ଚନ୍ଦ୍ରଯାନ-୨ ଅଭିଯାନ : ଅନ୍ତିମକ୍ଷଣରେ ସମ୍ପର୍କ ଛିନ୍ନ
ବେଙ୍ଗାଲୁରୁ : ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ ଅବତରଣ କରିବାର ଅନ୍ତିିମକ୍ଷଣରେ ସଂପର୍କ ଚ୍ଛିନ୍ନ ହୋଇଛି। ରୋଭର ପ୍ରଜ୍ଞାନକୁ ଧରି ଅବତରଣ କରୁଥିବା ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠଠାରୁ ମାତ୍ର ୨.୧ ଉଚ୍ଚତାରେ ଥିବାବେଳେ ଇସ୍ରୋ ସହ ଯୋଗାଯୋଗ କରିପାରିନି। ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠକୁ ଛୁଇଁବାର ମାତ୍ର କେଇ ସେକେଣ୍ଡ ପୂର୍ବରୁ ଏହା ଭାରତୀୟ ମହାକାଶ ବିଜ୍ଞାନ (ଇସ୍ରୋ) ସହ ଯୋଗାଯୋଗ କରିପାରି ନଥିଲା। ପାୱାର ଡିସେଣ୍ଟ ଅପରେସନ୍ ଜରିଆରେ ରଫ୍ ବ୍ରେକିଂ ଫେଜ୍ ଶୁକ୍ରବାର ରାତି ୧.୩୮ରୁ ୧.୪୮ ମିନିଟ୍ ପର୍ଯ୍ୟନ୍ତ ପ୍ରାୟ ୧୦ ମିନିଟ୍ ଧରି ସଫଳ ରହିଥିଲା। ଯାହାକି ଅବତରଣର ପ୍ରଥମ ଜଟିଳ ପ୍ରକ୍ରିୟା ସଫଳତାର ଶେଷ ହୋଇଥିଲା। ଏହି ସମୟରେ ଚନ୍ଦ୍ରପୃଷ୍ଠରୁ ୩୦ କିମିରୁ ୭.୪ କିମି ଉଚ୍ଚତାକୁ ବିକ୍ରମକୁ ଅଣାଯାଇପାରିଥିଲା। ଏଥିରେ ଲାଗିଥିବା ୪ଟି ତରଳ ଇନ୍ଧନ ଇଞ୍ଜିନ୍ ଚାଲୁ ରହିଥିବାବେଳେ ଏହାର ଗତିକୁ ହ୍ରାସ କରାଯାଇପାରିଥିଲା। ଅନ୍ତିମ ପର୍ଯ୍ୟାୟର ଦୁଇମିନିଟ୍ ଯାହାକି ଥିଲା ଫାଇନ୍ ବ୍ରେକିଂ ଫେଜ୍। ରାତି ୧.୪୮ରୁ ୧.୫୦ ମିନିଟ୍ ମାତ୍ର ୨ ମିନିଟ୍ର ସମୟରେ ଚନ୍ଦ୍ରପୃଷ୍ଠରୁ ଯାନର ଦୂରତା ୭.୪ କିମିରୁ ୪୦୦ ମିଟରକୁ ହ୍ରାସ କରାଯାଉଥିଲା। ଏହି ସମୟରେ ବିକ୍ରମ ଲ୍ୟାଣ୍ଡର ୨.୧ କିମି ଦୂରତାରେ ପହଞ୍ଚିଥିଲା। ହଠାତ୍ ବିକ୍ରମ ଲ୍ୟାଣ୍ଡରଠାରୁ ଇସ୍ରୋର ସଂପର୍କ କଟିଯାଇଥିଲା।
ଏହାପରେ ବୈଜ୍ଞାନିକମାନେ ଚିନ୍ତିତ ହୋଇପଡିଥିଲେ। ବିକ୍ରମ କୌଣସି ସୂଚନା ପ୍ରଦାନ କରୁ ନଥିବାରୁ ଜାଣିବା ଲାଗି ପୂର୍ବରୁ ଲ୍ୟାଣ୍ଡରରୁ ଅଲଗା ହୋଇ ୧୦୦ କିମି ଦୂରତାରେ ଘୁରୁଥିବା ଅର୍ବିଟରର ଯୋଗାଯୋଗ ସଂପର୍କ ରକ୍ଷା କରାଯାଇଥିଲା। ଲ୍ୟାଣ୍ଡର ବିକ୍ରମ ସହ ସଂପର୍କ ରକ୍ଷା କରିବାର ପ୍ରୟାସ ଜାରି ରହିଥିବାରୁ ପରବର୍ତ୍ତୀ ସୂଚନା ସଂପର୍କରେ ତଥ୍ୟ ଅନୁଧ୍ୟାନ କରାଯାଉଛି ବୋଲି ଇସ୍ରୋ ଅଧ୍ୟକ୍ଷ ତଥା ଚନ୍ଦ୍ରଯାନ-୨ର ମୁଖ୍ୟ କେ. ସିବନ୍ ଗଣମାଧ୍ୟମକୁ ସୂଚନା ଦେଇଥିଲେ। ହୁଏତ ଯାନଟିର ବେଗକୁ ହ୍ରାସ କରିବାବେଳେ ଏଥିରେ କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥାଇପାରେ ବୋଲି ଆଶଙ୍କା କରାଯାଉଛି। ଇସ୍ରୋ ବୈଜ୍ଞାନିକ ଏ ସଂପର୍କରେ ସ୍ପଷ୍ଟ ଚିତ୍ର ପାଇବା ପରେ ମିଶନ୍ ସଂପର୍କରେ ଯାହାକିଛି କୁହାଯାଇପାରିବ।
ପୂର୍ବ ସୂଚନା ଅନୁଯାୟୀ ଶୁକ୍ରବାର ରାତ୍ରି ୧ଟା ୩୦ରୁ ୨ଟା ମଧ୍ୟରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ‘ବିକ୍ରମ’ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଥିଲା। ଏହାର କିଛି ସମୟ ପରେ ଅର୍ଥାତ୍ ଶନିବାର ଭୋର ୫ଟା ୩୦ରୁ ୬ଟା ୩୦ ମଧ୍ୟରେ ରୋଭର ‘ପ୍ରଜ୍ଞାନ’ ଅବତରଣ କରିଥାନ୍ତା। ଏହାପରେ ଚନ୍ଦ୍ରପୃଷ୍ଠରୁ ସୂର୍ଯ୍ୟକିରଣ ଗ୍ରହଣ କରି ପ୍ରଜ୍ଞାନର ସୌର ପ୍ୟାନେଲ ଶକ୍ତି ସଂଞ୍ଚୟ(ଚାର୍ଜ ଗ୍ରହଣ) କରି ୬ ଚକ ବିଶିଷ୍ଟ ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ଶନିବାର ସକାଳ ୮ଟାରୁ ୯ ସମୟରେ ଧୀରେ ଧୀରେ ଗଡିବା ଆରମ୍ଭ କରିଥାନ୍ତା। ମାତ୍ର ଏବେ ସଂପର୍କ କଟିଯାଇଥିବାରୁ ଅଭିଯାନ ସଂପର୍କରେ ତଥ୍ୟପ୍ରଦାନ କରିବା ସମ୍ଭବପର ହୋଇପାରିନି।
ସୂଚନାଯୋଗ୍ୟ, ଚନ୍ଦ୍ରଯାନ-୨ର ଅବତରଣର ଏହି ବିଶେଷ ମୁହୂର୍ତ୍ତ ଦୂରଦର୍ଶନ ଓ ଇସ୍ରୋ ୱେବସାଇଟ୍ରେ ପ୍ରସାରିତ କରାଯାଇଥିଲା। ଦେଶ, ବିଦେଶର କୋଣ ଅନୁକୋଣର ଲୋକେ ଏହାକୁ ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଦେଖିଥିଲେ। ଚନ୍ଦ୍ରପୃଷ୍ଠରେ ‘ବିକ୍ରମ’ର ସଫଳ ଅବତରଣ କରିବା ନେଇ ସମସ୍ତ ପ୍ରକାର କାର୍ଯ୍ୟକ୍ରମ ନିୟମିତ କ୍ରମରେ ଓ ଠିକ୍ରେ ଚାଲିଥିଲା। ସ୍ବୟଂକ୍ରିୟ କଂପ୍ୟୁଟର ଜରିଆରେ ଏହା ନିୟନ୍ତ୍ରିତ ମଧ୍ୟ କରାଯାଉଥିଲା। ଇସ୍ରୋର ସମସ୍ତ ବୈଜ୍ଞାନିକ ଏହାକୁ କେବଳ ଅନୁଧ୍ୟାନ ହିଁ କରୁଥିଲେ। ସବୁ କିଛି ଠିକ୍ ଚାଲିଥିବାବେଳେ ଶେଷ ମୁହୂର୍ତ୍ତରେ ସଂପର୍କ ବିଚ୍ଛିନ୍ନ ହୋଇଯିବା ବୈଜ୍ଞାନିକଙ୍କୁ ଏକପ୍ରକାର ନିରାଶ କରିଛି। ତେବେ ସେତେବେଳେ ଇସ୍ରୋ ମନିଟରିଂ ସେଣ୍ଟରର ଦର୍ଶକ ଗ୍ୟାଲେରିରେ ଉପସ୍ଥିତ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୈଜ୍ଞାନିକମାନଙ୍କୁ ଉତ୍ସାହିତ କରିବା ସହ ଏଥିନେଇ ଆଦୌ ନିରାଶ ନହେବାକୁ ପରାମର୍ଶ ଦେଇଛନ୍ତି।
ମିଶନ ସହିତ ଜଡିତ ଜଣେ ବରିଷ୍ଠ ଅଧିକାରୀଙ୍କ କହିବା ଅନୁଯାୟୀ ଚନ୍ଦ୍ରଯାନ-୨ର ସମସ୍ତ ଯନ୍ତ୍ରାଂଶ ଯେପରିକି ସେନସର, କମ୍ପ୍ୟୁଟର, କମାଣ୍ଡ ଆଦି ଠିକ ରୂପେ କାର୍ଯ୍ୟ କରୁଥିଲା। ତେଣୁ ଆମର ଦୃଢ ବିଶ୍ବାସ ଥିଲା ଯେ ଚନ୍ଦ୍ରଯାନ-୨ ସଫଳତାର ସହିତ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ‘ବିକ୍ରମ’କୁ ‘ସଫ୍ଟ ଲ୍ୟାଣ୍ଡିଂ’ କରାଯିବାରଥିଲା। ଅର୍ଥାତ ଏକ ଶିଶୁକୁ ତା’ର ଶେଯରେ ଶୁଆଇବା ଭଳି ଏହାକୁ ଚନ୍ଦ୍ରପୃଷ୍ଠରେ ସ୍ଥାନିତ କରାଯିବ। ଚନ୍ଦ୍ରଯାନ-୨ ଯଦି ସଫଳତାର ସହିତ ଅବତରଣ କରିଥିଲେ ଭାରତ ବିଶ୍ବର ଚତୁର୍ଥ ରାଷ୍ଟ୍ର ଭାବେ ଏହି ସଫଳତା ହାସଲ କରିଥାନ୍ତା। ଏହା ସହିତ ଚନ୍ଦ୍ରର ଦକ୍ଷିଣ ମେରୁରେ ପହଞ୍ଚିବାରେ ବିଶ୍ବର ପ୍ରଥମ ରାଷ୍ଟ୍ର ହୋଇଥାନ୍ତା। ଚନ୍ଦ୍ରଯାନ-୨ର ଅବତରଣ ମୁହୂର୍ତ୍ତକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ୬୦ ଛାତ୍ରଛାତ୍ରୀ ଇସ୍ରୋ ଟେଲିମେଟ୍ରି ଟ୍ରାକିଂ ଆଣ୍ଡ କମାଣ୍ଡ ନେଟୱର୍କ ମାଧ୍ୟମରେ ଦେଖିଥିଲେ। ଜୁଲାଇ ୨୨ ତାରିଖରେ ୩୮୪୦ କିଲୋ ଓଜନର ଚନ୍ଦ୍ରଯାନ-୨କୁ ଜିଏସଏଲଭି ଏମକେ୩ ଦ୍ବାରା ସଫଳ ଉତ୍କ୍ଷେପଣ କରାଯାଇଥିଲା। ଅଗଷ୍ଟ ୨୦ରେ ଏହା ଚନ୍ଦ୍ରର କକ୍ଷପଥରେ ପ୍ରବେଶ କରିଥିଲା। ସେପ୍ଟେମ୍ବର ୨ରେ ଚନ୍ଦ୍ରଯାନରୁ ବିକ୍ରମ ଲ୍ୟାଣ୍ଡର ଅଲଗା ହୋଇଥିଲା। ୧୪୭୧ କିଲୋର ‘ବିକ୍ରମ’କୁ ଭାରତୀୟ ମହାକାଶ ବିଜ୍ଞାନର ଜନକ ଡକ୍ଟର ବିକ୍ରମ ଏ. ସରାଭାଇଙ୍କ ନାମରେ ନାମିତ କରାଯାଇଛି। ଏହା ଚନ୍ଦ୍ରପୃଷ୍ଠରେ ୧୪ଦିନ ପାଇଁ କାର୍ଯ୍ୟ କରିବ। ସେହିପରି ୨୭ କିଲୋର ରୋେବାର୍ଟିକ ଯାନ ‘ପ୍ରଜ୍ଞାନ’ ୫୦୦ ମିଟର ପର୍ଯ୍ୟନ୍ତ ଚନ୍ଦ୍ରପୃଷ୍ଠରେ ଯାତ୍ରା କରିଥାନ୍ତା। ସୂଚନାଯୋଗ୍ୟ, ଚନ୍ଦ୍ରପୃଷ୍ଠରେ ଗୋଟିଏ ଦିନ(ଅଧା) ପୃଥିବୀରେ ୧୪ ଦିନ ସହ ସମାନ। ଅର୍ଥାତ୍ ଚନ୍ଦ୍ରପୃଷ୍ଠର ଉଭୟ ପାର୍ଶ୍ବ (ପୂରାଦିନ) ଘୂରିବାକୁ ପୃଥିବୀ ସମୟର ମୋଟ ୨୯.୫ ଦିନ ନେଇଥାଏ।
ଚନ୍ଦ୍ରଯାନ-୨ ଜୁଲାଇ ୨୨ ତାରିଖରୁ ଚନ୍ଦ୍ର ଅଭିମୁଖେ ଯିବା ପରେ ପ୍ରାୟ ୪ ଲକ୍ଷ କିଲୋମିଟର ଦୂରତ୍ବ ଅତିକ୍ରମ କରିଥିଲା। ସଫଳ ଉତ୍କ୍ଷେପଣ, ପୃଥିବୀର କକ୍ଷପଥରେ ଅବସ୍ଥାପିତ ହୋଇ ପ୍ରାୟ ୨୩ ଦିନ ଘୂରିବା ଏବଂ ପରେ ଚନ୍ଦ୍ରର କକ୍ଷପଥରେ ଅବସ୍ଥାପିତ ହୋଇ ଚନ୍ଦ୍ରପୃଷ୍ଠର ଫଟୋ ଉଠାଇ ଇସ୍ରୋକୁ ପ୍ରେରଣ କରିବା, ଗତ ୨ ତାରିଖ ଭାରତୀୟ ସମୟ ଅପରାହ୍ଣ ୧.୧୫ ମିନିଟ୍ରେ ଚନ୍ଦ୍ରଯାନ-୨ର ଅର୍ବିଟରରୁ ଅଲଗା ହୋଇଥିଲା ଲ୍ୟାଣ୍ଡର ବିକ୍ରମ। ମଧ୍ୟାହ୍ନ ୧୨.୪୫ରେ ଅର୍ବିଟରର ପ୍ୟାନେଲ ଖୋଲିଥିଲା। ଅପରାହ୍ଣ ୧.୧୫ ମିନିଟ୍ରେ ଚନ୍ଦ୍ରଯାନ-୨ର ଅର୍ବିଟରରୁ ବିକ୍ରମ ଲ୍ୟାଣ୍ଡର ଅଲଗା ହୋଇଥିଲା। ଏହା ଥିଲା ଉକ୍ତ ଅଭିଯାନର ଥିଲା ଆଉ ଏକ ଜଟିଳ ପ୍ରକ୍ରିୟା। ଏହି ସମୟ ସବୁଠୁ ଗୁରୁତ୍ବପୂର୍ଣ୍ଣ ରହିଥିଲା ବୋଲି ଇସ୍ରୋ ବୈଜ୍ଞାନିକମାନେ ସୂଚନା ଦେଇଥିଲେ। ଏହାକୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ)ର ବୈଜ୍ଞାନିକମାନେ ଅତ୍ୟନ୍ତ ସତର୍କତାର ସହ ଏହାକୁ ସଂଚାଳନ କରିଥିଲା। ଫଳରେ ଇସ୍ରୋ ଚନ୍ଦ୍ରଯାନ-୨ ଅଭିଯାନର ଚତୁର୍ଥ ବୃହତ୍ ଜଟିଳ ପ୍ରକ୍ରିୟାକୁ ସଫଳତାର ସହ ଅତିକ୍ରମ କରିଥିଲା। ପଞ୍ଚମ ତଥା ଅନ୍ତିିମ ଜଟିଳ ପ୍ରକ୍ରିୟାଟି ଥିଲା ଆଜି ୬ ତାରିଖ ବିଳମ୍ବିତ ରାତିର କାର୍ଯ୍ୟ। ଅର୍ଥାତ୍ ବିକ୍ରମର ଚନ୍ଦ୍ରପୃଷ୍ଠରେ କୋମଳ ଅବତରଣ। ଶେଷ ମୁହୂର୍ତ୍ତରେ ଏହା ସଫଳତା ଛୁଉଁ ଛୁଉଁ ମାତ୍ର କେଇ ସେକେଣ୍ଡ ବ୍ୟବଧାନ ପୂର୍ବରୁ ବିକ୍ରମର ସଂପର୍କ ଚ୍ଛିନ୍ନ ହୋଇଥିଲା। ସୂଚନାଯୋଗ୍ୟ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂର ସଫଳ ଇତିହାସ ମାତ୍ର ୩୭ପ୍ରତିଶତ।
ଏହି ଅବତରଣ ସଂପର୍କରେ ଲାଇଭ୍ କଭରେଜ୍ କରିବା ଲାଗି ଇସ୍ରୋର ଟେଲିମେଟ୍ରି, ଟ୍ରାକିଂ ଆଣ୍ଡ କମାଣ୍ଡ ନେଟ୍ୱାର୍କ (ଆଇଏସଟିଆରଏସି)ଠାରେ ଦେଶବିଦେଶର ୩୦୦ରୁ ଊର୍ଦ୍ଧ୍ବ ସାମ୍ବାଦିକ ଜମା ହୋଇ ଏହି ବିରଳ ସଫଳତାର ସାକ୍ଷୀ ରହିବା ସହ ଦେଶବିଦେଶର ଲୋକଙ୍କୁ ଏହାର ସିଧାପ୍ରସାରଣ ଖବର ଦେଖାଇଥିଲେ। ରାତି ୧.୧୦ ମିନିଟ୍ରୁ ଏହାର ଲାଇଭ୍ କଭରେଜ୍ ଟେଲିଭିଜନ୍ ଓ ଅନ୍ୟାନ୍ୟ ସାମାଜିକ ଗଣମାଧ୍ୟମରେ ମଧ୍ୟ ଲାଇଭ୍ ଷ୍ଟ୍ରିମିଂ କରାଯାଇଥିଲା। ଦେଶର ବିଭିନ୍ନ କୋଣ ଅନୁକୋଣର ବିଭିନ୍ନ ବିଦ୍ୟାଳୟର ଲକ୍ଷ ଲକ୍ଷ ବିଜ୍ଞାନ ମନସ୍କ ଛାତ୍ରଛାତ୍ରୀ, ଗବେଷକ, ବୁଦ୍ଧିଜୀବୀ ଏକାଠି ହୋଇ ବଡ଼ ବଡ଼ ଟେଲିସ୍କ୍ରିନ୍ ଜରିଆରେ ଚନ୍ଦ୍ରପୃଷ୍ଠରେ ଚନ୍ଦ୍ରଯାନ-୨ର ସଫଳ ଅବତରଣକୁ ଦେଖିଥିଲେ।
ଅନ୍ତିମକ୍ଷଣରେ
ବେଙ୍ଗାଲୁରୁ : ଚନ୍ଦ୍ରଯାନ-୨ ଲ୍ୟାଣ୍ତର ‘ବିକ୍ରମ’ ରଫ୍ ଲ୍ୟାଣ୍ଡିଂ ସମୟରେ ସଠିକ ମାର୍ଗରେ ଅଗ୍ରସର ହେଉଥିଲା। ତେବେ ସୂକ୍ଷ୍ମ ଅବତରଣ ସମୟରେ ଯୋଗାଯୋଗ ବିଛିନ୍ନ ହୋଇଛି ବୋଲି ଇସ୍ରୋର ଅଧ୍ୟକ୍ଷ ଡ଼କ୍ଟର କେ. ଶିବନ୍ କହିଛନ୍ତି । ଚନ୍ଦ୍ରଠାରୁ ୨.୧ କିମି. ଦୂରରେ ଥିବା ବେଳେ ଯୋଗାଯୋଗ ବିଛିନ୍ନ ହୋଇଥିଲା। ତେବେ ଲ୍ୟାଣ୍ତର ‘ବିକ୍ରମ’ ଅର୍ବିଟର ଜରିଆରେ ପଠାଇଥିବ ତଥ୍ୟକୁ ବିଶ୍ଳେଷଣ କରାଯାଉଛି। ଏବେ ମଧ୍ୟ ଯୋଗାଯୋଗ ସ୍ଥାପନ ନେଇ ପ୍ରକ୍ରିୟା ଜାରି ରହିଛି।