ଭୁବନେଶ୍ଵର: ଧୋକା ହୈ, ଏକ୍ ଫରେବ୍ ହୈ ମଞ୍ଜିଲ୍ କା ହର ଖୟାଲ୍, ସଚ୍ ପୁଛିଏ ତୋ ସାରା ସଫର୍ ୱାପସିକା ହୈ- ରାଜେଶ ରେଡ୍ଡୀ। ଜଗତ, ଜୀବନ ଏବଂ ଜୀବିକା ଏହି ତିନିଟି କଥା ପରସ୍ପରଠାରୁ ଯେତେ ଅଲଗା ମନେହେଲେ ହେଁ, ପ୍ରତ୍ୟେକଟି ଅନ୍ୟର ପରିପୂରକ ଅଟେ। ତେବେ ଜୀବିକାର ପ୍ରଶ୍ନଟି ଯାହା ଜୀବନର ତାଳେତାଳେ ଆପେଆପେ ହେବା କଥା ତାହା ଆମ ସମୟରେ ସର୍ବୋପରି ହୋଇ ଯାଇଛି। ଜୀବିକାର୍ଜନ, ଜୀବନ ସଂଗ୍ରାମରେ ପରିଣତ ହୋଇ ଜୀବନର ମର୍ଯ୍ୟାଦାକୁ କ୍ଷୁର୍ଣ୍ଣ କରିଛି। ଏଥିଲାଗି ଯାବତୀୟ ମାନବ ଶୋଷଣ-କଷଣ ଏବଂ ପ୍ରକୃତିର ଦୋହନ ସ୍ୱାଭାବିକ ମନେହେଉଛି। ଏହି ସ୍ତର ଏ ପର୍ଯ୍ୟନ୍ତ ଯାଇଛି ଯେ, ‘ଆପେ ବଞ୍ଚିଲେ ବାପର ନାଁ” ଭଳି ଜୀବନ ପ୍ରତିକୂଳ ବାକ୍ୟ ଆପ୍ତବାକ୍ୟ ପାଲଟିଯାଇଛି; କିନ୍ତୁ ଜୀବଜଗତଠାରୁ ନିଜକୁ ବିଚ୍ଛିନ୍ନ କରି ଆପେ ଆପେ କ’ଣ ବଞ୍ଚିହୁଏ? ବୋଧହୁଏ ସମ୍ଭବ ହୁଅନ୍ତା ଯଦି କଥା କେବଳ ପେଟ ଚାଖଣ୍ଡକ ପାଇଁ ହୋଇଥାନ୍ତା; କିନ୍ତୁ ଜୀବନର ସବୁ ନାଟ କ’ଣ ପେଟ ପାଇଁ ? ପେଟ ତ ପୂରିଯାଏ ହେଲେ ମନ କ’ଣ ସହଜେ ପୂରେ? ମନ ଖୁସି ପାଇଁ ଆମେ କେତେ ଯେ ନାଟ ଲମ୍ବେଇଛେ। ତେବେ ବି, ଯେପରି ଏଇଲେ ପେଟ ଭର୍ତ୍ତି ତ’ ଆଉ ଟିକେକୁ ଖାଲି ସେହିପରି ଏବେ ମନ ଭରିଛି ତ’ ପର ମୁହୂର୍ତ୍ତରେ ଭାରି। ତେବେ କ’ଣ ପେଟ ଆଉ ମନ ଭରିଗଲା ପରେ ଆଉ କିଛି ଅପୂରା ରହିଯାଏ ? ଯେମିତି ପେଟ ଆଉ ମନ ଭରି ମାଂସାହାର କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଅନେକ ଗାଈ, ଛେଳି ଅବା କୁକୁଡାଟିଏ କଟାହେଉଥିବା ଦେଖି ସହ୍ୟ କରିପାରନ୍ତି ନାହିଁ। ଗାଡ଼ି ଚକା ତଳକୁ କୁକୁର ଅବା ବିଲେଇଟିଏ ଚାଲିଆସିଲେ ଆଖି ମୁଦି ହୋଇଯାଏ ତ ପାଦତଳେ ପୋକଟିଏ ଚାପି ହୋଇଗଲେ, ‘ଆହାଃ’ ପଦଟି ବାହାରି ଆସେ। ରାସ୍ତା ଚଉଡା ହେବାଲାଗି ବଡ ବଡ ଗଛଗୁଡିକ କଟା ହେଉଥିବାବେଳେ କିଏ ବା ବିଚଳିତ ହୋଇପଡେନି। ଗଛରେ ବସା ବାନ୍ଧୁଥିବା ଚଢେଇଟିକୁ ଘଡିଏ ରହିଯାଇ ଚାହିଁ ରହିବାକୁ ମନ ବଳାଏ ତ’ ତାରାଭର୍ତ୍ତି ଆକାଶ କାହାକୁ ଅଭିଭୂତ କରେ।ଝରଣା, ଜଙ୍ଗଲ-ପାହାଡ ଘେରା ପରିବେଶରେ କେତୋଟି ମୁହୂର୍ତ୍ତ ଅନେକଙ୍କ ପାଇଁ ଅଭୁଲା ରହିଯାଏ। ପିଲାଟି ଦିନରୁ ପରିଚିତ ନଦୀଟିର ନର୍ଦମାପ୍ରାୟ ଦଶା ଦେଖି କାହାର ବା ହୃଦୟ ବିଦାରି ହୋଇନଯାଏ। ତେବେ ଆଶ୍ଚର୍ଯ୍ୟର କଥା, ହୃଦୟସ୍ପର୍ଶୀ ଏହି ମୂହୁର୍ତ୍ତଗୁଡିକ କ୍ଷଣସ୍ଥାୟୀ କାହିଁକି ହୁଏ? ଏହି ଅନୁଭବଗୁଡିକ ତ’ ଜୀବନଧାରାରେ ରୂପାନ୍ତରିତ ହୋଇଯିବା କଥା ! କାହିଁକି ତେବେ ପୃଥିବୀର ପ୍ରତ୍ୟେକଟି ଜଳଧାରା ଅବରୁଦ୍ଧ ଏବଂ ଜହର ପାଲଟିଛି ଆଉ ଆମେ ଚୁପ ରହିପାରିଛୁ? କାହିଁକି ତେବେ ବେଜିଂ, ଦିଲ୍ଲୀ ଆଉ ପ୍ୟାରିସ୍ ପରି ବଡ଼ ବଡ଼ ସହରର ବାୟୁ ଆଉ ଶ୍ୱାସୋପଯୋଗୀ ନଥିବା ହେତୁ ସପ୍ତାହ ସପ୍ତାହ ଧରି ସ୍ୱାଭାବିକ ଜୀବନଯାତ୍ରା ଅଚଳ ହୋଇପଡୁଛି ଅଥଚ ଶିଳ୍ପ-ସହରୀ ସଭ୍ୟତାର ଭର୍ସାଇ ଦୁର୍ଗ ଭାଙ୍ଗି ପଡୁନି? କିପରି ତେବେ ଆମ ଜାଣତରେ ଅନେକ ପ୍ରାଚୀନ ଜଙ୍ଗଲ ସମେତ ଅସଂଖ୍ୟ ଜୀବସତ୍ତା ଲୋପ (ପ୍ରତିଦିନ ଅନ୍ୟୂନ ୭୪ ପ୍ରକାର ପ୍ରଜାତି) ପାଇଚାଲିଛନ୍ତି ? ପ୍ରଖ୍ୟାତ ମନସ୍ତତ୍ତ୍ବବିତ୍ ୟାନ୍ ମକ୍କଲମ୍ ମନୁଷ୍ୟ ଜାତିର ଏହି ଅବସ୍ଥାକୁ ଏକ ରକମର ସ୍ମୃତିଭ୍ରମ (ଇକୋଲୋଜିକାଲ୍ ଆମ୍ନେସିଆ)ର ପର୍ଯ୍ୟାୟ ଭାବେ ଉପସ୍ଥାପିତ କରୁଛନ୍ତି। ଅନ୍ୟ ଅର୍ଥରେ ଏହା ଏକ ଆତ୍ମ-ବିସ୍ମରଣର ସ୍ଥିତି। ଏକ ପ୍ରାଣୀ ଭାବରେ ଆମର ଉତ୍ପତ୍ତି, ଆମର ଆଦ୍ୟକାଳୀନ ଅତୀତ ଏବଂ ବିକାଶର ବିଭିନ୍ନ ପର୍ଯ୍ୟାୟକୁ ଆମେ ପାସୋରି ବସିଛେ। ନିୟୁତ ନିୟୁତ ବର୍ଷ ପୂର୍ବେ ଧରାବକ୍ଷରେ ପ୍ରଥମ ଜୀବସତ୍ତାରେ ପ୍ରାଣସଞ୍ଚାର ହେବା ପରମୁହୂର୍ତ୍ତଠାରୁ ଆଧୁନିକ ମଣିଷ ଭାବେ ଆମର ଅସ୍ତିତ୍ୱ ମଧ୍ୟରେ ଏକ ଅବିଚ୍ଛିନ୍ନ ଧାରା ବିଦ୍ୟମାନ ଥିବାର ସତ୍ୟଟି ଯେପରି ସ୍ମୃତି ଆଢୁଆଳରେ ରହିଯାଇଛି । ଆଶ୍ଚର୍ଯ୍ୟ ହେବାର ନୁହେଁ, ଅନ୍ୟୂନ ତିରିଶ ଲକ୍ଷ ବର୍ଷ ବୟସ୍କ ଆଦିମ ମଣିଷର ସେହି ସତ୍ତା ଅହରହ ଆମ ସହ ଜୀବିତ ଅଛି ଏବଂ ଜୀବନର କ୍ରମବିକାଶକୁ ଗୁଣସୂତ୍ର-ବିଜ୍ଞାନର ଝରକା ଦେଇ ଦେଖିଲେ ତ ଆପଣାର ବିଶ୍ୱରୂପ ଦେଖିପାରିବା ।
ୟାନ୍ କହୁଛନ୍ତି, କ୍ରମ-ବିବର୍ତ୍ତନ ବିଦ୍ୟା ଏବଂ ଗୁଣସୂତ୍ର- ବିଜ୍ଞାନର ଏହି ସିଦ୍ଧାନ୍ତ ଅନୁସାରେ ପ୍ରତ୍ୟେକଟି ଜୀବସତ୍ତା ଆମ ରକ୍ତରେ ଅଛନ୍ତି ଏବଂ ଭୁଲିବାର ନୁହେଁ ଯେ, ଆମେ ମଧ୍ୟ ସେମାନଙ୍କ ରକ୍ତରେ ଅଛୁ। ଏହି ନ୍ୟାୟରେ ଆମେ କେବଳ ସମ୍ପର୍କୀୟ ନୁହେଁ, ଆମେ ପରସ୍ପରର ଅଂଶ। କୋଷ ଆମ ଜୈବିକ ସତ୍ତାର କ୍ଷୁଦ୍ରତମ ଏକକ। ହତଭମ୍ବ କରିବା ଭଳି ସତ୍ୟ ହେଉଛି ଆମର ଶରୀରରେ ଥିବା ଏକ ଶହ ଟ୍ରିଲିଅନ କୋଷ ମଧ୍ୟରୁ ମାତ୍ର ଦଶ ଭାଗ ମନୁଷ୍ୟ କୋଷ; ଆଉ ବାକି ହେଉଛି ଅସଂଖ୍ୟ ପ୍ରଜାତିର ସୂକ୍ଷ୍ମ-ଅଣୁଜୀବଙ୍କ କୋଷ ; କିନ୍ତୁ ସୃଷ୍ଟିର ବୈଚିତ୍ର୍ୟ ଏହି ଯେ, ପ୍ରାୟତଃ ଏହା ହସ୍ତକ୍ଷେପ ରହିତ ଅବସ୍ଥାନ ଆଉ ବାକି କ୍ଷେତ୍ରରେ ଜୀବନ ରକ୍ଷାକାରୀ ସହାବସ୍ଥାନ। କେବଳ ସେତିକି ନୁହେଁ; ଆମ ଶରୀରରେ ଲୌହ, କ୍ୟାଲସିୟମଠାରୁ ଆରମ୍ଭକରି ଫସଫରସ, ଜିଙ୍କ୍ ପର୍ଯ୍ୟନ୍ତ ଉପାଦାନ (ସାଧାରଣତଃ ଯାହା ମାଟିରେ ହିଁ ଥାଏ) ର ଉପସ୍ଥିତି ଆମ ଅସ୍ତିତ୍ୱ ରକ୍ଷା ନିମନ୍ତେ ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ଆମେ ଯେ ମାଟି ଠାରୁ ଅଲଗା ନୁହେଁ, ଏହା କହିବା ବାହୁଲ୍ୟ ମାତ୍ର। ଆମ ଶରୀରରେ ଜଳର ମାତ୍ରା ଏହା ପ୍ରମାଣ କରେ କି ଆମର ଅର୍ଦ୍ଧାଧିକ ଅସ୍ତିତ୍ୱ ଏକ ଜଳଧାରା ଅନୁରୂପ। ପୃଥିବୀର କୌଣସି କୋଣରେ ଏକ ଜଳଉତ୍ସ ପ୍ରଦୂଷିତ ହେବା ଅର୍ଥ ଆମ ରକ୍ତ ପ୍ରଦୂଷିତ ହେଉଛି। ଆମାଜନ ଜଙ୍ଗଲରେ ନିଆଁ ଲାଗୁଛି ମାନେ ଆମେ ଶ୍ୱାସରୁଦ୍ଧ ଆଉ ଆମ ଫୁସ୍ଫୁସ୍ ସଂକ୍ରମଣର ସମ୍ଭାବନା ବଢିଚାଲିଛି। ମାଟି, ଜଳ ଆଉ ବାୟୁମଣ୍ଡଳ ରାଜନୈତିକ ସୀମା- ସରହଦ ଊର୍ଦ୍ଧ୍ୱରେ ଅଖଣ୍ଡ। ଯେହେତୁ ପରିବେଶ-ପରିବେଷ୍ଟନୀ ଆଉ ଆମେ ଏକ ଏବଂ ଅଭିନ୍ନ, ଧ୍ୱଂସମୁଖୀ ପ୍ରକୃତିର ତାଳେ ତାଳେ ଆମ ଜୀବନ ମଧ୍ୟ ଅବକ୍ଷୟମୁଖୀ ହେବା ନିଶ୍ଚିତ। ଈଶ୍ୱର-କୁମ୍ଭାର ସମ୍ବାଦ’ ଶୀର୍ଷକ ଏକ କବିତାରେ କବି ଶୈଳଜ ରବି କୁମ୍ଭାର ମୁହଁରେ କହୁଛନ୍ତି, “ନିତି ମୁଁ ଗଢ଼େ ଘଟଟିଏ, ସେ ମତେ ନିତି ଗଢୁଥାଏ ।”
ଆମେ ଗଢିବା ସହ ଗଢି ହେଉ ମଧ୍ୟ। ମଣିଷର ଅବଚେତନ ମନ ଉପରେ ପ୍ରକୃତି-ପରିବେଶର ପ୍ରଭାବ କେତେ ଯେ ଗଭୀର, ସେ ସମ୍ବନ୍ଧୀୟ ଏକ ବିଚାର-ବୁଝାମଣା ବ୍ୟତିରେକ, ଏକ ସ୍ୱତନ୍ତ୍ର ସତ୍ତା ଅବା ଏକ ଜାତି ଭାବେ ଆମେ ସାମ୍ନା କରୁଥିବା କୌଣସି ସମସ୍ୟାର ସମାଧାନ ସମ୍ଭବ ନ ହୋଇପାରେ। ମୌଳିକ ବିଜ୍ଞାନର ଗବେଷଣା ଆମ ବିଚାର ନିର୍ମାଣ ଦିଗରେ ସହାୟକ ହୋଇପାରେ; କିନ୍ତୁ ଏସବୁର ଉତ୍ତର ଲାଗି ବିଜ୍ଞାନ ସମେତ ଅତ୍ୟାଧୁନିକ ଯନ୍ତ୍ରକୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ଉପରେ ଆମର କ୍ରମବର୍ଦ୍ଧିଷ୍ଣୁ ନିର୍ଭରଶୀଳତା ନିଶ୍ଚୟ ନିଷ୍ଫଳ ହେବ।
ଆମେ ବାଟ ହୁଡ଼ିବାର ସମ୍ଭାବ୍ୟ କାରଣରେ କୁହାଯାଇପାରେ ଯେ, ସ୍ଥାୟୀ ବସତି ଭିତ୍ତିକ ଖାଦ୍ୟଶସ୍ୟର ଚାଷ (ଖୁବ୍ଶୀଘ୍ର ଯାହା ବଳ, ବୁଦ୍ଧି ଏବଂ ବିତ୍ତର ଚାଷରେ ପରିଣତ ହୋଇଛି) ମନୁଷ୍ୟକୁ ପ୍ରକୃତି ଅନୁକୂଳ ଜୀବନଯାପନରୁ ଦୂରେଇ ନେଇଛି ସତ; କିନ୍ତୁ ଏହି ବ୍ୟବଧାନ ଶିଳ୍ପ ଭିତ୍ତିକ ସହରୀ ସଭ୍ୟତାର ଆରମ୍ଭ ପର୍ଯ୍ୟାୟରୁ କ୍ରମଶଃ ଏକ ଚରମ ସୀମାରେ ପହଞ୍ଚିଛି। ଏରିକ୍ ଫୋମ୍ଙ୍କ ଭାଷାରେ, ଆମେ ପ୍ରକୃତିଠାରୁ ଦୂରେଇ ଚାଲିବା ସହ ସୃଷ୍ଟ ବିଛିନ୍ନତାବୋଧ ଆଉ ଏକାକୀତ୍ୱରୁ ବର୍ତ୍ତିବା ଲାଗି ଆମର ମନସ୍ତାତ୍ତ୍ୱିକ ଅସ୍ତିତ୍ୱ ନୂଆ ସୂତାଖିଅ ଖୋଜିଛି । ଆଉ ପାରିପାର୍ଶ୍ୱିକ ସ୍ଥିତିକୁ ନେଇ ଏହି ଉତ୍ସରୁ ସମସ୍ତ ମାନବୀୟ ଅବଗୁଣର ପରିପ୍ରକାଶ ଘଟିଛି। ପରିଣାମତଃ ବିଶ୍ୱବ୍ୟାପୀ ମାନବର ଶୋଷଣ ଏବଂ ପ୍ରକୃତି ଦୋହନଧର୍ମୀ ରାଜନୈତିକ- ଅର୍ଥନୀତି ଏକମାତ୍ର ବିକଳ୍ପ ହୋଇ ଛିଡାହୋଇଛି। ଯାହାକୁ ଶତସିଂହର ବଳ ଯୋଗାଉଛି ଇଂରାଜୀ ଏ-ବି-ସି-ଡି-ଇ (ଏକାଡେମିକ୍, ବ୍ୟୁରୋକ୍ରାସି, କର୍ପୋରେଟ୍, ଡେଟିକ୍ରାପ୍ଟ ଏବଂ ଇଞ୍ଜିନିୟରିଂ) ଗୋଷ୍ଠୀର ମିଳିତ ମେଣ୍ଟ। ଏହି ମେଣ୍ଟର ବଳରେ ବଳୀୟାନ ସମୁଦାୟ ଜଗତର ମୁଖ୍ୟଧାରା ବର୍ତ୍ତମାନ ଅପରିଣାମଦର୍ଶୀ ବିକାଶମୁହାଁ। ମୁଖ୍ୟଧାରାର ଓଡ଼ିଶା ମଧ୍ୟ ଏହି ତଥାକଥିତ ବିକାଶର ମାୟାଜାଲରେ ଆକଣ୍ଠ ଛନ୍ଦି ହୋଇଛି। ସରକାରଙ୍କ ‘ଓଡ଼ିଶା ଭିଜନ ୨୦୩୬ ଓ ୨୦୪୭’ ର ପ୍ରସ୍ତାବନାରୁ ଏହା ସ୍ପଷ୍ଟ ହେଉଛି। ଅଭିବୃଦ୍ଧି ଏବଂ ବିକାଶର ଏହି ପ୍ରହେଳିକା ଦେଖାଇବାରୁ କ୍ଷାନ୍ତ ହୁଅନ୍ତୁ ସରକାର ଏବଂ ଏହି ମରୀଚିକାର ଭ୍ରମରୁ ମୁକ୍ତ ହୁଅନ୍ତୁ ଆଗଧାଡିର ଜନତା। ଶରୀରରେ କ୍ୟାନ୍ସର କୋଷର ସଂଖ୍ୟାବୃଦ୍ଧି ସ୍ୱାସ୍ଥ୍ୟର ଲକ୍ଷଣ ନୁହେଁ। ଦୂର ଅତୀତର ସ୍ୱାସ୍ଥ୍ୟର ପୁଲକ ଆଡକୁ ଫେରିଚାହିଁବା। ଏହି ଦୂରତା ପୃଥିବୀ ପୃଷ୍ଠରେ ମଣିଷ ଜୀବନ ଇତିହାସର ଏକ ପ୍ରତିଶତ ସମୟ ପଛକୁ ବି ନୁହେଁ।
ପ୍ରଣିଧାନଯୋଗ୍ୟ, ପ୍ରଚଳିତ ବ୍ୟବସ୍ଥାର ସର୍ବମୋଟ ଆୟୁ ତ ଏଇ କେତେ ଶହ ବର୍ଷ ମାତ୍ର ଆଉ ଏଇ ରାଜନୈତିକ- ଅର୍ଥନୀତିର ଇତିହାସ ତ କେଇ ହଜାର ବର୍ଷରୁ ଅଧିକ ପୁରୁଣା ଧାରା ନୁହେଁ ; କିନ୍ତୁ ଆମର ସହାବସ୍ଥାନ ଭିତ୍ତିକ ଅତୀତ ତ ନିୟୁତ ନିୟୁତ ବର୍ଷର। ପାସୋରା ହୋଇଯାଇଥିବା ସେହି ଅତୀତକୁ ସ୍ମୃତିପଟଳରେ ପୁନଃ ଉଜ୍ଜୀବିତ କରିବା ବ୍ୟତିରେକ ଅନ୍ୟ ଉପାୟ ନାହିଁ। ଆମକୁ ନିଜକୁ ଚିହ୍ନିବାକୁ ପଡିବ ଓ ଯାହା ସମସ୍ତ ସଜୀବ ଆଉ ନିର୍ଜୀବ ସତ୍ତାକୁ ନେଇକରି ସାମଗ୍ରିକ ହେବ। ସମ୍ଭବତଃ ଯୋଗୀ-ମୁନିମାନେ ସେଇ ସ୍ୱରୂପକୁ ଚିହ୍ନିବାକୁ କହିଥାଇପାରନ୍ତି। ଏଇ କଣ ସେହି ପିଣ୍ଡ-ବ୍ରହ୍ମାଣ୍ଡ ଅଭିନ୍ନତା (ଯଥା ପିଣ୍ଡେ ତଥା ବ୍ରହ୍ମାଣ୍ଡେ’)ର ଅବୋଧ୍ୟ ମନେ ହେଉଥିବା ସରଳ ତତ୍ତ୍ୱ ? ସଭିଏଁ ସେହି ବ୍ୟାପକ ଅର୍ଥରେ ଆତ୍ମକୈନ୍ଦ୍ରିକ ହେବା। ସର୍ବକାଳିକ ଆଉ ସର୍ବଭୂତବ୍ୟାପୀ ହେବା। ବିସ୍ମୃତିର ଅଳନ୍ଦୁ ଝାଡ଼ି ଆପଣାର ବିଶ୍ୱରୂପ ଦେଖିବା।
ଜୀବନ, ଜୀବିକା ଓ ଜଗତର ଅବିଭାଜ୍ୟ ସମ୍ପର୍କ
Popular Categories



