ଇଞ୍ଜିନିୟର୍ଙ୍କୁ ପ୍ରଶିକ୍ଷଣ ଦେଉଛି ଲସ୍କର
ନୂଆଦିଲ୍ଲୀ : ପାକିସ୍ତାନ ସମର୍ଥିତ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଏବା ଏବେ ଇଞ୍ଜିନିୟରମାନଙ୍କୁ ନିଜ ସହ ସାମିଲ କରିଛି। ଲସ୍କର ଲାହୋରସ୍ଥିତ ଏହାର ମୁଖ୍ୟ କାର୍ଯ୍ୟାଳୟଠାରେ ଏହି ଇଞ୍ଜିନିୟରମାନଙ୍କୁ ପ୍ରଶିକ୍ଷଣ ଦେଉଛି। ଏଥିନେଇ ସଂଗଠନ ବିଧିବଦ୍ଧ ଭାବେ ଏକ ମ୍ୟାନେଜମେଣ୍ଟ ପାଠ୍ୟକ୍ରମ ଆରମ୍ଭ କରିଛି। ଏହି ପାଠ୍ୟକ୍ରମ ଶେଷ କରିବା ପରେ ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର (ସିପିଇସି)ରେ ନିଯୁକ୍ତି ସୁଯୋଗ ପ୍ରଦାନ ନେଇ ସମ୍ପୃକ୍ତ ଇଞ୍ଜିନିୟରମାନଙ୍କୁ ଲସ୍କର ପ୍ରଲୋଭନ ଦେଖାଇଛି। ପ୍ରଶିକ୍ଷଣର ସମ୍ପୂର୍ଣ୍ଣ ଦାୟିତ୍ୱ ମୁମ୍ବଇ ଆକ୍ରମଣର ପ୍ରମୁଖ ଆତଙ୍କବାଦୀ ଅବ୍ଦୁଲ ରେହମାନ ମାକ୍କିକୁ ଦିଆଯାଇଛି ବୋଲି ଭାରତୀୟ ଗୁଇନ୍ଦା ସଂସ୍ଥା ସୂଚନା ପ୍ରଦାନ କରିଛି। ସୂଚନା ଅନୁସାରେ, ପ୍ରଶିକ୍ଷଣ ଶେଷ କରି ସିପିଇସିରେ ନିଯୁକ୍ତି ପାଇବା ପରେ ସମ୍ପୃକ୍ତ ଇଞ୍ଜିନିୟରମାନଙ୍କୁ ପ୍ରତି ମାସରେ ନିଜ ବେତନର କିଛି ଅଂଶ ଆତଙ୍କବାଦୀ ସଂଗଠନକୁ ପ୍ରଦାନ କରିବାକୁ ହେବ। ଏହାଦ୍ୱାରା ବିଶେଷ କରି ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାଣ୍ଠି ଅଭାବଜନିତ ସମସ୍ୟା ଦୂର କରିବାକୁ ଲସ୍କର ଲକ୍ଷ୍ୟ ରଖିଛି। ୩୦୦ରୁ ଊର୍ଦ୍ଧ୍ବ ଇଞ୍ଜିନିୟର ସିପିଇସିରେ ନିଯୁକ୍ତି ଲୋଭରେ ଏହି ପ୍ରଶିକ୍ଷଣରେ ଯୋଗ ଦେଇଛନ୍ତି। ସେମାନଙ୍କୁ ଲାହୋରରେ ପ୍ରାରମ୍ଭିକ ପ୍ରଶିକ୍ଷଣ ଦିଆଯିବା ପରେ ଶାରୀରିକ ପ୍ରଶିକ୍ଷଣ ନିମନ୍ତେ ଆବୋଟ୍ଟାବାଦ ପଠାଯିବ। ଆତଙ୍କବାଦୀ ସଂଗଠନ ଦ୍ୱାରା ପ୍ରଶିକ୍ଷିତ ଏହି ଇଞ୍ଜିନିୟରମାନେ ସିପିଇସିରେ ନିଯୁକ୍ତି ପାଇବା ଦ୍ୱାରା ଚୀନ୍ର ଅଧିକାରୀମାନଙ୍କ ପ୍ରତି ବିପଦ ସୃଷ୍ଟି ହେବ ବୋଲି ଦର୍ଶାଯାଇଛି।