ଦୁର୍ଦ୍ଦଶାରେ ବିପନ୍ନ ପରିବାର, ଜୀବନ ବଞ୍ଚାଇବାକୁ ଚାଲିଛି ସଂଘର୍ଷ
ଫଟାଦଦରା ଘରେ ଚାଲିଛି ରୋଷେଇ, ମୁଣ୍ଡ ଗୁଞ୍ଜିବାକୁ ରାହା ନାହିଁ
ହରଭଙ୍ଗା : ଛାଡିଯାଇଛି ବନ୍ୟାପାଣି, ଦେଇଯାଇଛି ଅନକେ ଦୁର୍ଦ୍ଦଶା। ମୁଣ୍ଡ ଗୁଞ୍ଜିବାକୁ ଥିବା ଝାଟିମାଟି ଘର ଖଣ୍ଡିକ ବନ୍ୟା ପାଣିରେ ଭାଙ୍ଗିଯାଇଛି। ଭଙ୍ଗାଘର ସଜାଡି ଜୀବନ ବଞ୍ଚାଇବାକୁ ଚାଲିଛି ସଂଘର୍ଷ । ଏଭଳି ଏକ ଦାରୁଣଚିତ୍ର ଦେଖିବାକୁ ମିଳିଛି ହରଭଙ୍ଗା ବ୍ଲକର ବନ୍ୟା ପ୍ଲାବିତ ଗାଁ କୋଡାଶିଙ୍ଗାରେ। ପ୍ରକାଶ ଯେ, ବନ୍ୟା ପାଣି ଛାଡିଯାଇଥିବାରୁ କୋଡାଶିଙ୍ଗା ଗ୍ରାମର ୬୫ ପରିବାରଙ୍କ ଘର ବାହୁଡା ହୋଇଛି। ଗ୍ରାମର ସୁଦର୍ଶନ ବେହେରା, ପାଣୁ କର୍ଣ୍ଣ, ସହଦେବ କର୍ଣ୍ଣ , ଶଙ୍କର ବେହେରା, ଭାଗିରଥି ବାରିକ, ରାଧେଶ୍ୟାମ ପାଣ୍ଡେ, ଦୁଆରୀ ବେହେରା, ଗୁରୁବାରିଆ ବେହେରା, ସୁମିତ୍ରା ବେହେରା, ସରସ୍ୱତୀ ବେହେରା, ରାଧେଶ୍ୟାମ ପାଣ୍ଡେ ଭଳି ୧୨ଟି ପରିବାରର ଝାଟିମାଟି ଘର ବନ୍ୟାରେ ଭାଙ୍ଗିଯାଇଛି । ମୁଣ୍ଡ ଗୁଞ୍ଜିବାକୁ କିଛି ନାହିଁ, ଓଦା ବାରଣ୍ଡାରେ ମୁଠାଏ ରାନ୍ଧି ଖାଇବା କଷ୍ଟକର ହୋଇପଡୁଛି । ଏଭଳି ଅବସ୍ଥାରେ ପାଣୁ କର୍ଣ୍ଣ ଭଳି ଜଣେ ବୃଦ୍ଧ ଝାଟି ମାଟି ଘରକୁ ସଜାଡୁଥିବା ବେଳେ ସହଦେବ କର୍ଣ୍ଣ , ସୁମିତ୍ରା ବେହେରାଙ୍କ ରୋଷେଇଶାଳକୁ ଲକ୍ଷ୍ୟ କଲେ ବନ୍ୟା ବିଭିଷୀକାର ଭୟାବହତା ବୁଝାପଡୁଛି। ସୂଚନା ଅନୁସାରେ ଏହି ବିପନ୍ନ ପରିବାରମାନେ ଗ୍ରାମୀଣ ପ୍ରଧାନମନ୍ତ୍ରୀ ଆବାସରୁ ବଞ୍ଚିତ ହୋଇ ରହିଥିବା ଜଣାପଡିଛି।ତୁରନ୍ତ ଅସହାୟ ବିପନ୍ନ ପରିବାରଙ୍କୁ ଆଗ୍ରାଧିକାର ଭିତ୍ତିରେ ଆବାସ ଘର ଯୋଗାଇଦେବା ସହିତ କ୍ଷୟକ୍ଷତି ସହାୟତା ଯୋଗାଇଦେବାକୁ ପୂର୍ବତନ ୱାର୍ଡ ସଭ୍ୟ କୃପାସିନ୍ଧୁ ବେହେରା ଦାବି କରିଛନ୍ତି । ଏ ଦିଗରେ ଜିଲ୍ଲାପାଳ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ଦାବି ହେଉଛି।
Comments are closed.