ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ ଶ୍ରମିକ ମୃତ, ମାଓବାଦୀଙ୍କ ସମ୍ପୃକ୍ତି ଆଶଙ୍କା

0

ରାଇଘର : ନବରଙ୍ଗପୁର ଜିଲା ଅନ୍ତର୍ଗତ ରାଇଘର ବ୍ଲକ ଛତିଶଗଡ ଶେଷ ସୀମାକୁ ଲାଗିଥିବା ହଳଦୀ ଗ୍ରାମ ପଞ୍ଚାୟତର ଭେନସ ଡଙ୍ଗରିପାରି ରାସ୍ତା ମଧ୍ୟରେ ସୋମବାର ଲ୍ୟାଣ୍ଡମାଇନ ବିସ୍ଫୋରଣରେ ୩ଜଣ ଶ୍ରମିକଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା ପରେ ଦୀର୍ଘ ଦିନର ଅନ୍ତରରେ ଏଠାରେ ମାଓବାଦୀମାନେ ପୁଣି ସକ୍ରିୟ ହୋଇ ଉଠିଥିବା ବିଭିନ୍ନ ମହଲରେ ଆଲୋଚନା ହେଉଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ସୃଷ୍ଟି ହୋଇଛି। ସୂଚନା ଅନୁସାରେ, ସ୍ଥାନୀୟ ବ୍ଲକ ଅନ୍ତର୍ଗତ ଗଞ୍ଜାପାରା ଗ୍ରାମ ପଞ୍ଚାୟତର ଲାଲମାଟି ଓ ମାରଙ୍ଗପାଲି ଗ୍ରାମର ପ୍ରାୟ ୧୦ରୁ ୧୫ଜଣ ଶ୍ରମିକ କାମ କରିବାକୁ ଦୀର୍ଘ ୨୫କିମି ଦୂର ହଳଦୀ ପଞ୍ଚାୟତର ଭେନସ ଗ୍ରାମକୁ ପ୍ରତ୍ୟେକ ଦିନ ଭଳି ଏକ ଟ୍ରାକ୍ଟରରେ ଯାଇ ଘରକୁ ଫେରୁଥିଲେ। କାର୍ଯ୍ୟ ଶେଷ କରି ଅପରାହ୍ଣରେ ଘରକୁ ଫେରୁଥିବା ବେଳେ ଉକ୍ତ ରାସ୍ତାରେ କିଛି ସାମଗ୍ରୀ ପଡିଥିଲା। ଏହାକୁ ଦେଖି ଟ୍ରାକ୍ଟର ଡ୍ରାଇଭର ଗାଡି ରଖି ପରଖିବାକୁ ଯାଇଥିଲେ। ଡ୍ରାଇଭର ଗୁଡୁ ଗଣ୍ଡ(୧୮)ଙ୍କ ସହ ମାରଙ୍ଗପାଲି ଗ୍ରାମର ଦଶରଥ ଜାନୀ(୧୬) ଓ ଭରତ ଜାନୀ(୨୦) ସେହି ସାମଗ୍ରୀକୁ ଦେଖିବାକୁ ଯାଇଥିଲେ। ଏମାନେ ଯାଇ ସାମଗ୍ରୀଟିକୁ ଛୁଇଁବା ମାତ୍ରେ ତାହା ଜୋର ଶବ୍ଦ କରି ବିସ୍ଫୋରଣ କରିଥିଲା। ପ୍ରତ୍ୟେକ୍ଷଦର୍ଶୀଙ୍କ କହିବା ଅନୁସାରେ, ବିସ୍ଫୋରଣର ମାତ୍ରା ଏତେ ଅଧିକ ଥିଲା ଯେ, ଜଣଙ୍କର ଶରୀର ଖଣ୍ଡ ଖଣ୍ଡ ହୋଇ ଏଣେ ତେଣେ ଛିଟିକି ପଡିଥିଲା। ଆଉ ଜଣେ ୧ଶହ ମିଟର ଦୂରକୁ ଛିଟିକି ମୃତ୍ୟୁବରଣ କରିଥିଲେ। ଖବର ପାଇ ରାଇଘର ପୁଲିସ, ଆଇଆରବି ଯବାନ, ବିଏସଏଫ ଯବାନ ଫୁଟାନଡା ଓ କୁନ୍ଦେଇ ଘଟଣାସ୍ଥଳକୁ ଯାଇ କମ୍ବିଂ କରିବା ସହ ମୃତ ଦେହଗୁଡିକୁ ରାଇଘର ଆଣିବା ବ୍ୟବସ୍ଥା କରିଥିଲେ। ତେବେ ଏହି ଜଙ୍ଗଲ ରାସ୍ତା ମଧ୍ୟରେ ଏତେ ଶକ୍ତିଶାଳୀ ବିସ୍ଫୋରକ କିଏ ରଖିଥିଲା ନା ମାଓବାଦୀମାନେ ସେମାନଙ୍କ ଉପସ୍ଥିତି ଜାହିର କରିବାକୁ ଯବାନମାନଙ୍କୁ ଟାର୍ଗେଟ କରି ଏହାକୁ ବିଛାଇଥିଲେ ତାର ସଠିକ ସୂଚନା ମିଳିପାରି ନାହିଁ। ଘଟଣାର ଅଧିକ ତଦନ୍ତ ଜାରି ରହିଛି।

Leave A Reply