ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା: ମୃତ୍ୟୁର କାରଣ ଅଷ୍ପଷ୍ଟ , ପୁଲିସର ତଦନ୍ତ ଜାରି

ଲାଞ୍ଜିଗଡ: ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଥାନା ଅନ୍ତର୍ଗତ ଲାଞ୍ଜିଗଡ କଲୋନି ପଡାଠାରେ ଶୁକ୍ରବାର ଘର ଭିତରୁ ଏକ ଯୁବକଙ୍କ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର କରାଯାଇଥିଲା । ଯୁବକ ଜଣକ କେଉଁ କାରଣରୁ ଆତ୍ମହତ୍ୟା  କରିଥିଲେ ବର୍ତ୍ତମାନ କାରଣ ଅସ୍ପଷ୍ଟ ରହିଥିବା ବେଳେ ଲାଞ୍ଜିଗଡ ପୁଲିସ ପକ୍ଷରୁ ଏହାର ତଦନ୍ତ ଜାରି ରହିଛି।
ସୂଚନାନୁସାରେ ଦୀର୍ଘ ଆଠ ବର୍ଷ ହେବ ଦୀପକ ଦୁର୍ଗା(୩୨)ନାମକ ଜଣେ ଯୁବକ ଭବାନୀପାଟଣା ବଡ଼ପଡାର ଲାଞ୍ଜିଗଡ କଲୋନୀ ପଡାରେ ବାହା ହୋଇଥିଲେ। ସେ ଦିନଠାରୁ ସେ ନିଜ ଶଶୁର ଘରେ ରହି ଲାଞ୍ଜିଗଡରେ ଥିବା ବେଦାନ୍ତ କାରଖାନାର ଏକ ସହଯୋଗୀ କମ୍ପାନୀରେ କାମ କରୁଥିଲେ। ଵିଵାହ ପୂର୍ବରୁ ଶଶୁରଙ୍କ ମୃତ୍ୟୁ ଘଟିଥିବା ବେଳେ ବିବାହର କିଛି ବର୍ଷ ପରେ ନିଜ ସ୍ତ୍ରୀ ଏବଂ ଶାଶୂଙ୍କର ମଧ୍ୟ ଦେହାନ୍ତ ହୋଇଯାଇଥିଲା। ଶାଶୁ ଏବଂ ସ୍ତ୍ରୀଙ୍କ ଦେହାନ୍ତ ପରେବି ସେ ଶଶୁରଙ୍କ ଘରେ ରହି କମ୍ପାନୀର କାମକରି ଚଳି ଆସୁଥିଲେ। କିନ୍ତୁ ଶୁକ୍ରବାର ସନ୍ଧ୍ୟା ବେଳେ କଲୋନୀପଡ଼ାର ସାହିପଡିଶା ଲୋକେ ଦୀପକଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖି ତାଙ୍କ ଘର ଲୋକଙ୍କୁ ଖବର ଦେଇ ତାଙ୍କୁ ଉଦ୍ଧାର ପରେ ଲାଞ୍ଜିଗଡ ଡାକ୍ତରଖାନା ନେଇଥିଲେ। ଡାକ୍ତରଖାନାରେ ଦୀପକଙ୍କୁ  ଡାକ୍ତର ମୃତ ଘୋଷଣା କରିଥିଲେ।
ଖବର ପାଇ ପରିବାର ଲୋକେ ଲାଞ୍ଜିଗଡରେ ପହଞ୍ଚିବା ପରେ ମୃତ ଦୀପକଙ୍କ ବଡଭାଇ ପୂର୍ଣ୍ଣ ଚନ୍ଦ୍ର ଦୁର୍ଗା ଶୁକ୍ରବାର ରାତ୍ର ୧୦ ଘଣ୍ଟା ସମୟରେ ଲାଞ୍ଜିଗଡ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ଲାଞ୍ଜିଗଡ ଥାନାଧିକାରୀ ବିଜୟ ଲକ୍ଷ୍ମୀ ହିକକାଙ୍କ ନେତୃତ୍ୱରେ ଏଏସଆଇ ବଳଭଦ୍ର ଗଉଡ଼ ସମେତ ପୁଲିସ ଟିମ ଲାଞ୍ଜିଗଡ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଜବତ କରିବା ସହିତ ତଦନ୍ତ କରିଥିଲେ।  ଶୁକ୍ରବାର ରାତି ହୋଇଯାଇ ଥିବାରୁ ମୃତଦେହ ବ୍ୟବଛେଦ ହୋଇ ନପାରି ଆଜି ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏନେଇ ଲାଞ୍ଜିଗଡ ଥାନା କେଶ ନଂ ୩/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ବେଳେ ଏହା ଆତ୍ମହତ୍ୟା ନା ହତ୍ୟା ତାହା ବର୍ତ୍ତମାନ ପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ରହିଛି।  ବ୍ୟବଛେଦ ରିପୋର୍ଟ ଆସିବାପରେ ସମସ୍ତ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏଏସଆଇ ଶ୍ରୀ ଗଉଡ଼ ପ୍ରକାଶ କରିଛନ୍ତି ।

Comments are closed.