Patra electronics

ବନ୍ୟପ୍ରାଣୀ ସୁରକ୍ଷାରେ ଡିଜିଟାଲ ଅଭିନବତ୍ବକୁ ପ୍ରାଧାନ୍ୟ, ‘ଭି-ସାଟ୍’ ନଜରରେ ରହିବ ଶିମିଳିପାଳ ଓ ସାତକୋଶିଆ

ଭୁବନେଶ୍ବର : ଶିମିଳିପାଳ ଅଭୟାରଣ୍ୟ ଓ ସାତକୋଶିଆରେ ଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଜଙ୍ଗଲ ଓ ପରିବେଶ ବିଭାଗ ସର୍ବାଧିକ ଗୁରୁତ୍ବ ଦେଉଛି। ଏହାକୁ ନେଇ ବିଭାଗ ପକ୍ଷରୁ ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରାଯାଇଛି। ସଂପ୍ରତି ବନ୍ୟପ୍ରାଣୀ ସୁରକ୍ଷା ଲାଗି ଡିଜିଟାଲ ଅଭିନବତ୍ବକୁ ସର୍ବାଧିକ ଗୁରୁତ୍ବ ଦିଆଯିବ। ଶିମିଳିପାଳ ଅଭୟାରଣ୍ୟ ଓ ସାତକୋଶିଆ ‘ଭି-ସାଟ୍’ ନଜରରେ ରହିବ ବୋଲି ବିଶ୍ୱ ବନ୍ୟପ୍ରାଣୀ ଦିବସ ଉପଲକ୍ଷେ ରାଜ୍ୟ ପ୍ରଧାନ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡ. ସୁଶାନ୍ତ ନନ୍ଦ କହିଛନ୍ତି।

ଡ. ନନ୍ଦଙ୍କ ସୂଚନା ଅନୁଯାୟୀ, ସଂପ୍ରତି ବୈଷୟିକ ଜ୍ଞାନକୌଶଳ ଉପଯୋଗିତାକୁ ବିଭାଗ ପକ୍ଷରୁ ଗୁରୁତ୍ବ ଦିଆଯାଉଛି। ଚଳିତମାସରେ ଶିମିଳିପାଳ ଓ ସାତକୋଶିଆରେ ଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ‘ଭି-ସାଟ୍’ ବ୍ୟବସ୍ଥା କରାଯିବ। ଏହାମାଧ୍ୟମରେ ୨୩ଟି ସେଣ୍ଟରକୁ ଯୋଡାଯିବ। ଏନେଇ ବିଭାଗରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକରେ ଶିମିଳିପାଳ ଓ ସାତକୋଶିଆର ପ୍ରମୁଖ ସ୍ଥାନଗୁଡ଼ିକୁ ‘ଉପଗ୍ରହ’ ସହିତ ଯୋଡାଯିବାର ବ୍ୟବସ୍ଥା କରାଯିବ। ଯାହାଦ୍ବାରା ଶିମିଳିପାଳ ଓ ସାତକୋଶିଆରେ ପ୍ରତି ମୁହୂର୍ତ୍ତରେ କ’ଣ ସବୁ ଘଟୁଛି ତା’ର ଟିକିନିଖି ଖବର ରହିବ। ଏହାସହିତ ‘ଭିଓଆଇପି ଫୋନ୍’ ବ୍ୟବସ୍ଥା କରାଯିବ। ଶିମିଳିପାଳର ବହୁତ ଅଞ୍ଚଳରେ ନେଟ୍ ପହଞ୍ଚି ପାରୁନାହିଁ, ଏହାକୁ ଦୃଷ୍ଟିରେ ରଖି ଏହି ଫୋନ ବ୍ୟବସ୍ଥା କରାଯାଇଛି। ଯାହାଦ୍ବାରା ବନ୍ୟପ୍ରାଣୀଙ୍କ ଗତିବିଧି ଉପରେ ନଜର ରଖାଯିବା ସହିତ ଶିକାରୀଙ୍କ କ୍ଷେତ୍ରରେ ତ୍ବରିତ କାର୍ଯ୍ୟାନୁ‌ଷ୍ଠାନ ଗ୍ରହଣ କରାଯାଇ ପାରିବ।

ସେ କହିଥିଲେ ଯେ, ବିଶ୍ବବାସୀଙ୍କ ମନରେ ବନ୍ୟ ଜୀବଜନ୍ତୁଙ୍କର ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି କରିବା
ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଜାତିସଂଘ ପକ୍ଷରୁ ବନ୍ୟପ୍ରାଣୀଙ୍କ ସୁରକ୍ଷାରେ ଡିଜିଟାଲ ଅଭିନବତ୍ବକୁ ବିଷୟବସ୍ତୁ ରଖାଯାଇଛି। ‘କନେକ୍ଟିଂ ପିପୁଲ ଆଣ୍ଡ ପ୍ଲାନେଟ: ଏକ୍ସପ୍ଲୋରିଂ ଡିଜିଟାଲ ଇନୋଭେସନ ଇନ୍ ୱାଇଲ୍ଡ ଲାଇଫ କଞ୍ଜରଭେସନ’ ଉପରେ ଗୁରୁତ୍ବ ଦିଆଯିବ। ବିପଦରେ ଥିବା ବନ୍ୟପ୍ରାଣୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ୨୦୧୩ ଡିସେମ୍ବର ୨୦ରେ ଜାତିସଂଘର ସାଧାରଣ ସଭାରେ ମାର୍ଚ୍ଚ ୩ ତାରିଖକୁ ବିଶ୍ୱ ବନ୍ୟପ୍ରାଣୀ ଦିବସ ଭାବେ ପାଳନ କରିବା ଲାଗି ଘୋଷଣା କରାଯାଇଥିଲା। ଏହି ଦିନ ବିଲୁପ୍ତ ହୋଇଆସୁଥିବା ବନ୍ୟପ୍ରାଣୀଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବା ସହିତ ବନ୍ୟପ୍ରାଣୀ ଅପରାଧ ବିରୋଧରେ ଲଢ଼ିବାକୁ ଲୋକମାନଙ୍କୁ ପ୍ରେରିତ କରାଯାଏ।

ଖାଦ୍ୟ ଶୃଙ୍ଖଳାର ରକ୍ଷଣାବେକ୍ଷଣ ଏବଂ ସନ୍ତୁଳନରେ ବନ୍ୟଜନ୍ତୁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି। ପୃଥିବୀ ପୃଷ୍ଠର ଜୈବ ବିବଧତାର ସୁରକ୍ଷା ତଥା ମାନବ ଜାତିର ଭବିଷ୍ୟତ ପାଇଁ ଏହା ଖୁବ ଜରୁରୀ ହୋଇଥାଏ। ତେଣୁ ଶିକ୍ଷା ଓ ସଚେତନତା ମାଧ୍ୟମରେ ବିଶ୍ୱ ବନ୍ୟପ୍ରାଣୀ ଦିବସରେ ବ୍ୟକ୍ତିବିଶେଷ, ଗୋଷ୍ଠୀ, ସରକାର ତଥା ସଙ୍ଗଠନଗୁଡ଼ିକ କାର୍ଯ୍ୟ କରିଥାନ୍ତି। ବନ୍ୟଜନ୍ତୁ ଏବଂ ସେମାନଙ୍କ ବାସସ୍ଥାନର ସୁରକ୍ଷା ପାଇଁ ନିରନ୍ତର ପଦକ୍ଷେପ ଗ୍ରହଣ କରିବା ଉପରେ ଗୁରୁତ୍ବ ଦେବା ଲାଗି ଏହି ଦିବସ ପାଳନ କରାଯିବ। ଏଥିପାଇଁ ବିଭାଗ ପକ୍ଷରୁ ବ୍ୟାପକ ସଚେତନତା ସୃଷ୍ଟି କରାଯିବ। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ବନ୍ୟଜନ୍ତୁ ସୁରକ୍ଷାକୁ ଗୁରୁତ୍ବ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ଆନ୍ତର୍ଜାତିକ ନିୟମ ପାଳନ କରାଯାଉଥିବା ଡ. ନନ୍ଦ ସୂଚନା ଦେଇଛନ୍ତି।

Comments are closed.