ସଶକ୍ତ ହେବେ କଳାହାଣ୍ଡି ଏବଂ ନୂଆପଡାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ

ଲାଞ୍ଜିଗଡ଼:ଏସବିଆଇ ଫାଉଣ୍ଡେସନ ଏବଂ କଳିଙ୍ଗ କୁସୁମ ଫାଉଣ୍ଡେସନର ମିଳିତ ଆନୁକୁଲ୍ୟରେ ଆଜି କଳାହାଣ୍ଡିର ବିଜୁ କଲ୍ୟାଣ ମଣ୍ଡପରେ ଏସବିଆଇଏଫ୍- ସିଲିଡ୍ସ ପ୍ରକଳ୍ପର ଉଦଘାଟନ କରାଯାଇଥିଲା।  ଏହି ସମାରୋହରେ ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରାୟ ୩୦୦ ମହିଳା ଯୋଗ ଦେଇଥିଲେ।  ଉଦଘାଟନୀ ସମାରୋହରେ ମୁଖ୍ୟ ଅତିଥି ଭାବରେ ରାଜ୍ୟ ସଭା ସାଂସଦ ସୁଜିତ କୁମାର, ଭବାନୀପାଟଣା ପୌରପାଳିକାର ଅଧ୍ୟକ୍ଷା ସଂଯୁକ୍ତା ବେହେରା, ଭବାନୀପାଟଣା ପୌରପାଳିକାର ଉପାଧ୍ୟକ୍ଷ  ବିଷ୍ଣୁ ପ୍ରଧାନ ଏବଂ ବରିଷ୍ଠ ଆଇନଜୀବୀ ହରଜିନ୍ଦର ସିଂହ  ସମ୍ମାନୀତ ଅତିଥି ଭାବରେ  ଯୋଗ ଦେଇଥିଲେ।
ବରିଷ୍ଠ ଆଡଭୋକେଟ୍ ଶ୍ରୀ ସିଂହ ମହିଳାମାନଙ୍କ ସହିତ ଜଡିତ ବିଭିନ୍ନ ଆଇନ ଉପରେ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧିତ କରିଥିଲେ। ସାମାଜିକ କର୍ମୀ ସୁମିତ କୁମାର ସାହୁ ଏବଂ ରୁପେନ୍ଦ୍ର ଛତ୍ରିଆ ଡିଜିଟାଲ୍ ସାକ୍ଷରତା ଏବଂ ଆର୍ଥିକ ସାକ୍ଷରତା ଉପରେ ଅଧିବେଶନ କରିଥିଲେ।
ସାଂସଦ ଶ୍ରୀ କୁମାର ଏହି ପଦକ୍ଷେପକୁ ଉଚ୍ଚ ପ୍ରଶଂସା କରିବା ସହିତ ଅଂଶଗ୍ରହଣକାରୀମାନଙ୍କୁ ଡିଜିଟାଲ୍ ଏବଂ ଆର୍ଥିକ ସ୍କାମ ବିଷୟରେ ଅବଗତ କରାଇଥିଲେ। ମିତ୍ରଜିତ ସିଂ, ଚିନ୍ମୟ ମିଶ୍ର, ସମ୍ବିତ ପୁରୋହିତ, ଜୁଜେଷ୍ଟି ହରପାଲ ଏବଂ ଶିବ ପ୍ରସାଦ ସାମଲଙ୍କ ସମେତ କଳିଙ୍ଗ କୁସୁମ ଫାଉଣ୍ଡେସନର ସଦସ୍ୟମାନେ ଏହି କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ। ଏସବିଆଇଏଫ୍ – ସିଲିଡ୍ସ ଅଧୀନରେ,କଳାହାଣ୍ଡି ଏବଂ ନୂଆପଡ଼ା ଜିଲାର ତିନି ହଜାରରୁ ଅଧିକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟ  ମାନଙ୍କୁ ଆର୍ଥିକ, ଡିଜିଟାଲ୍ ଏବଂ ଆଇନଗତ ସାକ୍ଷରତା ଉପରେ ତାଲିମ ଦିଆଯିବ।

Comments are closed.