ଗୁରୁଡିଝାଟିଆ : କାର୍ତ୍ତିକ ମାସର ପ୍ରଥମ ସୋମବାରରେ ପ୍ରସିଦ୍ଧ ଶୈବପୀଠ ଧବଳେଶ୍ୱରରେ ପ୍ରଭୁଙ୍କୁ ଦର୍ଶନ ପାଇଁ ପୀଠରେ ଶ୍ରଦ୍ଧାଳୁଙ୍କ ଅହେତୁକ ଭିଡ ଲାଗିଥିଲା। ଶ୍ରଦ୍ଧାଳୁମାନଙ୍କ ସଅଳ ଦର୍ଶନ ପାଇଁ ଦେବୋତ୍ତର ବିଭାଗ ପକ୍ଷରୁ ଭୋର ସାଢେ ୪ଟାରେ ପହଡ ଖୋଲାଯାଇ ନୀତିକାର୍ଯ୍ୟ ଆରମ୍ଭ ହୋଇଥିଲା । ଦେବୋତ୍ତର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଆଠଗଡ ଉପଜିଲ୍ଲାପାଳ ପ୍ରଶାନ୍ତ କୁମାର ତରାଇଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଦେବୋତ୍ତର ସୁପରଭାଇଜର ଭବାନୀ ପ୍ରସାଦ ପଣ୍ଡାଙ୍କ ଉପସ୍ଥିତିରେ ନୀତିପାଳିଆ ପୂଜକ ଭୂବନ ବିହାରୀ ପଣ୍ଡା ପ୍ରଭୁଙ୍କ ନୀତିକାର୍ଯ୍ୟ ସମାପନ କରିଥିଲେ। ପହଡ ଖୋଲି ମଙ୍ଗଳ ଆଳତୀ, ସ୍ନାନ, ଧୂପ, ବାଳଭୋଗ ଅର୍ପଣ ପରେ ଶ୍ରଦ୍ଧାଳୁଙ୍କ ଉଦ୍ଦେଶ୍ୟରେ ଭୋର ୫ଟାରେ ଦର୍ଶନ ବ୍ୟବସ୍ଥା କରାଯାଇଥିଲା। ଦିନ ତମାମ ଶ୍ରଦ୍ଧାଳୁମାନେ କଂକ୍ରିଟ ସେତୁ ଦେଇ ପୀଠକୁ ଆସିବା ସହିତ ଧାଡିରେ ଠିଆ ହୋଇ ଦର୍ଶନ କରିଥିଲେ । ଗୁରୁଡିଝାଟିଆ ପୁଲିସ ପକ୍ଷରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଫୋର୍ସ ମୁତୟନ କରାଯାଇଥିଲା । ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ଅଶୋକ କୁମାର ସ୍ୱାଇଁ, ଚୌଦ୍ୱାର ଏସଡିପିଓ ଉମାକାନ୍ତ ନାୟକ, ଥାନା ଅଧିକାରୀ ସୁମନ୍ତ କିସାନ ପ୍ରମୁଖ ପୀଠରେ ଉପସ୍ଥିତ ରହିଥିଲେ। ସନ୍ଧ୍ୟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ପ୍ରଭୂଙ୍କୁ ଦର୍ଶନ କରିଥିଲେ।
କାର୍ତ୍ତିକର ପ୍ରଥମ ସୋମବାରରେ ପ୍ରଭୁ ଧବଳେଶ୍ୱରଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ
Popular Categories



