କୋଡ଼ିଙ୍ଗାମାଳି ପ୍ରଭାବିତ ଗ୍ରାମବାସୀଙ୍କ ନିଷ୍ପତି, ପଲ୍ଲୀସଭା ସର୍ତ୍ତ ପୂରଣ ନ ହେଲେ ଆନ୍ଦୋଳନ ହେବ
ଲକ୍ଷ୍ମୀପୁର : କୋଡ଼ିଙ୍ଗାମାଳି ଖନନ ନେଇ ତୀବ୍ର ପ୍ରତିକ୍ର୍ରିୟା କରାଯିବା ସହିତ ପଲ୍ଲୀସଭା ସର୍ତ୍ତ ର୍ପୂରଣ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଚେତାବନୀ ଦିଆ ଯାଇଛି। ଓଏମସି ଓ ଖଣି ଖନନ ନେଇଥିବା ଠିକା କମ୍ପାନୀ ବିରୁଦ୍ଧରେ ଶୁକ୍ରବାର ଏକ ବୈଠକ ଲକ୍ଷ୍ମୀପୁର ସଦର ମହକୁମା ଠାରେ ଅନୁଷ୍ଠିତ ହୋଇ ଯାଇଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ବ୍ଲକର କୋଡ଼ିଙ୍ଗାମାଳି ପାହାଡ଼ରୁ ଖଣି ନିଗମ ଜରିଆରେ ପ୍ରାୟ ଏକ ବର୍ଷରୁ ଊର୍ଦ୍ଧ୍ବ ହେବ ବକ୍ସାଇଟ୍ ଖନନ ହେବା ସହିତ ଲାଞ୍ଜିଗଡ଼ର ବେଦାନ୍ତ କାରଖାନକୁ ଯାଉଛି। ଖଣି ଖନନ ପୁର୍ବରୁ କୋଡ଼ିଙ୍ଗାମାଳି ପାର୍ଶ୍ବବର୍ତ୍ତୀ ଗ୍ରାମରେ ପଲ୍ଲୀ ସଭା କରାଯାଇ ପ୍ରତିଶ୍ରୁତିମାନ ଦିଆ ଯାଇ ଅଞ୍ଚଳର ବିକାଶ ସହିତ ବେକାର ଯୁବକମାନେ କାମଧନ୍ଦା ପାଇବେ ବୋଲି ଖଣି ନିଗମ ପକ୍ଷରୁ କୁହା ଯାଇଥିଲା ବୋଲି ଏଠାରେ ଅଭିଯୋଗ ହୋଇଛି। ତେବେ ପ୍ରାୟ ଦେଢ଼ ବର୍ଷ ବିତି ଯାଇଥିଲେ ମଧ୍ୟ ଗ୍ରାମ ଗୁଡ଼ିକରେ ସେଭଳି କିଛି ବିକାଶ ହୋଇ ନଥିବା ବେଳେ କେବଳ କିଛି ଗୁଣ୍ଡାମାନଙ୍କୁ ଭଡ଼ା ଦିଆ ଯାଇ ଖଣି ଖନନ ନେଇଥିବା ଠିକାଦାର ନିଜର ସୁରକ୍ଷା ପାଇଁ ପୋଷିବା ଛଡ଼ା କିଛି ହୋଇନାହିଁ ବୋଲି ପୂର୍ବତନ ବିଧାୟକ କୈଳାସ ଚନ୍ଦ୍ର କୁଲେସିକା ଅଭିଯୋଗ କରିଛନ୍ତି।
ଶ୍ରୀ କୁଲେସିକାଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର କୋଡ଼ିଙ୍ଗାମାଳି ପାଶ୍ବବର୍ତ୍ତି ପ୍ରାୟ ୨୦ ଖଣ୍ଡ ଗ୍ରାମର ମୁଖିଆମାନଙ୍କୁ ନେଇ ଏକ ବୈଠକ ହୋଇଥିଲା। କୋଡ଼ିଙ୍ଗା ମାଳିରେ ଗଛିତ ଥିବା ବକ୍ସାଇଟ୍କୁ ଖନନ କରାଯାଇ ବେଦାନ୍ତ କମ୍ପାନୀକୁ ଦିଆଯିବ ବୋଲି ପ୍ରାୟ ଦେଢ଼ ବର୍ଷ ତଳେ ପଲ୍ଲୀ ସଭା କରାଯାଇ ଆଦିବାସୀ ଅଧ୍ୟୁଷିତ ଗ୍ରାମର ଲୋକମାନଙ୍କୁ ପ୍ରତିଶ୍ରୁତିରେ ପୋତି ଦିଆ ଯାଇଥିଲା। କିନ୍ତୁ ପ୍ରତିଶ୍ରୁତି ଅନୁଯାୟୀ କିଛି ବି କାମ ହୋଇ ନଥିବା ବୈଠକରେ ଅଭିଯୋଗ ଉଠିଛି। କେବଳ ଶହଶହ ହାଇୱା ଏବଂ ଟିପର ଗୁଡ଼ିକରେ ସଡ଼କ ପଥରେ ମାଲ ପରିବହନ ହେବା ସହିତ କ୍ଷଣ କ୍ଷଣକେ ବିପଦର ସମ୍ମୁଖୀନ ହେଉଛନ୍ତି। ଏପରିକି ଜାତୀୟ ରାଜପଥ ମରଣ ପଥ ପାଲଟିଥିବା ସହିତ ଧୂଳି ମାଟିରେ ଲୋକେ ଅଣନିଶ୍ୱାସି ହୋଇ ଗଲେଣି କହିଥିଲେ। ଖଣି ନିଗମ ଡାକ୍ତରଖାନା ଠାରୁ ଆରମ୍ଭ କରି ବିଦ୍ୟାଳୟ ପାନୀୟ ଜଳ ବ୍ୟବସ୍ଥା, ରାସ୍ତାଘାଟ ଆଦିର ସୁବିଧା ଯୋଗାଇ ଦିଆଯିବ ବୋଲି ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ତାହା କେବଳ କଥାରେ ହିଁ ରହିଯାଇଛି। ଖଣି ଖନନ ଦ୍ୱାରା ପାହାଡ଼ରୁ ପାଣି ଗଡ଼ି ଚାଷ ଜମିରେ ମାଡ଼ୁଛି, ଯେଉଁଥିପାଇଁ ଲୋକେ ଚାଷବାସ କରିପାରୁ ନାହାନ୍ତି କି ଯେଉଁ ମାନେ ଚାଷ କରୁଛନ୍ତି ତାହା ନଷ୍ଟ ହୋଇ ଯାଉଛି। ସେହିିପରି ପାହଡ଼ ଉପରେ ଠିକା କମ୍ପାନୀ ଓ ଖଣି ନିଗମ ଯେଉଁ ପାଇଖାନା କରିଛି ଟାଙ୍କି ନକରି ଛାଡ଼ୁଥିବା କାରଣରୁ ମଇଳା ଗୁଡ଼ିକ ସିଧା ତଳକୁ ଆସି ନିକଟବର୍ତ୍ତୀ ଗ୍ରାମ ସହ ଜମିରେ ପଡ଼ୁଥିବା ମଧ୍ୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ଖଣି ନିଗମ ଏହି ସବୁ ଦିଗ ଉପରେ ଯଦି ଗୁରୁତ୍ୱ ଦେବା ସହିତ ଟେଣ୍ଡର ମାଧ୍ୟମରେ ପାରିପାର୍ଶ୍ବିକ ବିକାଶ ନକରେ ତାହା ହେଲେ ଆଗାମି ଦିନରେ ଆନ୍ଦୋଳନ କରାଯିବ ବୋଲି ଯୋଗଦେଇଥିବା ଗ୍ରାମବାସୀମାନେ କହିଛନ୍ତି। ଆଗାମୀ ୩୦ ତାରିଖ ଦିନ ଉକ୍ତ ଗ୍ରାମବାସୀମାନଙ୍କୁ ନେଇ ପୁଣି ଏକ ବୈଠକ ବସିବ ବୋଲି ମଧ୍ୟ ସ୍ଥିର ହୋଇଥିଲା। ପୁର୍ବତନ ବିଧାୟକ ଶ୍ରୀ କୁଲେସିକାଙ୍କ ସହିତ ପ୍ରଭାବିତ ଅଞ୍ଚଳର ପ୍ରାୟ ୨୦ ଖଣ୍ଡ ଗ୍ରାମର ମୁଖିଆମାନେ ଏଠାରେ ଉପସ୍ଥିତ ଥିଲେ।
Comments are closed.