଶ ମଧ୍ୟରେ କୌଣସିଠାରେ ବି ସ୍ଥଳଭାଗ ଛୁଇଁପାରେ। ଗତିପଥକୁ ନେଇ ବିଭିନ୍ନ ମଡେଲର ଆକଳନ ଭିନ୍ନ କଥା କହୁଥିବାବେଳେ ବାତ୍ୟା ନେଇ ପାଣିପାଗ ବିଭାଗ ସତର୍କ ରହିଛି। ଏହା ଉପରେ ଲଗାତାର ନଜର ରଖିଛି ବିଭାଗ। ଏନେଇ ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ନିର୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି, ବାତ୍ୟା ଗତିପଥ ଉପରେ କୌଣସି ଆକଳନ କରାଯାଇ ନାହିଁ। ଜିଏଫଏସ ଏବଂ ଇସିଏମଡବ୍ଲ୍ୟୁଏଫ ଦେଇଥିବା ସୂଚନା ଏକ ମଡେଲ ଆଧାରିତ। ଏଭଳି ଅନେକ ମଡେଲ ରହିଥିବା ବେଳେ ଆମେ ବିଭିନ୍ନ ମଡେଲକୁ ଅନୁସରଣ କରୁଛୁ। ଆଗକୁ ବାତ୍ୟାକୁ ନେଇ ସ୍ପଷ୍ଟ ସୂଚନା ମିଳିବା ପରେ ସତର୍କତା ଜାରି କରାଯିବ।
ପାଣିପାଗ କେନ୍ଦ୍ରର ତଥ୍ୟାନୁଯାୟୀ, ଘୂର୍ଣ୍ଣିବଳୟ ବୁଧବାର ସକାଳ ସାଢେ ୮ଟାରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ପାର୍ଶ୍ବବର୍ତ୍ତୀରେ ସକ୍ରିୟ ରହିବା ସହ ବାୟୁମଣ୍ଡଳର ମଧ୍ୟଭାଗ ଯାଏଁ ବ୍ୟାପିଛି। ଆସନ୍ତା ୨୨ରୁ ପଶ୍ଚିମ-କେନ୍ଦ୍ରୀୟ ପାର୍ଶ୍ବବର୍ତ୍ତୀ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳର ଗଭୀର ସମୁଦ୍ର ଭାଗରେ ଝଡ଼-ପବନ ଘଣ୍ଟା ପ୍ରତି ବେଗ ୪୫ ରୁ ୫୫ କିମି ସହ ସର୍ବାଧିକ ବା ଝଟକା ପବନ ୬୫ କିମି ଯାଏଁ ବହିବାର ସମ୍ଭାବନା ରହିଛି। ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ। ତେଣୁ ୨୨ ତାରିଖରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଯିବାକୁ ବାରଣ କରାଯାଇଛି। ଚଳିତ ବର୍ଷ ମୌସୁମୀ ଅପସାରଣ ପରବର୍ତ୍ତୀ ଏହା ହେଉଛି ପ୍ରଥମ ବାତ୍ୟା। ୨୦୧୮ ପରେ ଅକ୍ଟୋବରରେ ମଧ୍ୟ ପ୍ରଥମ ବାତ୍ୟା ହେବାକୁ ଯାଉଛି। ବଙ୍ଗୋପସାଗରରେ ଚଳିତ ବର୍ଷର ଏହା ଦ୍ୱିତୀୟ ସାମୁଦ୍ରିକ ଝଡ଼। ଏହାପୂର୍ବରୁ ଗତ ମେ ମାସରେ ବାତ୍ୟା ‘ଅସାନୀ’ ବଙ୍ଗୋପସାଗରରେ ସଂଘଟିତ ହୋଇଥିଲା।
ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି, ସମ୍ଭାବ୍ୟ ବାତ୍ୟା ଗତିପଥ ତିନୋଟି ଦିଗକୁ ସ୍ପଷ୍ଟ କରୁଛି। ୨୫ରେ ବାତ୍ୟା କେନ୍ଦ୍ରାପଡାରୁ ଦୀଘା ଏବଂ ସଂଲଗ୍ନ ଅଞ୍ଚଳରେ ସ୍ଥଳଭାଗ ଛୁଇଁପାରେ। ଦ୍ବିତୀୟରେ ସାଗର ଦ୍ବୀପ ଏବଂ ତୃତୀୟରେ ବାଂଲାଦେଶର ଚିଟାଗଙ୍ଗ ଏବଂ ଏହାର ଆଖପାଖ ଅଞ୍ଚଳରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ଏହା ପଶ୍ଚିମବଙ୍ଗ ଓ ସଂଲଗ୍ନ ସାଗର ଦ୍ବୀପ ଆଡ଼କୁ  ମୁହାଁଇବାର ସମ୍ଭାବନା ଅଧିକ ରହିଛି। ଓଡ଼ିଶାରେ ୨୩ ତାରିଖ ଅପରାହ୍ଣରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ପବନର ବେଗ ଉପକୂଳ ଅଞ୍ଚଳରେ ଘଣ୍ଟା ପ୍ରତି ୬୦ କିମି ବେଗରେ ବହିବାକୁ ଥିବାବେଳେ ସଂଲଗ୍ନ ଅଞ୍ଚଳରେ ଘଣ୍ଟା ପ୍ରତି ୪୦ କିମି ଛୁଇଁପାରେ। ଯଦି ବାଲେଶ୍ବର ଏବଂ ଦୀଘା ମଧ୍ୟରେ ବାତ୍ୟା ସ୍ଥଳଭାଗ ଛୁଇଁବ ତେବେ ପବନର ବେଗ ଜଗତସିଂହପୁରଠାରୁ ବାଲେଶ୍ବର ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୭୦ରୁ ୯୦କିମି ପବନ ବହିପାରେ। ବର୍ଷା ପରିମାଣ ୧୨୦ ମିମିରୁ ଅଧିକ ରହିପାରେ ବୋଲି ଆକଳନ କହୁଛି। ଏହା ଉପରେ ୨୨ ତାରିଖ ବେଳକୁ ସ୍ପଷ୍ଟ ଆକଳନ କରାଯାଇ ପାରିବ।

kalyan agarbati

Comments are closed.