ଅଷ୍ଟାଦଶ ଲୋକସଭା – ବିଜେପି ୨୩୭, କଂଗ୍ରେସ ୯୩ଟି ଆସନରେ ଆଗୁଆ

ଡେସ୍କ: ଅଷ୍ଟାଦଶ ଲୋକସଭା ନିମନ୍ତେ ମତ ଗଣନା ଜାରି ରହିଛି। ୫୪୩ଟି ଆସନ ମଧ୍ୟରୁ ବିଜେପି ୭ଟି ଆସନରେ ବିଜୟ ଲାଭ କରିଥିବା ବେଳେ ୨୩୭ଟି ଆସନରେ ଆଗୁଆ ରହିଛି। କଂଗ୍ରେସ ୪ଟି ଆସନରେ ବିଜୟୀ ହେବା ସହ ୯୩ଟି ଆସନରେ ଆଗୁଆ ରହିଛି ଓ ସମାଜବାଦୀ ପାର୍ଟି ୩୪ଟି ଆସନରେ ଆଗୁଆ ରହିଛି। ସେହିପରି ତୃଣମୂଳ କଂଗ୍ରେସ ୨୯ଟି, ଡ଼ିଏମକେ ୨୧ଟି, ତେଲଗୁ ଦେଶଂ ୧୬ଟି ଓ ଜେଡିୟୁ ୧୪ଟି ଆସନରେ ଆଗୁଆ ରହିଛି।

ପଞ୍ଜାବରେ କଂଗ୍ରେସ ୨ଟି ଆସନରେ ବିଜୟୀ ହୋଇଥିବା ବେଳେ ୫ଟି ଆସନରେ ଆଗୁଆ ରହିଛି। ଆମ୍ ଆଦମୀ ପାର୍ଟି ସଙ୍ଗରୁର ଆସନରେ ବିଜୟୀ ହୋଇ ୨ଟି ଆସନରେ ଆଗୁଆ ରହିଛି। ଶିରୋମଣି ଅକାଳୀ ଦଳ ୧ଟି ଆସନରେ ଆଗୁଆ ଥିବା ବେଳେ ସ୍ୱାଧୀନ ପ୍ରାର୍ଥୀ ୨ଟି ଆସନରେ ଆଗୁଆ ଅଛନ୍ତି। ଜଳନ୍ଧର ଆସନରୁ କଂଗ୍ରେସର ଚରଣଜିତ ସିଂ ଚନ୍ନି ବିଜେପିର ସୁଶୀଲ କୁମାର ରିଙ୍କୁ ୧ ଲକ୍ଷ ୭୫ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି। ଫତେହଗଡ଼ ସାହିବ ଆସନରୁ କଂଗ୍ରେସର ଅମର ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଆମ୍ ଆଦମୀ ପାର୍ଟିର ଗୁରପ୍ରୀତ ସିଂହ ଜିପିଙ୍କୁ ୩୪ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି।

ହରିୟାଣାରେ ସମସ୍ତ ୧୦ଟି ଆସନ ପାଇଁ ଟ୍ରେଣ୍ଡ ଉପଲବ୍ଧ ରହିଛି। ବିଜେପି ଓ କଂଗ୍ରେସ ୫ଟି ଲେଖାଏଁ ଆସନରେ ଆଗୁଆ ଅଛନ୍ତି। ଚଣ୍ଡିଗଡ଼ର ଏକମାତ୍ର ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀ ମନୀଷ ତିୱାରୀ ବିଜେପି ପ୍ରାର୍ଥୀ ସଞ୍ଜୟ ଟଣ୍ଡନଙ୍କ ଠାରୁ ଆଗୁଆ ଅଛନ୍ତି।

ଦିଲ୍ଲୀର ସମସ୍ତ ୭ଟି ଆସନରେ ବିଜେପି ଆଗୁଆ ରହିଛି। ବିଜେପି ପ୍ରାର୍ଥୀ ମନୋଜ ତିୱାରୀ, ବାଂସୁରୀ ସ୍ୱରାଜ, କମଲଜିତ୍ ସେହରାଓ୍ଵତ, ପ୍ରବୀଣ ଖଣ୍ଡେଲୱାଲ, ରାମବୀର ସିଂହ ବିଧୁରୀ, ଯୋଗେନ୍ଦ୍ର ଚାନ୍ଦୋଲିଆ ଏବଂ ହର୍ଷ ମାଲହୋତ୍ରା ନିଜ ନିଜ ନିର୍ବାଚନ ମଣ୍ଡଳୀରେ ଆଗୁଆ ଅଛନ୍ତି। ଲଦାଖର ଏକମାତ୍ର ଲୋକସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ହାଜି ହନିଫା ଆଗୁଆ ଅଛନ୍ତି।

ଜମ୍ମୁ-କଶ୍ମୀରର ମୋଟ ୬ଟି ଆସନରୁ ବିଜେପି ୨ଟି, ନ୍ୟାସନାଲ କନଫରେନ୍ସ ୨ଟି ଏବଂ ସ୍ୱାଧୀନ ପ୍ରାର୍ଥୀ ଗୋଟିଏ ଆସନରେ ଆଗୁଆ ଅଛନ୍ତି। ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ବାରାମୁଲ୍ଲା ଲୋକସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଇଞ୍ଜିନିୟର ଶେଖ୍ ରସିଦଙ୍କ ଠାରୁ ପଛରେ ଅଛନ୍ତି। ଉଧମପୁର ସଂସଦୀୟ ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହ କଂଗ୍ରେସର ଚୌଧୁରୀ ଲାଲ ସିଂହଙ୍କ ଠାରୁ ୯୬ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ଅନନ୍ତନାଗ-ରାଜୌରୀ ନିର୍ବାଚନ ମଣ୍ଡଳୀରେ ନ୍ୟାସନାଲ କନଫରେନ୍ସ ପ୍ରାର୍ଥୀ ମିଆଁ ଅଲତାଫ ଅହମ୍ମଦ ତାଙ୍କ ପିଡିପି ପ୍ରତିଦ୍ୱନ୍ଦ୍ୱୀ ମେହବୁବା ମୁଫତିଙ୍କ ଠାରୁ ୨ ଲକ୍ଷ ୭୮ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ହିମାଚଳ ପ୍ରଦେଶର ୪ଟି ଯାକ ନିର୍ବାଚନ ମଣ୍ଡଳୀରେ ବିଜେପି ଆଗୁଆ ରହିଛି। ହମିରପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ସିଂହ ଠାକୁର ଆଗୁଆ ଥିବା ବେଳେ ମଣ୍ଡି ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତ୍ରୀ କଙ୍ଗନା ରାଣାୱତ ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ତଥା କଂଗ୍ରେସ ପ୍ରାର୍ଥୀ ବିକ୍ରମାଦିତ୍ୟ ସିଂହଙ୍କ ଠାରୁ ଆଗୁଆ ଅଛନ୍ତି।

ଆସାମରେ ସମସ୍ତ ୧୪ଟି ଲୋକସଭା ଆସନ ପାଇଁ ଟ୍ରେଣ୍ଡ ଉପଲବ୍ଧ ରହିଛି। ବିଜେପି ୮ଟି, କଂଗ୍ରେସ ୪ଟି ଏବଂ ଆସାମ ଗଣ ପରିଷଦ ଓ ୟୁନାଇଟେଡ୍ ପିପୁଲ୍ସ ପାର୍ଟି (ଲିବରାଲ) ଗୋଟିଏ ଲେଖାଏଁ ଆସନରେ ଆଗୁଆ ଅଛନ୍ତି। ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଦିବ୍ରୁଗଡ଼ରେ ୨ ଲକ୍ଷ ୬୧ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ତ୍ରିପୁରାରେ ଉଭୟ ଆସନରେ ବିଜେପି ଆଗୁଆ ରହିଛି। ତ୍ରିପୁରା ପଶ୍ଚିମ ସଂସଦୀୟ ଆସନରେ ବିଜେପି ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିପ୍ଲବ କୁମାର ଦେବ ୬ ଲକ୍ଷରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ଅରୁଣାଚଳ ପ୍ରଦେଶରେ ଉଭୟ ଆସନରେ ବିଜେପି ଆଗୁଆ ରହିଛି। ପଶ୍ଚିମ ଅରୁଣାଚଳ ସଂସଦୀୟ କ୍ଷେତ୍ରରେ ବିଜେପି ପ୍ରାର୍ଥୀ ତଥା କେନ୍ଦ୍ରମନ୍ତ୍ରୀ କିରଣ ରିଜିଜୁ ୯୬ ହଜାରରୁ ଅଧିକ ଭୋଟରେ ଆଗୁଆ ଥିବା ବେଳେ ଅରୁଣାଚଳ ପୂର୍ବରେ ତାପିର ଗାଓ ୩୧ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି।

ମଣିପୁରରେ ଉଭୟ ଆସନରେ କଂଗ୍ରେସ ଆଗୁଆ ରହିଛି। ମିଜୋରାମର ଏକମାତ୍ର ଆସନରେ ଜୋରାମ ପିପୁଲ୍ସ ମୁଭମେଣ୍ଟ (ଜେଡପିଏମ୍) ଆଗୁଆ ରହିଛି। ନାଗାଲାଣ୍ଡରେ କଂଗ୍ରେସ ଏକମାତ୍ର ଲୋକସଭା ଆସନରେ ଆଗୁଆ ରହିଛି। ମେଘାଳୟରେ କଂଗ୍ରେସ ଓ ଭଏସ୍ ଅଫ୍ ଦି ପେପୋଲ ପାର୍ଟି (ଭିଓଟିପିପି) ଗୋଟିଏ ଲେଖାଏଁ ଆସନରେ ଆଗୁଆ ଅଛନ୍ତି। ସିକିମ କ୍ରାନ୍ତିକାରୀ ମୋର୍ଚ୍ଚା (ଏସକେଏମ) ପ୍ରାର୍ଥୀ ଇନ୍ଦ୍ର ହାଙ୍ଗ ସୁବା ଏକମାତ୍ର ସିକ୍କିମ ଲୋକସଭା ଆସନରେ ୭୮ ହଜାରରୁ ଅଧିକ ଭୋଟରେ ଆଗୁଆ ଅଛନ୍ତି। ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜରେ ବିଜେପି ପ୍ରାର୍ଥୀ ବିଷ୍ଣୁ ପଦ ରାୟ ଏକମାତ୍ର ଲୋକସଭା ଆସନରେ ଆଗୁଆ ଅଛନ୍ତି। ଦାଦ୍ରା ଓ ନଗର ହାଭେଲି ଆସନରେ ବିଜେପି ପ୍ରାର୍ଥୀ କଳାବେନ ଡେଲକର ଆଗୁଆ ଥିବା ବେଳେ ଦାମନ ଓ ଦିଉ ଲୋକସଭା ଆସନରେ ସ୍ୱାଧୀନ ପ୍ରାର୍ଥୀ ଉମେଶଭାଇ ବାବୁଭାଇ ପଟେଲ ଆଗୁଆ ଅଛନ୍ତି।

ଓଡ଼ିଶାରେ ୨୧ଟି ଲୋକସଭା ଆସନ ମଧ୍ୟରୁ ବିଜେପି ୧୯ଟିରେ ଆଗୁଆ ଥିବା ବେଳେ କଂଗ୍ରେସ ଓ ବିଜେଡି ଗୋଟିଏ ଲେଖାଏଁ ଆସନରେ ଆଗରେ ଅଛନ୍ତି।

Comments are closed.